Tuesday, September 17, 2024
Homeଭିତ୍ତିଭୂମି କେତେ ମଜବୁତ୍? ଭୁଶୁଡୁଛି ପାଚେରି
Array

ଭିତ୍ତିଭୂମି କେତେ ମଜବୁତ୍? ଭୁଶୁଡୁଛି ପାଚେରି

ଭୁବନେଶ୍ବର: ଓଡ଼ିଶା ଦ୍ରୁତଗତିରେ ବିକଶିତ ହେଉଛି। ଏଠାରେ ଅନ୍ତର୍ଜାତୀୟସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେଉଛି। ଦିଲ୍ଲୀ, ମୁମ୍ବାଇ ଭଳି ନିର୍ମାଣ କାମ ଚାଲିଛି। ରାଜ୍ୟକୁ ସାରା ଦେଶ ମଡେଲ ଭାବେ ଗ୍ରହଣ କରୁଛି। ଏମିତି କେତେ ବାହାଦୂରୀଆ କଥା କହୁଛନ୍ତି ଦୀର୍ଘ ୨୩ ବର୍ଷ ହେବ ଶାସନ ଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କ୍ଷୋଭର ବିଷୟ ହେଲା ଯେ, ବିଗତ କିଛି ଦିନ ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଭୁଶୁଡ଼ି ପଡ଼ିଥିବା ପାଚେରି ରାଜ୍ୟ ସରକାରଙ୍କ ମଜବୁତ ଭିତ୍ତିଭୂମିର କେତେ ଶକ୍ତିଶାଳୀ, ତାହା ସୂଚାଉଛି।

ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ପାଚେରି ଭୁଶୁଡ଼ିବାରେ ଲାଗିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ତୃଣମୂଳ ସ୍ତରରେ ନିୟୋଜିତ କର୍ମୀମାନେ ଏହି ନିର୍ମାଣ କାମର ଦାୟିତ୍ବ ନେଉଥିବାରୁ ଭିତ୍ତିଭୂମି ମଜବୁତ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି। ଗତ ୯ ତାରିଖ ଦିନ ସକାଳୁ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୦ ମିଟର ବିଶିଷ୍ଟ ପାଚେରୀ ଭୁଶୁଡ଼ି ପଡ଼ିଛି। ନିମ୍ନମାନର କାମ ସହ ବାଲି ଓ ସିମେଣ୍ଟର ଭାଗମାପ ଠିକ୍ ହେଉ ନଥିବାରୁ ଏଭଳି ହୋଇଥିବା ଅଭିଯୋଗ। ୧୧୦ ମିଟର ପର୍ଯ୍ୟନ୍ତ ପାଚେରି ଛିଡ଼ା ହେଉଥିଲେ ମଧ୍ୟ ମଝିରେ କୌଣସି ବିମ୍ ଦିଆଯାଇନଥିଲା। ଏହି ପାଚେରୀ ପୁରୁଣା ନଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିବା ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କିଛି ମାସ ପୂର୍ବରୁ ଏହି ପାଚେରି ନିର୍ମାଣ ହୋଇଥିଲା। ପୁରୁଣା ପାଚେରି ଉପରେ ଫ୍ଲାଏ-ଆସ୍ ଇଟା ଥୋଇ ପାଚେରି ଉଚ୍ଚତାକୁ ୧୦ ଫୁଟ୍ ବଢ଼ାଇ ଦିଆଯାଇଥିଲା। ନିମ୍ନମାନର କାମକୁ ନେଇ ଏବେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଠିକା ସଂସ୍ଥା ଓ ଠିକାଦାରଙ୍କୁ ସ୍ଥାନୀୟ କର୍ପୋରେଟର ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

