ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ି ଯାଇଛି। ଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଦାୟିତ୍ୱ ମଧ୍ୟ ବଢ଼ିଯାଇଛି। ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୨୦ ତାରିଖ ଠାରୁ ଅନ୍ଲାଇନ୍ ମାଧ୍ୟମରେ କ୍ଲାସ କରିବାକୁ ହେବ। ଜୁନ୍ ମାସରେ ସରକାର ସେତେବେଳର କରୋନା ସ୍ଥିତିକୁ ଦେଖି ବୋର୍ଡ ପରୀକ୍ଷା ପାଇଁ ନୂଆଁ ତାରିଖ ନିର୍ଦ୍ଧାରଣ କରିବେ।
କରୋନା ସଂକ୍ରମଣ ବଢ଼ିବା ଯୋଗୁଁ ପିଲାମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଫଳରେ ଏହାରି ମଧ୍ୟ ଶତପ୍ରତିଶତ ଛାତ୍ରଛାତ୍ରୀ ହଷ୍ଟେଲରୁ ନିଜର ପାଠ୍ୟ ସାମଗ୍ରୀ ଓ ଅନ୍ୟ ଜିନିଷ ନେଇ ଘରକୁ ଫେରିଯାଇଛନ୍ତି। ହଷ୍ଟେଲରେ ରହି ପଢୁଥିବା ପିଲାମାନେ ନିଶ୍ଚିତ ଭାବରେ ଘରେ ପାଠପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେବେ। କାରଣ ହଷ୍ଟେଲରେ ପାଠ ପଢ଼ିବା ପାଇଁ ଯେଉଁ ପରିବେଶ ଥାଏ, ଘରେ ଉପଲବ୍ଧ ହୋଇପାରିବ ନାହିଁ। ଆଉ ଏକ ଅନ୍ୟ କାରଣ ହେଲା ଜାନୁଆରୀ ମାସରେ ହଷ୍ଟେଲ ଗୁଡ଼ିକ ଖୋଲିବା ପରେ ପିଲାମାନେ ପାଠପଢ଼ାର ଧାରାକୁ ସଠିକ ଭାବେ ପରିଚାଳନା କରୁଥିଲେ। ଏବେ ସେମାନେ ଘରେ ରହିବା ଦ୍ୱାରା କିଛି ଦିନ ହଷ୍ଟେଲ ଭଳି ବାତାବରଣ ପାଇବାକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଏହା ଦ୍ୱାରା ସେମାନଙ୍କର ବହୁ ମୂଲ୍ୟ ନଷ୍ଟ ହେବ।
୧୦ମ ଓ ଦ୍ୱାଦଶ ପିଲା ହତୋତ୍ସାହ
ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ୨୦୨୧ ମେ’ ମାସ ୧୮ ତାରିଖରୁ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥାନ୍ତା। ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଆଉ ଏକ ମାସ ସମୟ ଥିବା ଆଶା ରଖି ଛାତ୍ରଛାତ୍ରୀମାନେ ମନପ୍ରାଣ ଦେଇ ପଢୁଥିଲେ। କିନ୍ତୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯିବା ପରେ ସେମାନେ ହତୋତ୍ସାହ ଦେଖାଯାଇଛନ୍ତିି। କରୋନା ସ୍ଥିତି ଯଦି ଠିକ ହେବ, ତାହେଲେ ପ୍ରାୟ ୨ ମାସ ପରେ ଯାଇ ପରୀକ୍ଷା ହେବ। କିନ୍ତୁ ଏହାରି ଭିତରେ ପିଲାଙ୍କ ମନରେ ପରୀକ୍ଷାକୁ ନେଇ ଯେଉଁ ଉତ୍ସାହ ଥିଲା, ତାହା କମି ଯାଇଥିବ। ରାଜ୍ୟ ସରକାର କହିଛନ୍ତି ଯେ, କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ଜୁନ୍ ୨୦୨୧ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ସଂପର୍କରେ ସମୀକ୍ଷା କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ସମୟ ଦିଆଯାଇ ପରୀକ୍ଷା କରାଯିବା ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ବିନା ପରୀକ୍ଷାରେ ପିଲା ଉତ୍ତିର୍ଣ୍ଣ
ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ଆସନ୍ତା ମେ’ ମାସ ୩ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ହୋଇଥାନ୍ତା। କିନ୍ତୁ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ନବମ ଓ ଏକାଦଶ ଶ୍ରେଣୀରେ ପାଠ ପଢୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ପ୍ରତିଯୋଗୀ ମନୋଭାବ ହ୍ରାସ ପାଇବା ଆଶଙ୍କା
କରୋନା ଭାଇରସ୍ ଯୋଗୁଁ ସରକାର ଅନ୍ୟ ଉପାୟ ନପାଇ ମାଟ୍ରିକ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଯଦିଓ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ପିଲାମାନଙ୍କ ମନରେ ଥିବା ପ୍ରତିଯୋଗୀ ମନୋଭାବ ହ୍ରାସ ପାଇବ ଏହା ସୁନିଶ୍ଚିତ। କାରଣ ବିଗତ ୧ ବର୍ଷରୁ ଅଧିକ ସମୟ ହେବ ପିଲାମାନଙ୍କର ଶିକ୍ଷା ଏକ ନିୟମିତ ଧାରା ଦେଇ ଗତି କରୁ ନାହିଁ। ଏହି ସମୟ ମଧ୍ୟରେ କ୍ଲାସ, ପରୀକ୍ଷା ଆଦି ନେଇ ଅନେକ ଅନିଶ୍ଚିତତା ଦେଖାଯାଉଛି।