ଭୁବନେଶ୍ୱର: ହିନ୍ଦୁ ଧର୍ମୀୟ ଭାବନା ରଖିଥିବା ଭକ୍ତମାନେ ବଡ଼ ଆଧ୍ୟାତ୍ମିକ ଚିନ୍ତାଧାରା ନେଇ ଭଗବାନଙ୍କ ପାଖକୁ ଯାଇଥାନ୍ତି । ଶ୍ରଦ୍ଧାର ସହିତ ପ୍ରଭୁଙ୍କୁ ଧୂପ, ଦୀପ, ପୁଷ୍ପ ଓ ଭୋଗ ଅର୍ପଣର ସହିତ ପୂଜାର୍ଚ୍ଚନା କରିଥାନ୍ତି । ଠାକୁରଙ୍କ ଦର୍ଶନ ପରେ ଭୋଗ ପାଇବାକୁ ମନ କରିଥାନ୍ତି । ଏହି ଭୋଗର ଅନ୍ୟ ପ୍ରସାଦ । ଶ୍ରୀମନ୍ଦିରରେ ଏହାକୁ ମହାପ୍ରସାଦ କୁହାଯାଇଥାଏ, ଯାହାକି ଆନନ୍ଦବଜାରରେ ମିଳିଥାଏ । ତେବେ ଶ୍ରୀମନ୍ଦିର ଭଳି ବ୍ୟାପକ ନହେଲେ ବି ରାଜ୍ୟର ଅନ୍ୟ କିଛି ମନ୍ଦିରରେ ଭକ୍ତମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ହୋଇଥାଏ । କିନ୍ତୁ ଭକ୍ତଙ୍କୁ ଏହା କିଛି ରାଶି ଦେଇ କିଣିବାକୁ ହୋଇଥାଏ । ତେବେ କିଛି ସ୍ଥାନରେ ନିୟମ କଡ଼ାକଡ଼ି ନଥିବାରୁ ଭକ୍ତଙ୍କୁ ପ୍ରସାଦ ବିକାଳିଙ୍କ ପାଖରେ ଶୋଷଣର ଶିକାର ହେବାକୁ ପଡ଼ିଥାଏ ।
ରାଜ୍ୟର ଅନେକଗୁଡ଼ିଏ ମନ୍ଦିରରେ ଭକ୍ତମାନେ ଯେତେବେଳେ ଠାକୁରଙ୍କ ଦର୍ଶନ ଶେଷ କରିନ୍ତି, ଘରକୁ ଫେରିବା ପୂର୍ବରୁ ସେଠାରେ ପ୍ରସାଦ ସେବନ କରିବାକୁ ଭୁଲିନଥାନ୍ତି । ପୁରୀ ଶ୍ରୀମନ୍ଦିର, କେନ୍ଦ୍ରାପଡ଼ାର ବଳଦେବଜୀଉ, କୋରାପୁଟ ଶାବର ଶ୍ରୀକ୍ଷେତ୍ର, ସୋନପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଇଁ ଅବଢ଼ାର ବ୍ୟବସ୍ଥା ରହିଛି । ସେହିପରି ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜ, ଶ୍ରୀ ଅନନ୍ତବାସୁଦେବ ମନ୍ଦିର ଓ ଇସ୍କନ ମନ୍ଦିରରେ ପ୍ରସାଦ ବିକ୍ରି ହୋଇଥାଏ । ତେବେ ଜଣେ ଭକ୍ତଙ୍କ ଆବଶ୍ୟକତା ଅନୁସାରେ ୮୦ରୁ ୧୦୦ ଟଙ୍କା ପ୍ରସାଦ କିଣିଲେ ପେଟ ପୁରିଯାଇଥାଏ । ମାତ୍ର କ୍ଷୋଭର କଥା ଯେ, ଗତ ସୋମବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ବିକାଳିମାନେ ଆକାଶଛୁଆଁ ଦରରେ ଅବଢ଼ା ବିକ୍ରି କରିଥିଲେ । ଜଣେ ଭକ୍ତଙ୍କୁ ପେଟପୁରା ଅବଢ଼ା ଖାଇବା ପାଇଁ ୩୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା । ଯଦି ଏକ ପରିବାରର ୩ ଜଣ ଅବଢ଼ା ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ, ତେବେ ସେମାନଙ୍କୁ ପ୍ରାୟ ୧୦୦୦ ଟଙ୍କା ଗଣିବାକୁ ପଡ଼ିଥିଲା ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବ୍ୟବସ୍ଥା
