Wednesday, December 4, 2024
Homeଭୁବନେଶ୍ବରରେ ବୃହତ୍ ଜେଲ୍
Array

ଭୁବନେଶ୍ବରରେ ବୃହତ୍ ଜେଲ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। ଅପରାଧୀଙ୍କ ପାଇଁ ଜେଲରେ ସ୍ଥାନର ଅଭାବ ଦେଖାଯାଉଛି। ଜେଲରେ ଆବଶ୍ୟକ କଏଦୀଙ୍କ ତୁଳନାରେ ଅଧିକ ସଂଖ୍ୟା ରହୁଥିବାରୁ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଜେଲରୁ କଏଦୀ ଫେରାର ହୋଇଯିବା, ଜେଲ ପରିସର ଭିତରୁ ବିଚାରାଧୀନ କଏଦୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଘଟଣାର ଖବର ସହିତ ଓଡ଼ିଶାବାସୀ ଅବଗତ ଅଛନ୍ତି। ଏସବୁ ମଧ୍ୟରେ ରାଜ୍ୟ ସରକାର ଜେଲକୁ ବିଳାସମୟ କରିବାକୁ ପଦକ୍ଷେପ ନେଉଛନ୍ତି।

ରାଜ୍ୟ ସରକାର ଆସନ୍ତା ୨ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଅତ୍ୟାଧୁନିକ ସୁବିଧା ଥିଲା ପରି ଏକ ବୃହତ କାରାଗାର ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏଥି ପାଇଁ ରୂପରେଖ ପ୍ରସ୍ତୁତ ହୋଇଯାଇଛି। ରାଜଧାନୀର ଝାରପଡ଼ା ଜେଲକୁ ସ୍ଥାନାନ୍ତରିତ କରି ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍ ଜେଲ ନିର୍ମାଣ କରିବେ। ଝାରପଡ଼ା ଜେଲ୍ ସେଠାକୁ ସ୍ଥାନାନ୍ତରିତ ହେବା ଫଳରେ ୨୫୦୦ କଏଦୀ ରହିପାରିବେ। ଅର୍ଥାତ ଅଧିକ ୧୩୦୦ କଏଦୀ ରହିପାରିବେ। ଏହି ଜେଲ୍ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ ବୋଲି ସରକାର ଯୋଜନା କରିଛନ୍ତି। ୫୦ ଏକର୍ ଜମିରେ ଏହି ଜେଲ୍ ନିର୍ମାଣ ହେବ।

ଅତ୍ୟାଧୁନିକ ସୁବିଧା

ଜାମୁଝରିରେ ରାଜ୍ୟର ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ଗ୍ରୀନ୍ ଜେଲ 0 କାର୍ବନ ଏମିଶନ ଓ ସ୍ମାର୍ଟ ଜେଲ ହେବ। ଜେଲ୍ ଭିତରେ ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରି, ଜିମ୍, ବେକରି ଇଉନିଟ, ଫୁଡ଼ ପ୍ରୋସେସିଂ ୟୁନିଟ, ମହିଳା କଏଦୀଙ୍କ ପାଇଁ ବଡ଼ ଜାଗା ଇତ୍ୟାଦି ରହିବ। ଝାରପଡା ଜେଲରେ ଆବଶ୍ୟକତା ଠାରୁ ଅଧିକ କଏଦୀ ରହୁଛନ୍ତି। ତେଣୁ ସ୍ଥାନ ଅଭାବରୁ ଏଠାରେ ଆଉ ଏକ୍ସପାଣ୍ଡ କରିହେଉନାହିଁ। ସୁରକ୍ଷା ଦୃଷ୍ଟି କୋଣରୁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହୁଛି। ସେହି କାରଣରୁ ଏହି ନୂତନ ଜେଲ ନିର୍ମାଣ ହେବ। ନୂତନ ଜେଲ ନିର୍ମାଣ ପାଇଁ ଜେଲ ବିଭାଗ ପ୍ରସ୍ତାବ ଦେଇଥିଲା ବୋଲି ଜେଲ୍ ଡିଜି ମନୋଜ ଛାବ୍ରା ଗଣମାଧ୍ୟମକୁ କହିଛନ୍ତି।

