ଭୁବନେଶ୍ବର: ଆଜିକାଲିର ବାହାଘର ବଜାରର ସଉଦା ବୋଲି କିଛି ଲୋକ ଭାବୁଛନ୍ତି। ବିବାହରେ ପବିତ୍ରତା ରହୁନାହିଁ। ଅନେକ ଲୋକ ବିବାହକୁ ଟଙ୍କା ସହିତ ତୁଳନା କରୁଛନ୍ତି। ଗରିବ ପରିବାରର ଲୋକେ ମଧ୍ୟ ଋଣ ଆନି ବିବାହ ସମାରୋହରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଧନୀ ଶ୍ରେଣୀର ଲୋକେ ବଜେଟ କୋଟି ଟଙ୍କାରେ ପହଞ୍ଚାଉଛନ୍ତି। ସ୍ବାର୍ଥପରତା ଯୋଗୁଁ ବିବାହର ମୂଲ୍ୟ ନିରର୍ଥକ ହୋଇଯାଉଛି। ଅତ୍ୟାଧୁନିକ ଯୁଗରେ ବରପକ୍ଷ ଯୌତୁକ ଦାବି କରୁଛନ୍ତି। ଭୋଜି ସମୟରେ ମାଂସ ତରକାରୀ ପାଇଁ ବରଯାତ୍ରୀ ଗଣ୍ଡଗୋଳ କରୁଛନ୍ତି। ବିବାହ ସମୟରେ ଏବଂ ପରେ ବିଭିନ୍ନ କାରଣରୁ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଅତିକ୍ରମ କରୁନାହିଁ। ତେଣୁ ଅନେକ ବିବାହ ଭାଙ୍ଗି ଯାଉଛି। ବରଙ୍କୁ ଶିଶୁପାଳ ହୋଇ ରହିବାକୁ ପଡୁଛି।
ଚଳିତ ସପ୍ତାହରେ ରାଜ୍ୟରେ ୨ଟି ବିବାହକୁ ନେଇ ଗାଁରୁ ସହର ଯାଏଁ ଚର୍ଚ୍ଚା ହୋଇଛି। ଫୁଲବାଣୀର ତୁମୁଡ଼ିବନ୍ଧରେ ଗୋଟିଏ ଘଟଣା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟି ସମ୍ବଲପୁର ସହରରେ। ପ୍ରଥମ ଘଟଣାଟି ଯୌତୁକ ପାଇଁ ଦାମ୍ପତ୍ୟଜୀବନ ଭାଙ୍ଗିଯାଇଥିବା ବେଳେ ଦ୍ବିତୀୟ ଘଟଣା ମାଂସ ପାଇଁ ଝଗଡ଼ା ହେବାରୁ ବରକୁ ଶିଶୁପାଳ ହୋଇ ଫେରିଯିବାକୁ ପଡ଼ିଛି। ଉଭୟ ଅନ୍ୟ ଝିଅମାନଙ୍କୁ ନିଜ ସ୍ବାଭିମାନ ଓ ସମ୍ମାନ ସହିତ କଦାପି ସାଲିସ ନକରିବା ଏବଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବରକୁ ପ୍ରତ୍ୟାଖାନ କରିଥିବା ଦୁଇ ସାହସୀ ଝିଅଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।
ଶଙ୍ଖା-ଚୁଡ଼ି ଥୋଇ ଦେଲେ ଯୁବତୀ
ଦୁର୍ଗମ ଅଞ୍ଚଳରେ ଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସାରୁପାଟା ଗାଁର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲଙ୍କୁ ବିବାହ କରିଥିଲେ। ବିବାହ ପରେ ହସଖୁସିରେ ଶାଶୁ ଘର ଯାଇଥିଲେ। କିନ୍ତୁ ବିବାହର ୨୪ ଘଣ୍ଟା ନପୁରୁଣୁ ଶାଶୁ ଘରେ ଆରମ୍ଭ ହୋଇଯାଇଥିଲା ମାନସିକ ଯନ୍ତ୍ରଣା। ଯୌତୁକରେ ବାଇକ ଆଣିବାକୁ କୁହାଗଲା, ଯାହାକି ଦେବକୀଙ୍କୁ ବହୁ ବାଧିଥିଲା। ବାପା ଗରିବ ହୋଇଥିବାରୁ ଘରେ ବାଇକ ଯୌତୁକ ଦେବାକୁ ସମ୍ବଳ ନଥିଲା। ତେଣୁ ମଙ୍ଗଳସୂତ୍ର ସହ ଶଙ୍ଖା, ଚୁଡ଼ି ଖୋଲିଦେଇ ବାପଘରକୁ ଚାଲି ଯାଇଥିଲେ। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ମାଂସ ତରକାରୀ ଅଟକାଇଦେଲା ବିବାହ