ପୁରୀ ଶ୍ରୀମନ୍ଦିର ଆନନ୍ଦବଜାର ହେଉ କି ଶରଧାବାଲିର ଅନନ୍ଦବଜାରରେ ହେଉ, ଜଣେ ଭକ୍ତ ୧୦୦ ଟଙ୍କାରେ ପେଟପୂରା ଅବଢ଼ା ଖାଇଥାଏ । ଶ୍ରୀଅନନ୍ତବାସୁଦେବ ମନ୍ଦିରରେ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ଅବଢ଼ା ମିଳିଥାଏ । କିନ୍ତୁ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ବିକ୍ରିରେ ମନମାନୀ ହୋଇଥାଏ । ଲିଙ୍ଗରାଜ ମନ୍ଦିରରେ କେବଳ ଅବଢ଼ା ବିକ୍ରି ସମେତ ପୂଜାର୍ଚ୍ଚନାକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଲିଙ୍ଗରାଜଙ୍କ ସାହାଣ ମେଳା ଦର୍ଶନ ସମୟରେ ଭକ୍ତଙ୍କୁ ଶୋଷଣର ଶିକାର ହୁଅନ୍ତି । ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା ପାଇଁ ସିଂହଦ୍ୱାର ନିକଟରେ ଥିବା ଏକ କାଉଣ୍ଟରରୁ ରସିଦ କାଟିଥିଲେ ମଧ୍ୟ ଭିତରେ ସେବାୟତମାନେ ଭକ୍ତଙ୍କୁ ନାନା କଥା କରି ଟଙ୍କା ଲୁଟିବାରେ ମାହିର ଥାନ୍ତି । ଏପରିକି ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତ ହେବ ବୋଲି ୫୦୦ ଟଙ୍କା ନେଇଯାଆନ୍ତି । ଦୂରଦୂରାନ୍ତରୁ ଆସିଥିବା ବିଚରା ଶ୍ରଦ୍ଧାଳୁମାନେ ଭକ୍ତିଭାବମୟରେ ପଡ଼ି ବାଧ୍ୟ ହୋଇ ସେବାୟତମାନଙ୍କୁ ଟଙ୍କା ଦେଇଥାନ୍ତି । ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ଠକେଇର ଶିକାର ନହେବେ ବେଲି ପ୍ରଶାସନ ପକ୍ଷରୁ ସେହିଭଳି ବ୍ୟବସ୍ଥା କରାଯାଇ ନାହିଁ ।
ବ୍ୟବସ୍ଥାରେ ପରିବର୍ତ୍ତନ ଦରକାର
ଓଡ଼ିଶାର ସଂସ୍କୃତି ଓ ଧାର୍ମିକ ଅନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଧର୍ମାନୁଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା ଲାଗୁ କରିବା ପାଇଁ ତାଲିମ ଦେଉନାହାନ୍ତି । ଫଳରେ ଭକ୍ତମାନେ ଆର୍ଥିକ ରୂପେ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି । ଦକ୍ଷିଣ ଭାରତୀୟ ମନ୍ଦିରଗୁଡ଼ିକରେ ସେବାୟତମାନଙ୍କର ବ୍ୟବହାର ଦେଖିଲେ ଆମ ରାଜ୍ୟର ମନ୍ଦିର ସେବାୟତଙ୍କ ମନୋଭାବକୁ ଘୃଣାଜାତ ହୋଇଥାଏ । ଆନ୍ଧ୍ରପ୍ରଦେଶର ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁମାନେ ଯେତେବେଳେ ଠାକୁରଙ୍କ ଦର୍ଶନ କରି ଫେରନ୍ତି, ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ଭାବେ ୨ଟି ଲଡୁ ଦେଇଥାନ୍ତି । ମହାରାଷ୍ଟ୍ରର ଶିରିଡି ସାଈରେ ଭକ୍ତଙ୍କ ପାଇଁ ଯେପରି ବ୍ୟବସ୍ଥା କରାଯାଇଛି, ଓଡ଼ିଶାର ମନ୍ଦିର ପ୍ରଶାସନ ଓ ସେବାୟତମାନେ ସେଠାକୁ ଯାଇ କିଛି ଶିଖିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ମନ୍ଦିରଗୁଡ଼ିକରେ ବ୍ୟବସ୍ଥାର ପରିବର୍ତ୍ତନ ଦରକାର ଅଛି ।