ଆହୁରି ବଢ଼ିବ କି ଅପରାଧ

ଜାମୁଝରି ଠାରେ ବୃହତ୍ ଜେଲ ନିର୍ମାଣ କରିବାର ଅର୍ଥ ରାଜ୍ୟ ପାଇଁ ଥିବା ଆବଶ୍ୟକତାକୁ ପୂରଣ କରିବା। ଝାରପଡ଼ାରେ ୧୨୦୦ କଏଦୀ ରହିପାରୁଥିବା ବେଳେ ଜାମୁଝରିରେ ୨୫୦୦ କଏଦୀଙ୍କୁ ରଖାଯାଇପାରିବ। ରାଜ୍ୟ ସରକାର ଚିନ୍ତା କରିଛନ୍ତି ଯେ, ଆଗାମୀ ଦିନରେ ଅଧିକ ଅପରାଧ ହେବ। ଅପରାଧୀ ସଂଖ୍ୟା ବଢ଼ିବ। ଏଥିପାଇଁ ଅଭିଯୁକ୍ତମାନଙ୍କୁ ଜେଲରେ ରଖିବା ପାଇଁ ବଡ଼ ପରିସରର ଆବଶ୍ୟକତା ହେବ। ଦୀର୍ଘ ୨୩ ବର୍ଷ ଧରି ଗୋଟିଏ ଦଳ ରାଜ୍ୟକୁ ଶାସନ କରିବା ପରେ ରାଜ୍ୟରୁ ଅସୁବିଧା ଦୂର ହୋଇପାରିଲା ନାହିଁ। ଲୋକେ ନାନା ଅସୁବିଧାରେ ଥିବାରୁ ହିଂସା, ଅପରାଧ ଘଟୁଛି। ଫଳରେ ଅଭିଯୁକ୍ତମାନଙ୍କୁ ଜେଲ୍ ଯିବାକୁ ପଡୁଛି। ନବୀନ ସରକାର ରାଜ୍ୟରୁ ଅପରାଧ ମାତ୍ରା ହ୍ରାସ କରିବା ପାଇଁ ପଦକ୍ଷେପ ନେବା ବଦଳରେ ଅଭିଯୁକ୍ତମାନଙ୍କ ପାଇଁ ବୃହତ୍ ଜେଲର ପରିକଳ୍ପନା କରୁଛନ୍ତି। ଏହା କ୍ଷୋଭର ବିଷୟ।

ଓଡ଼ିଶାରେ ବଢ଼ିଛି ଅପରାଧ

ଜାତୀୟ ଅପରାଧ ନଥିସଂସ୍ଥା(ଏନ୍ସିଆର୍ବି) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ଅଧିକ ୨୧ହଜାର ୧୯୦ ମାମଲା ରୁଜୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବୃଦ୍ଧି ପାଇଥିବା ମାମଲା ମଧ୍ୟରେ କେବଳ ମହିଳା ବିରୋଧୀ ଅପରାଧ (୨୭.୬% ବଢ଼ିଛି) ରହିଛି। ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲ କରିବାରେ ବି ଓଡ଼ିଶା ପଛରେ ଅଛି। ୨୦୨୦ରେ ପ୍ରାୟ ୮୨ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ୨୦୨୧ରେ ଏହା ୮୦ ପ୍ରତିଶତକୁ ଖସି ଆସିଛି। ଏନ୍ସିଆର୍ବି ରିପୋର୍ଟ ଅନୁସାରେ, ୨୦୨୧ରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪ଶହ ୨୦ଟି ମାମଲା ରୁଜୁ ହୋଇଛି। ଏ କ୍ଷେତ୍ରରେ ତାମିଲନାଡ଼ୁ ତାଲିକାର ଶୀର୍ଷରେ (୭ଲକ୍ଷ ୫୬ହଜାର ୭୫୩ ମାମଲା) ଥିବା ବେଳେ ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, କେରଳ ଭଳି ରାଜ୍ୟ ରହିଛନ୍ତି। ତେବେ ତାଲିକାରେ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି।  

ଜେଲ ଭିତର କଥା

ଜେଲ ଭିତରେ କଣ ଚାଲିଥାଏ ଏବାବଦରେ ସମସ୍ତେ ଜାଣିବାକୁ ଚାହିଁଥାନ୍ତି। କିନ୍ତୁ ଜେଲ ଭିତରର ଭିତିରି କଥା ସହଜରେ ପଦାକୁ ଆସି ନଥାଏ। ଜେଲରେ କଏଦୀଙ୍କ ପାଇଁ ଫ୍ୟାନ ଓ ଟିଭିର ବ୍ୟବସ୍ଥା ରହିଛି। ସନ୍ଧ୍ୟା ୬ଟା ସୁଦ୍ଧା କଏଦୀଙ୍କୁ ଖାଇବା ଦିଆଯାଏ । ବନ୍ଦୀମାନଙ୍କ ଭିତରେ ନିର୍ବାଚନ  ମଧ୍ୟ ହୁଏ । କାମ କରୁଥିବା ଏକଦୀଙ୍କୁ ପାଉଣା ମଧ୍ୟ ମିଳିଥାଏ। କେବଳ ଏତିକି ନୁହେଁ ଜେଲରେ କଏଦୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଟେଣ୍ଡର ଫିକ୍ସିଂ  ହୋଇଥାଏ ବୋଲି ଚର୍ଚ୍ଚା ହୋଇଥାଏ। ଗତ କିଛି ବର୍ଷ ଭିତରେ ବହୁ ସଂସ୍କାର ଆସିଥିଲେ ବି ଜେଲର ଅବ୍ୟବସ୍ଥାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଏପରିକି କଏଦୀଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୁଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments