Monday, February 17, 2025
Homeବ୍ୟାଘ୍ର ଦିବସ ଅନୁଚିନ୍ତା: ଶିକାରୀଙ୍କ ଟାର୍ଗେଟରେ ବାଘ, କେମିତି ବଢ଼ିବ ବଂଶ?
Array

ବ୍ୟାଘ୍ର ଦିବସ ଅନୁଚିନ୍ତା: ଶିକାରୀଙ୍କ ଟାର୍ଗେଟରେ ବାଘ, କେମିତି ବଢ଼ିବ ବଂଶ?

ଭୁବନେଶ୍ୱର: ଜଙ୍ଗଲର ବିକାଶ ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି ପରିବେଶର ସୁରକ୍ଷା ପାଇଁ ମଧ୍ୟ ସରକାର ଚିନ୍ତିତ । ମାତ୍ର କ୍ଷୋଭର ବିଷୟ ଯେ, ସରକାରଙ୍କ ଉଦ୍ୟମ ତୃଣମୂଳ ସ୍ତରରେ ବ୍ୟବସ୍ଥିତ ଭାବେ ପରିଚାଳନା ହେଉ ନଥିବାରୁ ଜଙ୍ଗଲ ହ୍ରାସ ପାଉଥିବା ସହିତ ବନ୍ୟ ପ୍ରାଣୀ ଦିନକୁ ଦିନ ବିପଦ ଆଡ଼କୁ ଯାଉଛନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ବହୁ ସଚେତନମୂଳକ ବାର୍ତ୍ତା ଦିଆଯାଉଛି । ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଜଙ୍ଗଲ ସଂଲଗ୍ନ ଗାଁର କମିଟିକୁ ଉପହାର ସ୍ୱରୂପ ବିଭିନ୍ନ ଉପକରଣ ଦିଆଯାଉଛି । ତଥାପି ଜଙ୍ଗଲ ବଢୁନି କି ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ହେଉ ନାହିଁ । ଉଭୟ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ତାକୁ କେହି ପାଳନ କରୁ ନାହାନ୍ତି କି ଏହି ଆଇନ୍‌ର ଉଦ୍ଦେଶ୍ୟ ଓ ମହତ୍ୱକୁ କେହି ବୁଝୁନାହାନ୍ତି ।

ସରକାରୀ ସ୍ତରରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ହାତୀ ଦିବସ ପାଳନ ହେଲା ଭଳି ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି । ବାଘ ବଂଶ ବୃଦ୍ଧି ପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ଦିଆଯାଉଛି । କିନ୍ତୁ ବ୍ୟାଘ୍ର ଦିବସର ମହତ୍ୱ ସମସ୍ତେ ଜାଣନ୍ତି ନାହିଁ । ବାଘ ଯଦିଓ ଭାରତର ଜାତୀୟ ପଶୁ ଏବଂ ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା କଥା, ଏକଥା ଦେଶର ଅଧିକାଂଶ ଲୋକ ଚିନ୍ତା କରି ନଥାନ୍ତି । ଓଡ଼ିଶାରେ ବାଘମାନେ ସୁରକ୍ଷିତ ନାହାନ୍ତି ବୋଲି ନିଦ୍ୱନ୍ଦ୍ୱରେ କୁହାଯାଇ ପାରିବ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଯେ, ବିଗତ ୭ ମାସ ମଧ୍ୟରେ ରାଜ୍ୟରେ ୧୮ଟି ବାଘ ଛାଲ ଜବତ ହୋଇଛି । ବାଘ ଛାଲ ବିକ୍ରି ଓ ଚାଲାଣ ଅଭିଯୋଗରେ ୩୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ବାଘ ପାଇଁ ଭାରତ ପ୍ରସିଦ୍ଧ

ଜଙ୍ଗଲରେ ଥିବା ପ୍ରାଣୀମାନଙ୍କ ମଧ୍ୟରୁ ବାଘ ହେଉଛି ଅନ୍ୟତମ ଶକ୍ତିଶାଳୀ ଜନ୍ତୁ । ବାଘ ପାଇଁ ବିଶ୍ୱରେ ଭାରତ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଅଧିକାଂଶ ବାଘ ଦେଖାଯାଆନ୍ତି । ୨୦୧୪ରେ ହୋଇଥିବା ବାଘ ଗଣନା ରିପୋର୍ଟ ଅନୁସାରେ ଭାରତରେ ୨୨୨୬ ବାଘ ଥିଲେ । ଏହି ସଂଖ୍ୟା ରୁଷିଆରେ ୪୩୩, ଇଣ୍ଡୋନେସିଆରେ ୩୭୧ ଓ ମାଲେସିଆରେ ୨୫୦ ଥିଲା । ଭାରତ ସରକାରଙ୍କ ତଥ୍ୟ ଅନୁସାରେ ୨୦୨୦ ଜୁଲାଇ ମାସରେ ଭାରତରେ ୨୯୬୭ ବାଘ ଥିଲେ । ଏଥିରୁ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬, କର୍ଣ୍ଣାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨ ।

ଓଡ଼ିଶାରେ କେତେ ବାଘ?