ନେତାଙ୍କ ପ୍ରତିକ୍ରିୟା

ପାଚେରି ଭୁଶୁଡ଼ିବାକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଥିଲେ ଯେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୩ ମାସ ତଳେ ଏନେଇ ସ୍ମାର୍ଟସିଟିକୁ ଏକ ଚିଠି ଲେଖିଥିଲେ। ୱାଟକୋର ଏକ ପାଇପ୍ ଲାଇନ୍ ଲିକ୍ ହେଉଥିବା ନଜରକୁ ଆସିବା କ୍ଷଣି ତା’ ପର ଦିନ ହିଁ ମରାମତି କାମ କରାଯାଇଥିଲା। ପାଣି ସୋକିଙ୍ଗ୍ ଲାଗି ପାଚେରି ଭୁଶୁଡ଼ିବା କଥା ମିଛ। ଏହି ପାଚେରି ପୁରୁଣା ହୋଇଯାଇଥିଲା। ଅନ୍ୟପଟରେ ବିଜେପି କହିଛି ପାଚେରି ତିଆରି ହେବାର ୨ ମାସ ଭିତରେ ଭୁଶୁଡ଼ି ପଡ଼ିଲା। ଏଥିରୁ ୫-ଟି କାମ କେମିତି ହେଉଛି ତାହା ସ୍ପଷ୍ଟ ହେଉଛି। ପୁରୁଣା ପାଚେରିର ମୂଳଦୁଆ ଉପରେ ନୂଆ ପାଚେରି ଛିଡ଼ା କରାଇଥିଲେ। ଅତ୍ୟନ୍ତ ନିମ୍ନମାନର କାମ ହୋଇଛି। ରାଜଧାନୀରେ ଯଦି ବିକାଶର ନମୁନା ଏମିତି, ତା’ହେଲେ ରାଜ୍ୟରେ କେମିତି ବିକାଶ ଚାଲିଛି ବୋଲି ବିଜେପି ନେତାମାନେ କହିଥିଲେ।

ପାଚେରି ଭୁଶୁଡ଼ି ୨ ମୃତ

ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପାଚେରି ଭୁଶୁଡି ପଡିବାରୁ ବଡଭାଇର ମୃତ୍ୟୁ ହୋଇଥିଲା। ସାନ ଭାଇ ଗୁରୁତର ହୋଇଥିଲେ। ଗତ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଏହି ଅଘଟଣ ଘଟିଥିଲା। କୈଳାସ ଜେନା (୩୫)ଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କର  ସାନ ଭାଇ ସୁରେଶ ଜେନାଙ୍କୁ ରାଉରକେଲା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ କୋରାପୁଟ ସହରରେ ପ୍ରବଳ ବର୍ଷା ହେବାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପାଚେରୀ ଭାଙ୍ଗି ଯିବାରୁ ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଥିଲା। ହୋଟେଲ ବ୍ୟବସାୟୀ ହୋଇଥିବାବେଳେ ସେ ସେହି ବାଟ ଦେଇ ଗଲାବେଳେ ତାଙ୍କ ଉପରେ ପାଚେରି ପଡିଯିବାରୁ ସେ ଗୁରୁତର ହୋଇଥିଲେ। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଯାଥିଲା।  

ଭୁଶୁଡ଼ିଲା ଖେଳ ପଡ଼ିଆର ଗ୍ୟାଲେରି

ଓଡ଼ିଶା ୮୭ତମ ଉତ୍କଳ ଦିବସ ପାଳନ କରୁଥିବା ବେଳେ କଟକ ଜିଲ୍ଲାର ବାଙ୍କୀ କଲେଜର ଖେଳ ପଡ଼ିଆରେ ଏକ ଦର୍ଶକ ଗ୍ୟାଲେରି ଭୁଶୁଡ଼ି ପଡ଼ିଥିଲା। ଏହି ଗ୍ୟାଲେରି ନିର୍ମାଣ ହେବାକୁ ୧୩ ବର୍ଷ ଲାଗିଥିବା ବେଳେ ଖୋଦ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏହାକୁ ଲୋକାର୍ପିତ କରିଥିଲେ। କିନ୍ତୁ ଉଦ୍ଘାଟନ ହେବାର ସପ୍ତାହେ ପରେ ବର୍ଷାରେ ଭୁଶୁଡ଼ି ଗଲା। ଖେଳ ପଡ଼ିଆରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ନିମନ୍ତେ ୨୦୧୧ ମସିହାରେ ଅନୁମତି ମିଳିଥିଲା। ୪୦ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମିତ ଗ୍ୟାଲେରି ମାତ୍ର ୧୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ତେଣୁ ଗତ ମାର୍ଚ୍ଚ ୨୩ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବାଙ୍କୀ ଗସ୍ତରେ ଆସିଥିବା ବେଳେ ତରବରିଆ ଭାବେ ଉକ୍ତ ଦର୍ଶକ ଗ୍ୟାଲେରୀର ସମ୍ମୁଖ ଭାଗୁ ଚକାଚକ କରାଯାଇଥିଲା। ଆଉ ସେହିଦିନ ମନ୍ତ୍ରୀ ଗ୍ୟାଲେରୀଟିକୁ ଉଦଘାଟନ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments