ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା ବ୍ରଜାରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଖାଲି ପଡ଼ିଛି । ଗତବର୍ଷ ଡିସେମ୍ବର ୩୦ ତାରିଖ ଦିନ ଏଠାରେ ଥିବା ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ କାହା ହାତରେ ଏହି ଆସନ ରହିବ ଅଙ୍କ କଷା ଚାଲିଛି । ଉପନିର୍ବାଚନରେ ମତଦାତା କାହାକୁ ଚୟନ କରିବେ, ତାହା ଭିନ୍ନ କଥା କିନ୍ତୁ ପୂର୍ବତନ ବାଚସ୍ପତି ତଥା ବିଜେଡିର ଅନ୍ୟତମ ଶକ୍ତିଶାଳୀ ନେତାଙ୍କ ମୃତ୍ୟୁ ହୋଇଯିବା ପରେ ଏଠାରେ ଏକ ଟାଣୁଆ ନେତ୍ରୀ ଅଥବା ନେତା କିଏ ହେବେ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ଶାସକ ବିଜେଡି ଦଳ ଆଜି ନିଜର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଳକା ମହାନ୍ତିଙ୍କୁ ଉପନିର୍ବାଚନ ପାଇଁ ଟିକେଟ ଦେଇଛନ୍ତି ।
ବିଜେଡିର ଟିକେଟରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ନିର୍ବାଚନ ଲଢ଼ିବେ । ଅଳକା ମହାନ୍ତି ରାଜନୀତିରେ ନୂଆ ହୋଇଥିଲେ ବି ମତଦାତା ଯଦି ଆଶୀର୍ବାଦ କରନ୍ତି ତା’ହେଲେ ଲଢ଼େଇରେ ବିଜୟ ହାସଲ କରିବା ବଡ଼ କଥା ନୁହେଁ । କାରଣ ଅତୀତରେ ରାଜ୍ୟର ଇତିହାସକୁ ଦେଖି ବିଜେଡି ଏହି ଟିକେଟ୍ ଦେଇଛି । ଉଦାହରଣ ସ୍ୱରୂପ ଟିଟଲାଗଡ଼, ବିଜେପୁର ଓ ଜଗତସିଂହପୁର ଉପନିର୍ବାଚନକୁ ନିଆଯାଇପାରେ । ଏହି ୩ଟି ସ୍ଥାନରେ ଜନତା ନେତାକୁ ନଦେଖି ଦଳକୁ ଭୋଟ ଦେଇଥିଲେ । ସେହି ଦୃଷ୍ଟିରୁ ବିଜେଡିର ସାଂଗଠନିକ ବୈକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ନବୀନ ପଟ୍ଟନାୟକ ପ୍ରାର୍ଥୀତ୍ୱକୁ ନେଇ ବିଚାର କରିବେ ।
ଏଠାରେ ତିନି ଦଳର ସମର୍ଥକ
କିଶୋର ମହାନ୍ତି ଥିଲେ ଜଣେ ଟାଣୁଆ ନେତା । ସେ ବିଧାୟକ ଥିବା ଭିତରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟ ହୋଇପାରିଛି । କିନ୍ତୁ ବିକାଶମୂଳକ କାର୍ଯ୍ୟ ଆହୁରି ହେବା କଥା ବୋଲି ମଧ୍ୟ ବିରୋଧୀ ଦଳ ଦାବି କରନ୍ତି । ବ୍ରଜରାଜନଗର ପୂର୍ବରୁ ବିଜେପି ଓ କଂଗ୍ରେସ ହାତରେ ମଧ୍ୟ ରହିଛି । ତେଣୁ ମତଦାତା ଏଥର ନିଜର ନିଷ୍ପତ୍ତିକୁ ବଦଳାଇ ମଧ୍ୟ ବଡ଼ କଥା ନୁହେଁ । ୨୦୧୪ରେ ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍ରେ ରାଧାରାଣୀ ପଣ୍ଡା ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ ।
ରାଧାରାଣୀ ପଣ୍ଡା ଅଧିକ ପରିଚିତ
ବିଜେପିର ଟିକେଟରେ ରାଧାରାଣୀ ପଣ୍ଡା ଉପନିର୍ବାଚନ ଲଢ଼ିବେ । କେନ୍ଦ୍ରୀୟ ନିର୍ବାଚନ କମିଟି ବରିଷ୍ଠ ନେତ୍ରୀଙ୍କ ନାଁରେ ମୋହର ଲଗାଇଛି । ବ୍ରଜରାଜନଗର ଜନତା ରାଧାରାଣୀ ପଣ୍ଡାଙ୍କ ସହିତ ପରିଚିତ । ଦୀର୍ଘ ୯ବର୍ଷ ହେଲା ରାଧାରାଣୀ ଏହି ଆସନର ଲୋକଙ୍କର ସେବା କରି ଆସୁଛନ୍ତି । ସେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ । ଚଳିତ ଉପନିର୍ବାଚନରେ କଂଗ୍ରେସର କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି । ତେବେ ନେତା ଦୃଷ୍ଟିରୁ ରାଧାରାଣୀ ପଣ୍ଡାଙ୍କ ଅଭିଜ୍ଞତା ଅଧିକ । କିନ୍ତୁ ଜନତା କ’ଣ ଚାହୁଁଛନ୍ତି, ତାହାରି ଉପରେ ନିର୍ଭର କରିପାରେ । ଏହାରି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳୁ ସାହୁ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସାହୁଙ୍କ ଇସ୍ତଫା ବିଜେପି ଉପରେ ପ୍ରଭାବ ପକାଇପାରେ କି ବୋଲି ମଧ୍ୟ ସଂଦେହ ହେଉଛି ।
୩୧ରେ ଉପନିର୍ବାଚନ
ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଗ୍ରହଣ କରାଯିବ । ଏଥି ପାଇଁ ୧୧ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେବ । ପ୍ରାର୍ଥୀପତ୍ର ଦାଖଲର ସମୟ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକ ଅଧିକ ସକ୍ରିୟ ଦେଖାଯାଇଛନ୍ତି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନ ପାଇଁ ପ୍ରଥମେ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ମଧ୍ୟ ନିଜର ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ରାଜ୍ୟ କଂଗ୍ରେସର ସଭାପତି ଓ ଅନ୍ୟ ବିଧାୟକମାନେ ଦିଲ୍ଲୀରେ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତି ସେହିଭଳି ମଜବୁତ ନାହିଁ । ତେଣୁ ବିଜେଡି ଓ ବିଜେପି ପ୍ରାର୍ଥୀ ମଧ୍ୟରେ ଅସଲ ଲଢ଼େଇ ହେବା ନେଇ ପୂର୍ବାନୁମାନ କରାଯାଉଛି ।