୨୦୦୪ ମସିହାରେ ଓଡ଼ିଶାରେ ୧୯୨ଟି ମହାବଳ ବାଘ ଥିଲେ । ୨୦୦୬ରେ ଏହି ସଂଖ୍ୟା ୪୫କୁ ଖସିଥିଲା । ୨୦୧୦ ବେଳକୁ ପୁଣି ଏହା ୩୨କୁ ହ୍ରାସ ପାଇଲା ଓ ୨୦୧୪ ମସିହା ବେଳକୁ ୨୮ରେ ପହଂଚିଯାଇଥିଲା । କେନ୍ଦ୍ର ସରକାରଙ୍କ ଗଣାନାକୁ ରାଜ୍ୟ ସରକାର ଭୁଲ ଦର୍ଶାଇ ନିଜେ ବାଘ ଗଣିଥିଲେ ଏବଂ ରାଜ୍ୟରେ ବାଘ ସଂଖ୍ୟା ୫୮ ବୋଲି କହିଥିଲେ । ତେବେ ଏଠାରେ କୁହାଯାଇ ପାରିବ ଯେ, ବାଘ ସଂଖ୍ୟ ପ୍ରତି ବର୍ଷ ହ୍ରାସ ପାଇବାରେ ଲାଗିଛି । ଯାହା ଅନୁମାନ ହେଉଛି ଆଗାମୀ କିଛି ବର୍ଷ ପରେ ଓଡ଼ିଶାର ଜଙ୍ଗଲରେ ବାଘ ବଂଶ ଲୋପ ପାଇଯାଇପାରନ୍ତି । ଆଗାମୀ ପିଢ଼ିର ଲୋକେ ଚିଡ଼ିଆଖାନାରେ ବାଘ ଦେଖି ସନ୍ତୁଷ୍ଟ ହେବେ ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବିଫଳ

ରାଜ୍ୟ ସରକାର ସାତକୋଶିଆ ଅଭୟାରଣ୍ୟରେ ବାଘ ପ୍ରକଳ୍ପ କରିବାକୁ ସ୍ୱପ୍ନ ଦେଖିଥିଲେ । ଏଥି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀ’କୁ ଆଣିଥିଲେ । ସୁନ୍ଦରୀକୁ ସାତକୋଶିଆ ପହଂଚିବା ପରେ ଭୟଙ୍କର ରୂପ ଧାରଣ କରିଥିଲା । ପ୍ରାୟ ୩ ଜଣଙ୍କୁ ଆକ୍ରମଣ କରି ଜୀବନ ନେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା । ବାଧ୍ୟ ହୋଇ ସରକାର ବାଘୁଣୀକୁ ଏକ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ରଖିଲେ । ତଥାପି ବାଘୁଣୀର ଗତିବିଧିରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ଶେଷରେ ବାଧ୍ୟ ହୋଇ ବାଘୁଣୀକୁ ଫେରାଇ ଦେଲେ । ସାତକୋଶିଆରେ ଥିବା ବାଘ ‘ମହାବୀର’ର ଗତବର୍ଷ ମୃତ୍ୟୁ ହୋଇଥିଲା । ଏବେ ଏଠାରେ ବାଘ ଅଛନ୍ତି କି ନାହିଁ ତାହା ବି ସନ୍ଦେହ ସୃଷ୍ଟି କରୁଛି ।

ବିପଦରେ ଶିମିଳାପାଳ ଅଭୟାରଣ୍ୟ

ଶିମିଳିପାଳ ଅଭୟାରଣ୍ୟ ମଧ୍ୟ ବାଘମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ବୋଲି କୁହାଯାଉଛି । ଗୋଟିଏ ପଟରେ ଶିମିଳିପାଳ ଉପରେ ଶିକାରୀଙ୍କ ନଜର ରହିଥିବା ବେଳେ ଅନ୍ୟପଟରେ ଜଙ୍ଗଲ ଅବକ୍ଷୟ । ବାଘ ରହିବା ପାଇଁ ଶହ ଶହ ହେକ୍ଟର ଜଙ୍ଗଲ ଘଂଚ ରହିବା ଦରକାର । ଦିନକୁ ଦିନ ଶିମିଳିପାଳ ପଦା ହେବାରେ ଲାଗିଛି । ଶିମିଳିପାଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଜଙ୍ଗଲର ବିକାଶ ବଦଳରେ ବିନାଶ ହେଉଛି ଅଧିକ । ଶିମିଳିପାଳରେ କେତେ ବାଘ ଅଛନ୍ତି ତାହା ପ୍ରକୃତ ତଥ୍ୟ ବନ ବିଭାଗ ପାଖରେ ନାହିଁ । କିନ୍ତୁ ୨୦୧୮ ଗଣନା ଅନୁସାରେ ଏଠାରେ ୧୨ଟି ବାଘ ଥିଲେ । କିନ୍ତୁ ୨୦୧୨ରୁ ୨୦୨୦ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମୋଟ ୪ଟି ମହାବଳର ମୃତ୍ୟୁ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments