ଭୁବନେଶ୍ୱର: ଦେଶରେ ଖାଦ୍ୟ ନପାଇ ପ୍ରତି ବର୍ଷ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ଖାଦ୍ୟର ଅଭାବରେ ଗରିବ ପରିବାରରେ ଝଗଡ଼ା ହେଉଥିବା ପରିଲକ୍ଷିତ ହେଉଛି । କରୋନା ସଂକ୍ରମଣ ସମୟରେ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଅଧିକ ବଢ଼ିଯାଇଛି । ପନିପରିବା ଦର ଆକାଶ ଛୁଆଁ ହୋଇଛି । ଅନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବଢ଼ିଛି । ଲକ୍ଡାଉନ୍ ସମୟରେ ଗ୍ରାହକଙ୍କୁ ଖାଦ୍ୟ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ରାସ୍ତାକଡ଼ର ଥିବା ଭିକାରୀ ଓ ଅସହାୟମାନଙ୍କୁ ଖାଦ୍ୟ ମିଳୁ ନଥିବା ବେଳେ ପ୍ରଶାସନ ବିବାହ ସ୍ଥାନରେ ହଜାର ହଜାର ଲୋକଙ୍କର ପାଇଁ ରନ୍ଧା ଯାଇଥିବା ଖାଦ୍ୟ ନଷ୍ଟ କରୁଛି । ଫଳରେ ଲୋକଙ୍କୁ ଉପସାରେ ରହିବାକୁ ପଡୁଛି ।
ଗଣମାଧ୍ୟମର ଖବରରୁ ଜଣାଯାଉଛି ଯେ, ଅସହାୟ ଓ ପରିତ୍ୟକ୍ତ ମଣିଷ ଡଷ୍ଟବିନ୍ରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି । ଭୁବନେଶ୍ୱରରେ ଏମାନଙ୍କର ପାଇଁ ଆହାର କେନ୍ଦ୍ର ହିଁ ଭରସା ପାଲଟିଛି । ବୁଲା ପଶୁମାନେ ଖାଦ୍ୟ ପାଉ ନାହାନ୍ତି । ଲକଡାଉନ୍ରେ ହୋଟେଲ, ରେଷ୍ଟୁରାଣ୍ଟ, ରାସ୍ତାକଡ଼ର ଠେଲାଗାଡ଼ି ବନ୍ଦ ଥିବାରୁ ପଶୁମାନଙ୍କୁ ଖାଇବାକୁ ମିଳୁନାହିଁ । ରାଜ୍ୟ ସରକାର ସେଥିପାଇଁ ସହରାଂଚଳର ବୁଲା ପଶୁଙ୍କ ପାଇଁ ପ୍ରଦିଦିନ ଖାଦ୍ୟ ଦେଉଛନ୍ତି । ଲକ୍ଡାଉନ୍ ସମୟରେ ଖାଦ୍ୟର ଘୋର ଅଭାବ ଦେଖାଯାଉଥିବା ବେଳେ ବିବାହ ଭୋଜିରେ ଫିଙ୍ଗା ଯାଉଥିବା ଖାଦ୍ୟକୁ ନେଇ ବୁଦ୍ଧିଜୀବୀମାନେ ଭିନ୍ନ ମତ ଦିଅନ୍ତି ।
ଲକ୍ଡାଉନ୍ ନିୟମ ଉଲ୍ଲଂଘନ
ଲକ୍ଡାଉନ୍ ସମୟରେ ବିବାହ କାର୍ଯ୍ୟକ୍ରମରେ ୫୦ ଜଣଙ୍କର ପାଇଁ ଭୋଜି ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡଲାଇନ୍ରେ ଦର୍ଶାଯାଇଛି । କିନ୍ତୁ କିଛି ଅମାନିଆ ବିବାହରେ ଅଣ କୋଭିଡ-୧୯ ପରିସ୍ଥିତି ଭଳି ଭୋଜିର ଆୟୋଜନ କରୁଛନ୍ତି । ଯେଉଁଠରେ ପ୍ରଶାସନ ସୂଚନା ପାଉଛି, ସେଠାରେ ଅତର୍କିତ ଭାବେ ଚଢ଼ାଉ କରୁଛି । ଅନେକ ସ୍ଥାନରେ ଖାଦ୍ୟକୁ ପ୍ରଶାସନ ନଷ୍ଟ କରୁଥିବା ବେଳେ ଆଉ କିଛି ସ୍ଥାନରେ ଆୟୋଜକଙ୍କ ଠାରୁ ଜରିମାନା ଆଦାୟ କରୁଛି । ଯେଉଁଠାରେ ଖାଦ୍ୟ ନଷ୍ଟ କରାଯାଉଛି, ତାହା ଅସହାୟ, ଗରିବ ଓ ପଶୁମାନଙ୍କୁ ଦିଆଗଲେ ଭଲ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ।
