ଭୁବନେଶ୍ବର: ଭାରତୀୟ ରେଳବାଇ ୧୭୭ ବର୍ଷ ହେବ ଦେଶର ଜନତାଙ୍କ ପାଇଁ ଜୀବନରେଖା ପାଲଟିଛି। ୧୮୪୫ ମସିହା ମେ’ ମାସ ୮ ତାରିଖରୁ ନିରବଚ୍ଚିନ୍ନ ଭାବେ ଗତି କରୁଛି। କିନ୍ତୁ ୨୦୨୨ ମାର୍ଚ୍ଚ ମାସ ୨୫ ତାରିଖ ଠାରୁ କିଛି ମାସ ପାଇଁ ରେଳର ଚକା ବନ୍ଦ ହୋଇଯାଇଥିଲା। ଏହାର କାରଣ ଥିଲା କରୋନା। ଯାତ୍ରୀମାନଙ୍କୁ ନେବା ସହିତ ଭାରତୀୟ ରେଳ ଜିନିଷପତ୍ର ଓ ପାର୍ସଲ ପରିବହନ କରୁଛି। ସେହିପରି ଯାତ୍ରୀମାନଙ୍କୁ କ୍ୟାଟରିଂ ଓ ଖାଦ୍ୟ ସାମଗ୍ରୀ ସେବା ମଧ୍ୟ ଯୋଗାଉଛି। ଲୋକଙ୍କର ଯାତ୍ରା ସମୟକୁ ହ୍ରାସ କରିବା ସହିତ ଖର୍ଚ୍ଚ ମଧ୍ୟ କମ କରିଦେଉଛି। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ରେଳବାଇର ୨୦୨୧-୨୨ରେ ୧୯୬,୧୨୮ କୋଟି ଟଙ୍କା ରାଜସ୍ବ ଆସିଥିଲା। ଏଥିରୁ ନେଟ୍ ଆୟ ୩୪,୫୯୯ କୋଟି ଟଙ୍କା ଥିଲା। ଭାରତୀୟ ରେଳରେ ୧୨.୩୪ ଲକ୍ଷ କର୍ମଚାରୀ ଥିବା ବେଳେ ଏହାକୁ ୧୮ଟି ଜୋନ୍ରେ ଭାଗ କରାଯାଇଛି।
ଭାରତୀୟ ରେଳବାଇ ଯୋଗୁଁ କୋଟି କୋଟି ଲୋକ ଉପକୃତ ହେଉଥିବା ବେଳେ ଏଥିରେ କିଛି ଲୋକ ଅରାଜକତା ମଧ୍ୟ କରୁଛନ୍ତି। ରେଳ ଯଦିଓ ସରକାରୀ ସଂପତ୍ତି ଓ ଏହାର ରକ୍ଷଣାବେକ୍ଷଣ ସମସ୍ତଙ୍କର ଦାୟିତ୍ବ, ଏକଥା ଜାଣିଥିଲେ ମଧ୍ୟ ସମାଜର କିଛି ଲୋକ ଅଛନ୍ତି, ଯେଉଁମାନେ କି ଅସାମାଜିକ ଗତିବିଧି କାର୍ଯ୍ୟକଳାପ କରିଥାନ୍ତି। ତେବେ ସଂରକ୍ଷିତ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନେ ଭଲଭାବରେ ଯାତ୍ରା କରୁଥିବା ବେଳେ ସାଧାରଣ ପାସେଞ୍ଜର ଟ୍ରେନ୍ରେ ଦୁର୍ବୃତ୍ତଙ୍କ ଗତିବିଧି ମଧ୍ୟ ଦେଖାଯାଉଛି। ତେବେ ପାସେଞ୍ଜର ଟ୍ରେନ୍ରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁର୍ବୃତ୍ତମାନଙ୍କର ରାଜ୍ ଦେଖିବାକୁ ମିଳିଥାଏ।
ଟ୍ରେନ୍ ଯାତ୍ରାରେ ଅସାମାଜିକ ତତ୍ତ୍ବ
ଭାରତୀୟ ରେଳର ଉତ୍ତର ଓ ଉତ୍ତର-ପୂର୍ବ ଜୋନ୍ଗୁଡ଼ିକରେ ଦୁର୍ବୃତ୍ତଙ୍କ ଗତିବିଧି ଅଧିକ ଦେଖାଯାଇଥାଏ। ଉତ୍ତର ପ୍ରଦେଶ ଓ ବିହାରରେ ଆଦୌ ଟ୍ରେନ୍ ଟିକଟେ କରି ନଥିବା ଲୋକେ ମଧ୍ୟ ଅବାଧ୍ୟରେ ଟ୍ରେନ୍ ଯାତ୍ରା କରିଥାନ୍ତି। ସେମାନେ ଟ୍ରେନ୍ରେ ଯାତ୍ରୀମାନଙ୍କୁ ଧମକ ଦେଇ ହଙ୍ଗାମା କରିବାକୁ ପଛାଇ ନ ଥାନ୍ତି। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଯାତ୍ରୀମାନଙ୍କୁ ଅଧିକ ହଇରାଣ ହେବାକୁ ପଡ଼ିଥାଏ। ଦକ୍ଷିଣ ଭାରତରେ ଯାତ୍ରୀମାନେ ସଚେତନ ଥିବାରୁ ଟ୍ରେନ୍ରେ ଶୃଙ୍ଖଳିତ ଗତିବିଧି ଦେଖିବାକୁ ମିଳିଥାଏ। ଭାରତୀୟ ରେଳରେ ଅନାଧିକୃତ ପ୍ରବେଶ ଯୋଗୁଁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଥାଏ। ବିନା ଅନୁମତିରେ ବ୍ୟବସାୟୀମାନେ ପ୍ରବେଶ କରିଥାନ୍ତି । ସେହିପରି ଟ୍ରେନ୍ ଭିତରକୁ ଭିକାରୀ, କିନ୍ନର ଓ ଅସହାୟ ଲୋକଙ୍କର ପ୍ରବେଶ ଯାତ୍ରୀମାନଙ୍କୁ ବ୍ୟଥିତ କରିପକାଇଥାଏ।
ଟ୍ରେନ୍ରେ ବୁଲିଲା ଷଣ୍ଢ
ନିକଟରେ ଝାଡ଼ଖଣ୍ଡରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। କିଛି ଅସାମାଜିକ ଲୋକ ଟ୍ରେନ୍ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଏକ ବୁଲା ଷଣ୍ଢକୁ ଆଣି ଟ୍ରେନ୍ ଭିତରେ ବାନ୍ଧି ଦେଇଥିଲେ। ଯାତ୍ରୀମାନେ ସବୁ ଦେଖୁଥିଲେ ମଧ୍ୟ ବିରୋଧ କରିପାରି ନଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରେନ୍ରେ ଷଣ୍ଢ ଥିବା ଏହି ଫଟୋ ବା ଭିଡିଓ ଦେଖିଲେ ନିଶ୍ଚିତ ଭାବେ ଯେକୌଣସି ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ବୁଦ୍ଧିଜୀବୀମାନଙ୍କୁ ବିଚଳିତ ଅଥବା ବ୍ୟଥିତ କରିବ। ଝାଡ଼ଖଣ୍ଡର ସାହିବଗଂଜରୁ ଜାମଲପୁର (ବିହାର) ମଧ୍ୟ ଚାଲୁଥିବା ଡିଏମ୍ୟୁ ପାସେଞ୍ଜର ଟ୍ରେନରେ ଏକ ଷଣ୍ଢ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା।