ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ୨୦୨୨ ମାର୍ଚ୍ଚ ୨୨ ତାରିଖ ଠାରୁ ବଢ଼ିଛି। ଆର୍ଥିକ ବର୍ଷ ୨୦୨୨-୨୩ ଆରମ୍ଭ ହେବା ପୂର୍ବରୁ ଅତ୍ୟାବାଶ୍ୟକ ଇନ୍ଧନ ଓ ଗ୍ୟାସ୍ ଦର ବୃଦ୍ଧି ଘଟିଥିବାରୁ ସାଧାରଣରେ ଅସନ୍ତୋଷର ଦାନା ବାନ୍ଧିଛି। ଦରବୃଦ୍ଧିକୁ ବିରୋଧ କରି ରାଜନୈତିକ ଦଳର ନେତାମାନେ ପୁଣି ଥରେ ଆନ୍ଦୋଳନ କରିପାରନ୍ତି। ଏବେ ଠାରୁ ଏହାର ଆଭାସ ଦେଖାଯାଇଛି। ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଅଧିକ ବାଧିଛି। କାରଣ ଏହି ୨ଟି ଶ୍ରେଣୀରେ ବସବାସ କରୁଥିବା ଲୋକେ ଇନ୍ଧନ ଦର ବୃଦ୍ଧି କାରଣରୁ ସର୍ବାଧିକ ପ୍ରଭାବିତ ହେବେ। ଦୀର୍ଘ ୫ ମାସ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଥିବା ବେଳେ ରୋଷେଇ ଗ୍ୟାସ୍ ଦର ହଠାତ୍ ୫୦ ଟଙ୍କା ବଢ଼ିଯିବା କାରଣରୁ ଗରିବ ଲୋକଙ୍କର ମୁଣ୍ଡ ଉପରେ ଚଡ଼କ ପଡ଼ିଲା ଭଳି ପରିସ୍ଥିତି ଦେଖାଯାଇଛି।
କୁହାଯାଉଛି ଯେ, ରୁଷିଆ ଓ ୟକ୍ରେନ୍ ମଧ୍ୟରେ ଗତମାସ ୨୪ ତାରିଖ ଠାରୁ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଭାରତରେ ଇନ୍ଧନ ଉପରେ ପ୍ରଭାବ ପଡ଼ିଛି। ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଭାରତ ସରକାର ବାଧ୍ୟ ହୋଇ ଦର ବଢ଼ାଇଛନ୍ତି। କିନ୍ତୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ବସବାସ କରୁଥିବା ଲୋକ ଏସବୁ କଥା ବୁଝିପାରିବେ ନାହିଁ। ସରକାର ଯେମିତି ବିପିଏଲ୍ ପରିବାରକୁ ଶସ୍ତାରେ ଚାଉଳ, ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଉପଲବ୍ଧ କରୁଛନ୍ତି, ସେମିତି କୌଣସି ପ୍ରକାରରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ରେ ରିହାତି ହେଲେ ଉପକାର ହୋଇପାରନ୍ତେ। ସାଧାରଣରେ ଚର୍ଚ୍ଚା ହେଉଛି ଯେ ନିକଟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତୈଳ ଦର ବୃଦ୍ଧି ହୋଇଛି।
ଗରିବଙ୍କ ଉପରେ ଅତିରିକ୍ତ ବୋଝ
ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢ଼ିଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ଉପଭୋକ୍ତାଙ୍କୁ ଗୋଟେ ସିଲିଣ୍ଡର କିଣିବା ପାଇଁ ୯୪୯.୫୦ ଟଙ୍କା ଦେବାକୁ ହେବ। ଧନୀ ଶ୍ରେଣୀର ଲୋକଙ୍କୁ ଦରବୃଦ୍ଧି ବିଶେଷ ଫରକ ପକାଇ ପାରିବ ନାହିଁ। କିନ୍ତୁ ଏହି ଅତିରିକ୍ତ ଆର୍ଥିକ ବୋଝ ଗରିବ ଲୋକଙ୍କୁ ଅଧିକ କଷ୍ଟ ଦେବ। ଅନେକ ମାସର ବ୍ୟବଧାନ ପରେ ହଠାତ୍ ଏଲପିଜି ସିଲିଣ୍ଡରର ଦର ୫୦ ଟଙ୍କା ବୃଦ୍ଧି ପାଇଥିବାରୁ ଗ୍ରାହକ ଏହାକୁ ସହଜରେ ଗ୍ରହଣ କରିପାର ନାହାନ୍ତି। ସୂଚନାଯୋଗ୍ୟ, ଶେଷ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ଦର ଗତ ଅକ୍ଟୋବର ୬ ତାରିଖରେ ବୃଦ୍ଧି ପାଇଥିଲା।
ଅନ୍ୟ ଜିନିଷ ଉପରେ ପ୍ରଭାବ
ତେବେ ପେଟ୍ରୋଲ, ଡିଜେଲ ସମେତ ରୋଷେଇ ଗ୍ୟାସ ଦର ବୃଦ୍ଧି ହେବା ପରେ ଏବେ ସମସ୍ତେ ଅଧିକ ଖର୍ଚ୍ଚାନ୍ତ ହେବେ। ସମସ୍ତଙ୍କର ପକେଟମନିକୁ ଏହି ଦରବୃଦ୍ଧି ପ୍ରଭାବିତ କରିବ। ରୋଜଗାରରେ ବୃଦ୍ଧି ନହେବା ଏବଂ ଖର୍ଚ୍ଚ ବଢ଼ିବା କାରଣରୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କୁ ଅଧିକ ବାଧିବ। ମାସିକ ୧୦ ହଜାରରୁ କମ୍ ଟଙ୍କା ରୋଜଗାର କରୁଥିବା ପରିାବାର ସହରାଞ୍ଚଳରେ ରହୁଥିବେ, ସେମାନେ ଅଧିକ ଆର୍ଥିକ ସଙ୍କଟରେ ପଡ଼ିବେ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼ ହୋଇଛି। ରୋଷେଇ ଘର ଉପରେ ଏହାର ପ୍ରଭାବ ପଡ଼ିଛି। ପେଟ୍ରୋଲ ଓ ଡିଜେଲ ଦର ପରୋକ୍ଷ ଭାବରେ ରୋଷେଇ ଘର ଉପରେ ପ୍ରଭାବ ପକାଇବ। କାରଣ ଦୋକାନୀମାନେ ପ୍ରତ୍ୟେକ ଜିନିଷ ଉପରେ ଏଥର ସର୍ବନିମ୍ନ ମୂଲ୍ୟ ବଢ଼ାଇ ଦେବେ।