ଫୋପଡ଼ା ଗଲା ୨୦୦୦ ଲୋକଙ୍କ ଖାଦ୍ୟ
ଗଂଜାମ ଜିଲ୍ଲା ନୂଆପଲ୍ଲୀ ଗାଁରେ ଦୟା ବିଶୋଇଙ୍କର ପୁଅ ନୀଳକଣ୍ଠଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଗତ ୧୨ ତାରିଖରେ ଦୟାଙ୍କ ଘରେ ପ୍ରାୟ ୨୦୦୦ ଲୋକଙ୍କ ପାଇଁ ଭୋଜିଭାତ ରନ୍ଧାଯାଇଥିଲା । ଭାତ, ଡାଲି, ତରକାରୀ, ଚିକେନ ଓ ଖଟା ଆଦି ପ୍ରସ୍ତୁତି ହୋଇଥିଲା । ଲୋକଙ୍କୁ ଭୋଜି ପରଶାଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା । କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ଭୋଜିକୁ ଫୋପାଡ଼ି ଦେଇଥିଲା । ଖାଦ୍ୟ ନଫୋପାଡ଼ିବା ପାଇଁ ଜଣେ ବୁଢ଼ୀ ମା’ ବହୁ ନେହୁରା ହେଲେ, କିନ୍ତୁ ସରକାରୀ ବାବୁମାନେ ବୁଢ଼ୀ ମାଙ୍କ କଥା ଶୁଣିଲେ ନାହିଁ । ବରଂ ନିମିଷକ ମଧ୍ୟରେ ଖାଦ୍ୟ ମାଟିରେ ମିଶିଗଲା । ପ୍ରାୟ ୨ ଲକ୍ଷରୁ ଅଧିକ ମୂଲ୍ୟର ଖାଦ୍ୟ ନଷ୍ଟ ହୋଇଗଲା । ଏହି ଖାଦ୍ୟକୁ ଯଦି କୌଣସି ସଂସ୍ଥା ମାଧ୍ୟମରେ ଗରିବ, ଅସହାୟ, ବୁଲା ପଶୁ, ଜେଲର କଏଦୀ, ଅନାଥାଶ୍ରମରେ ବଣ୍ଟି ଦିଆଯାଇଥାନ୍ତା, ତା’ହେଲେ ପ୍ରଶାସନକୁ ଲୋକେ ସାବାସ କହିଥାନ୍ତେ ।
ପ୍ରଶାସନ-ପୋଲସିକୁ ସବୁ ଜଣା!
ପ୍ରଶାସନିକ ଅଧିକାରୀମାନେ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ । ଗଂଜାମ ଜିଲ୍ଲା ପୋଲସରା ପୋଲିସ ମଧ୍ୟ ଗତ ୧୨ ତାରିଖରେ ୨ଟି ଭୋଜି ସ୍ଥାନରେ ଚଢ଼ାଉ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା । ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ କହିବା ଅନୁସାରେ ଭୋଜି ପାଇଁ ଅନୁମତି ନିଆଯାଇ ନଥିଲା । କରୋନା ନିୟମ ଉଲ୍ଲଂଘନ କରାଯାଇଥିବାରୁ ସଂପୃକ୍ତ ଭୋଜିର ମାଲିକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । କେବଳ ଗଂଜାମରେ ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଆୟୋଜନ ହେଉଥିବା ବିବାହ ଓ ଅନ୍ୟ ସ୍ଥାନରେ ୫୦୦ରୁ ଏକ ହଜାର ଲୋକଙ୍କ ପାଇଁ ଭୋଜି ପ୍ରସ୍ତୁତି ହେଉଛି । ଅନେକ ସ୍ଥାନରେ ପ୍ରଶାସନ ଓ ପୋଲିସର ଜାଣତରେ ଅଧିକ ଲୋକଙ୍କ ପାଇଁ ଭୋଜି ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସୁଛି । । ଯେଉଁ ସ୍ଥାନରେ ଭୋଜି ସଂପର୍କରେ ପ୍ରଶାସନ ଏବଂ ପୋଲିସକୁ ଜଣା ନାହି, ତାହା ଲୋକଲୋଚନକୁ ଆସୁଛି ।