ଭୁବନେଶ୍ୱର: ମାଓବାଦୀଙ୍କ ଦୁର୍ଗ ଭୁଶୁଡୁଛି। ମାଓନେତାମାନେ ରୋଗରେ ପ୍ରାଣ ହରାଉଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏକାଧିକ ମାଓନେତା ଓ କ୍ୟାଡର ମାଓବାଦୀଙ୍କ ରୋଗରେ ମୃତ୍ୟୁ ହୋଇଛି। ମାଓ ସଂଗଠନ ସହିତ ଜଡ଼ିତ ସଦସ୍ୟଙ୍କ ମୃତ୍ୟୁ ହେବାର କାରଣ ହେଲା- ସେମାନଙ୍କୁ ଉଚିତ୍ ସମୟରେ ସ୍ୱାସ୍ଥ୍ୟ ସେବା ମିଳି ନପାରିବା। ମାଓ ସଦସ୍ୟମାନେ ଯେତେବେଳେ ଗୁରୁତର ରୋଗକୁ ସାମ୍ନା କରୁଛନ୍ତି, ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ସଂଗଠନ ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ଏହାର କାରଣ ହେଲା ମାଓ ଅଧ୍ୟୁଷିତ ଅଂଚଳରେ ପୁଲିସ ଓ ଯବାନ୍ମାନେ ଡେରା ପକାଇଛନ୍ତି।
ବିଶେଷ ଭାବରେ ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଏବଂ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ମାଓବାଦୀମାନେ ଅଧିକ ସକ୍ରିୟ ରହୁଛନ୍ତି। ସୁଯୋଗ ମିଳିଲେ ମାଓବାଦୀମାନେ ଗାଁ-ଗଣ୍ଡାରେ ଉତ୍ପାତ କରୁଛନ୍ତି। ନୀରିହ ଲୋକଙ୍କର ଜୀବନ ନେବା ସହିତ ଜନସାଧାରଣଙ୍କର ସଂପତ୍ତି ନଷ୍ଟ କରୁଛନ୍ତି। କିନ୍ତୁ ଯେତେବେଳେ ରୋଗରେ ପଡୁଛନ୍ତି, ସେତେବେଳେ ବଂଚିବେ କେମିତି। କାରଣ ଘଂଚ ଜଙ୍ଗଲରେ ସେମାନେ ତମ୍ବୁ ଭିତରେ ଜୀବନ ବିତାଇ ପାରିବା ସହଜ। କିନ୍ତୁ ରୋଗ ହେଲେ ଚିକିତ୍ସା ପାଇଁ ସେମାନେ ନିରୁତ୍ସାହିତ। ସାଧାରଣ ଜ୍ୱର, କାଶ, ମୁଣ୍ଡ ବୁଲାଇବା, ପେଟ କାଟିବା ଭଳି ଯନ୍ତ୍ରଣାକୁ ଘରୋଇ ଚିକିତ୍ସା ମାଧ୍ୟମରେ ଭଲ ହୋଇଯାଉଛନ୍ତି। ହେଲେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଯେତେବେଳେ ରୋଗର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ସେମାନେ ଉପାୟ ଶୂନ୍ୟ ହୋଇ ପଡୁଛନ୍ତି।
ଆର.କେଙ୍କ ଚିକିତ୍ସାରେ ଅବହେଳା