ଗତ ୧୨ ତାରିଖ (ରବିବାର) ରାତିରେ ସମ୍ବଲପୁର ମହାନଗର ଅଂଚଳରେ ଏକ ପ୍ରତିଷ୍ଠିତ ବିବାହ ମଣ୍ଡପରେ ଏକ ବଡ଼ଲୋକଙ୍କର ବିବାହର ଆୟୋଜନ ହୋଇଥିଲା। ସୁନ୍ଦରଗଡ଼ରରୁ ବିବାହ କରିବାକୁ ଆସିଥିବା ଜଣେ ବ୍ୟାଙ୍କ ଅଧିକାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଯୁବତୀ ସଂଜ୍ଞା ସୁଚରିତା ବେହେରାଙ୍କ ବିବାହ ସ୍ଥିର ହୋଇଥିଲା। ଏହି ବିବାହରେ ମାଂସ ତରକାରୀକୁ ନେଇ ଏକ ଅଭାବନୀୟ ଘଟଣା ଘଟିଥିଲା। ବରଯାତ୍ରୀଙ୍କ ପାଇଁ ଖାସି ମାଂସ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବରଯାତ୍ରୀ ଦଳର ପ୍ରାୟ ସମସ୍ତେ ଖାଇ ସାରିଥିଲେ। ପଛରେ ଆସିଥିବା କେବଳ ୫/୬ ଜଣ ଖାଇବା ସମୟରେ ମାଂସ ନଥିଲା। ମାଂସ ପାଇଁ ସେମାନେ ଗଣ୍ଡଗୋଳ କରିଥିଲେ। ବାପାଙ୍କ ଠାରୁ ଆମପକ୍ଷରେ ସବୁ ଗୁରୁଜନମାନେ ସେମାନଙ୍କୁ ବୁଝାସୁଝା କରିଥିଲେ ବି ସେମାନେ କେହି ବୁଝିବା ଅବସ୍ଥାରେ ନଥିଲେ। ଏପରିକି ବରପାତ୍ର ମଧ୍ୟ ମାଂସ ପାଇଁ ଜିଦ୍ ଧରିଥିଲେ। ଏଥିରେ କନ୍ୟା ଉତ୍କ୍ଷୀପ୍ତ ହୋଇଥିଲେ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ହାତଗଣ୍ଠି ପଡ଼ିବା ପୂର୍ବରୁ ବାହାଘର ଭାଂଗି ଯାଇଥିଲା। ଆଉ ବ୍ୟାଙ୍କ ଅଧିକାରୀ ବରକୁ ଶିଶୁପାଳ ହୋଇ ଫେରିଯିବାକୁ ପଡ଼ିଥିଲା।
ବରଗଛରେ ବରକୁ ବାନ୍ଧିଲେ
ଭାରତୀୟ ବିବାହ ପରଂପରା ଅତି ଜଟିଳ। ହିନ୍ଦୁ ରୀତିନୀତିରେ ବିବାହ ଆହୁରି ସାଂଘାତିକ। ବର-କନ୍ୟା ଦେଖା ଆରମ୍ଭ ଠାରୁ ବିବାହ ସମାରୋହ ପର୍ଯ୍ୟନ୍ତ ପ୍ରବଳ ଖର୍ଚ୍ଚ କରିବାକୁ ପଡୁଛି। ଭୋଜିଭାତ ଓ ଯୌତୁକ ପାଇଁ କନ୍ୟାପକ୍ଷକୁ ଏକପ୍ରକାର ନିର୍ଯାତନା ଭୋଗିବାକୁ ପଡୁଛି। ଏହା କେବଳ ଓଡ଼ିଶାରେ ନୁହେଁ। ବରଂ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଅଧିକ। ଉତ୍ତରପ୍ରଦେଶ ଓ ବିହାରରେ ବିନା ଯୌତୁକରେ ବିବାହ ସମ୍ଭବ ନୁହେଁ। କିନ୍ତୁ ଗତ ୧୪ ତାରିଖ ଦିନ ଉତ୍ତରପ୍ରଦେଶର ପ୍ରତାପଗଡ଼ର ହରଖପୁର ଗାଁରେ ରହୁଥିବା ରାମ କିଶୋର ବର୍ମାଙ୍କ ଝିଅଙ୍କୁ ବିବାହ କରିବା ପାଇଁ ଜୌନପୁର ଅଞ୍ଚଳରୁ ଆସିଥିବା ରାମସିଂହ ବର୍ମାଙ୍କ ପୁଅ ଅମରଜିତ ବର୍ମା ଆସିଥିଲେ। ସନ୍ଧ୍ୟାରେ ଦ୍ୱାର ପୂଜାର ରୀତିନୀତି ସମ୍ପନ୍ନ ହୋଇଥିଲା। ପରେ ବରମାଲା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବର ଯୌତୁକ ମାଗିବାରୁ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଯୌତୁକ ମାଗିବାରୁ ବରକୁ ଗଛରେ ବାନ୍ଧି ପିଟିଲେ କନ୍ୟାପକ୍ଷ।