ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ‘ଜବ୍ ରେଡିନେସ୍ ସ୍କିଲ୍’ ଶୀର୍ଷକ ଦୁଇଗୋଟି ଭର୍ଚୁଆଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୨୦ ବର୍ଷରୁ ୩୫ ବର୍ଷ ବୟସର ଶିକ୍ଷିତ ବେରୋଜଗାର ଯୁବକଯୁବତୀମାନେ ଜୁମ୍ ଆପ୍ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି। ଏଥିରେ ୪୧ ଜଣ ସଫଳ ଭାବେ ଅଂଶଗ୍ରହଣ କରିଥିଲେ।
ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ୯ଟି ପ୍ରମୁଖ ବିଷୟ ସେଲଫ୍ ଆସେସ୍ମେଣ୍ଟ ଆଣ୍ଡ ସିଲେକ୍ସନ୍ ଅଫ୍ ସୁଇଟେବୁଲ୍ ଜବ୍, ଉଦ୍ୟୋଗ ଉପରେ ସଚେତନତା, ଚାକିରି ଦକ୍ଷତା ପ୍ରସ୍ତୁତିରେ ବିକାଶ କୌଶଳ, ଇଣ୍ଟରନେଟ୍ ମାଧ୍ୟମରେ କର୍ମନିୟୋଜନର ଅନ୍ବେଷଣ, କର୍ମନିୟୋଜନ ସଂପର୍କୀୟ ସଫ୍ଟ ସ୍କିଲ୍ ଡେଭ୍ଲପ୍ମେଣ୍ଟ, ଇଣ୍ଟରଭ୍ୟୁ ନିମନ୍ତେ ପ୍ରସ୍ତୁତି, ଇଣ୍ଟରନେଟ୍ ଓ ମିଡିଆରେ ଚାକିରି ଖୋଜିବା ପ୍ରକ୍ରିୟା ଏବଂ ଚାକିରି ପ୍ରସ୍ତୁତି ନିମନ୍ତେ ଏଫ୍ଏକ୍ୟୁ ଆଦି ୯ଟି ପ୍ରମୁଖ ବିଷୟରେ ୫ ଜଣ ଅତିଥି ବକ୍ତା ଓ ଅନୁଷ୍ଠାନର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଜୁମ୍ ମାଧ୍ୟମରେ ଆଲୋଚନା କରିଥିଲେ।
ପ୍ରଶିକ୍ଷାର୍ଥୀମାନଙ୍କୁ ଦୁଇଟି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସମସ୍ତ ଶିକ୍ଷଣୀୟ ରିଡିଙ୍ଗ ମ୍ୟାଟେରିଆଲ୍, ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍, ଇ-ସାର୍ଟିଫିକେଟ୍ ପ୍ରଦାନ ସହିତ ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଅଗଷ୍ଟ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି। ସାଂପ୍ରତିକ କରୋନା ପରିସ୍ଥିତିରେ ଏହିଭଳି କାର୍ଯ୍ୟକ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଯୁବକଯୁବତୀମାନଙ୍କ ନିମନ୍ତେ ବେଶ୍ ଉପାଦେୟ ହେବ ବୋଲି ଏସ୍ସିଏସ୍ଟି ଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।