ଛତିଶଗଡ଼ର ବସ୍ତର ଜଙ୍ଗଲରେ ଅକ୍ଟୋବର ୧୪ ତାରିଖ ସକାଳୁ ଶୀର୍ଷ ସ୍ତରର ମାଓନେତା ଅକ୍କିରାଜ ହରଗୋପାଳ ଓରଫ୍ ଆର.କେ(ରାମକୃଷ୍ଣ)ଙ୍କ ମୃତ୍ୟୁ ହୋଇଛି। ହରଗୋପାଳଙ୍କର ମୃତ୍ୟୁର କାରଣ ହେଲା ଚିକିତ୍ସା ଅଭାବ। ମାଓନେତା ହରଗୋପାଳଙ୍କ ପତ୍ନୀ ସିରିଶା ଶୁକ୍ରବାର ନିଜେ ଏହା କହିଛନ୍ତି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାସ୍ଥିତ ନିଜର ପୈତୃକ ଗାଁରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସିରିଶା କହିଛନ୍ତି ଯେ, ହରଗୋପାଳଙ୍କୁ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିଲା। ତାଙ୍କ ସ୍ୱାମୀଙ୍କୁ ମାଓ ସଂଗଠନ ଚିକିତ୍ସା ସୁବିଧା ଦେଇ ପାରି ନଥିଲା। ମାଓବାଦୀ ଦମନ ପାଇଁ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ମାଓବାଦୀଙ୍କ ଉପରେ ସର୍ବଦା ନଜର ରଖିଛନ୍ତି। ତେଣୁ ତାଙ୍କ ସ୍ୱାମୀଙ୍କୁ କେମିତି ମିଳିପାରିଥାନ୍ତା? ହରଗୋପାଳଙ୍କୁ ଚିକିତ୍ସା ସୁବିଧା ଦେବା ପାଇଁ ମାଓବାଦୀ ସଂଗଠନ ବାହାରକୁ ଯାଇପାରି ନଥିଲେ। ଚାରିଆଡୁ ପୋଲିସ ଘେରି ରହିଥିଲା।
ଧ୍ୱଂସ ହେଉଛି ମାଓ ନେଟଓ୍ଵାର୍କ
ପଡୋଶୀ ଛତିଶଗଡ଼ ବସ୍ତର ଆଇଜି ସୁନ୍ଦର ରାଜ ପି କହିଛନ୍ତି, ୫ ରାଜ୍ୟରେ ମିଳିତ ଉଦ୍ୟମ ଯୋଗୁ ମାଓବାଦୀଙ୍କ ଯୋଗାଣ ନେଟଓର୍କ ଧ୍ୱଂସ ହେଉଛି। ଔଷଧ ଅଭାବରୁ ରାମକୃଷ୍ଣଙ୍କ ସମେତ ଅନ୍ୟ ମାଓ କ୍ୟାଡର ଯଥା ରାମାନ୍ନା, ବିନୋଦ ଓ ହରିଭୁଷଣଙ୍କ ସମେତ ଅନ୍ୟ ମାଓନେତାଙ୍କର ମୃତ୍ୟୁ ଘଟିଛି। ଜୋନାଲ କମିଟି ସଦସ୍ୟ ସୋବରାଏ ଓ ଗଂଗା ମଧ୍ୟ ଅତୀତରେ ଔଷଧ ଅଭାବ ଯୋଗୁ ପ୍ରାଣ ହରାଇଥିଲେ।
କିଡ୍ନି ବିଫଳ ଯୋଗୁଁ ହରଗୋପାଳଙ୍କ ମୃତ୍ୟୁ
ମାଓବାଦୀ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ କହିଛନ୍ତି, କେନ୍ଦ୍ରୀୟ କମିଟି ସଦସ୍ୟ ଅକିରାଜୁ ହରଗୋପାଲ (ଛଦ୍ମନାମ ରାମକୃଷ୍ଣ ଆର.କେ)ଙ୍କର କିଡନି ଫେଲ୍ ହେତୁ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେଲୁଗୁ ଭାଷାରେ ଜାରି କରିଥିବା ଏକ ପ୍ରେସ୍ ବାର୍ତ୍ତା ରେ ସେ କହିଛନ୍ତି ଯେ, ହରଗୋପାଳଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଇଥିଲା। ତାଙ୍କୁ ବଂଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇପାରି ନଥିଲା। ଶେଷରେ ହରଗୋପାଳଙ୍କ ଅକ୍ଟୋବର ୧୪ ତାରିଖରେ ସକାଳ ୬ଟାରେ ଏହି ମୃତ୍ୟୁ ହୋଇଥିଲା।