ଭୁବନେଶ୍ବର: ‘ମକର ସଂକ୍ରାନ୍ତି’ ହିନ୍ଦୁମାନଙ୍କର ପ୍ରମୁଖ ପର୍ବଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦଶହରା, ଦୀପାବଳି, ହୋଲି ଭଳି ମକର ସଂକ୍ରାନ୍ତି ଦେଶବ୍ୟାପି ପାଳନ ହୋଇଥାଏ। ଦକ୍ଷିଣ ଭାରତରେ ଏହି ପର୍ବକୁ ଅଧିକ ଉତ୍ସାହର ସହିତ ପାଳନ କରାଯାଇଥାଏ। ପୌଷ ମାସରେ ଯେତେବେଳେ ସୂର୍ଯ୍ୟ ମକର ସଂକ୍ରାନ୍ତିରେ ପ୍ରବେଶ କରନ୍ତି, ଏହି ଅବସରରେ ପର୍ବ ପାଳନ କରାଯାଇଥାଏ। ଓଡ଼ିଶାରେ ଚଳିତ ବର୍ଷ ଜାନୁଆରି ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ମକର ସଂକ୍ରାନ୍ତି ଠାରୁ ହିଁ ଋତୁ ପରିବର୍ତ୍ତନର ଆଭାସ ମିଳିଥାଏ। ଏହି ଦିନ ସ୍ନାନ ଓ ଦାନ କଲେ ପୂଣ୍ୟ ହୋଇଥାଏ। ମକର ସଂକ୍ରାନ୍ତି ଦିନ ଖେଚୁଡି ଭୋଗ ଖାଇବାର ମଧ୍ୟ ଅନ୍ୟ ବିଶେଷତ୍ବ ରହିଛି। ଏହି କାରଣରୁ ଦେଶର କିଛି ସ୍ଥାନରେ ଖେଚୁଡି ପର୍ବ ମଧ୍ୟ କୁହନ୍ତି।
କୁହାଯାଇଥାଏ ଯେ, ଏହି ପର୍ବ ଅବସରରେ ସୂର୍ଯ୍ୟ ଦେବତା ନିଜର ପୁତ୍ର ଶନିଙ୍କୁ ଭେଟିବାକୁ ଆସିଥାନ୍ତି। ସୂର୍ଯ୍ୟ ଓ ଶନିଙ୍କ ସଂପର୍କ ଏହି ପର୍ବ ହେବାର କାରଣ ଯୋଗୁଁ ଅଧିକ ଗୁରୁତ୍ବପୂର୍ଣ୍ଣ। ସାଧାରଣତଃ ଶୁକ୍ରଙ୍କ ଉଦୟ ଏହି ସମୟରେ ହୋଇଥାଏ। ଏଥି ପାଇଁ ଏହିଠାରୁ ହିଁ ଶୁଭକାମ ଆରମ୍ଭ କରାଯାଇଥାଏ। ଉଦୟତିଥି ଅନୁସାରେ ମକର ସଂକ୍ରାନ୍ତ ୨୦୨୪ ଜାନୁଆରି ୧୫ ତାରିଖରେ ପାଳନ କରାଯିବ। ଏହି ଦିନ ରାତି ୨ଟା ୫୪ ମିନିଟରୁ ମକର ରାଶି ପ୍ରବେଶ କରିବ। ମକର ସଂକ୍ରାନ୍ତିର ପୂଣ୍ୟକାଳ ହେଉଛି ସକାଳ ୭ଟା ୧୫ ମିନିଟରୁ ସନ୍ଧ୍ୟା ୬ଟା ୨୧ ମିନିଟ ପର୍ଯ୍ୟନ୍ତ। ୨୦୨୪ ଜାନୁଆରି ୧୫ ମକର ସଂକ୍ରାନ୍ତି ୭୭ ବର୍ଷ ପରେ ବରୀୟାନ ଯୋଗ ଓ ରବି ଯୋଗ ସଂଯୋଗ ହେଉଛି। ଏହି ଦିନ ବୁଧ ଓ ମଙ୍ଗଳ ମଧ୍ୟ ଗୋଟିଏ ରାଶି ‘ଧନୁ’ରେ ବିରାଜମାନ କରିବେ।
ମକର ସଂକ୍ରାନ୍ତି ପୂଜାବିଧି
ଏହି ଦିନ ଭୋର ସକାଳୁ ଉଠି ସ୍ନାନ କରନ୍ତୁ। ନାଲି ରଂଗର ଫୁଲ ସହିତ କଳସରେ ଜଳ ଅର୍ପଣ କରନ୍ତୁ। ସୂର୍ଯ୍ୟ ମନ୍ତ୍ର ଯପ କରନ୍ତୁ। ଶ୍ରୀମଦଭାଗବତ୍ର ଏକ ଅଧ୍ୟାୟ ପାଠ କରନ୍ତୁ। ଅଥବା ଗୀତା ପାଠ କରନ୍ତୁ। ନୂଆ ଅନ୍ନ, କମ୍ବଳ, ରାଶିତେଲ ଓ ଘିଅ ଦାନ କରନ୍ତୁ। ଭୋଜନରେ ନୂଆ ଅନ୍ନର ଖେଚୁଡ଼ି ପ୍ରସ୍ତୁତ କରନ୍ତୁ। ଭଗବାନଙ୍କୁ ଭୋଜନ ଅର୍ପଣ କରିବା ପରେ ନିଜେ ଗ୍ରହଣ କରନ୍ତୁ। ସନ୍ଧ୍ୟା ସମୟରେ ଅନ୍ନ ସେବନ କରନ୍ତୁ ନାହିଁ। ଏହି ଦିନ କୌଣସି ଗରିବ ବ୍ୟକ୍ତିଙ୍କୁ ବାସନ ସମେତ ରାଶିତେଲ ଦାନ କରେ ଶନିଗ୍ରହ ଦୋଷ କ୍ଷୟ ହୋଇଥାଏ।
ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି
ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ଭିନ୍ନ ପ୍ରକାରରେ ପାଳିତ ହୋଇଥାଏ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠମାନଙ୍କରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନିକଟରେ ୮୪ ପ୍ରକାରର ଭୋଗ ଲାଗି ହୋଇଥାଏ। ଏହାକୁ ମକର ଚଉରାଶି ଭୋଗ କୁହାଯାଏ। ଏହି ଅବସରରେ ମହାପ୍ରଭୁ ମକର ଚଉରାଶି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।
ଚଳଚଞ୍ଚଳ ହୋଇଉଠେ ମନ୍ଦିର
ଓଡ଼ିଶାରେ ମକର ସଂକ୍ରାନ୍ତିଙ୍କୁ କିଛି ସ୍ଥାନରେ ଧୂମଧାମରେ ପାଳନ କରାଯାଇଥାଏ। ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠେ। ସବୁ ମନ୍ଦିରରେ ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ମକର ସଂକ୍ରାନ୍ତିକୁ ଗାଁ ଗହଳିରେ ମଧ୍ୟ ଅଧିକ ଆକର୍ଷଣୀୟ ଭାବେ ପାଳନ କରଥାନ୍ତି। କିଛି ସ୍ଥାନରେ ନାମଯଜ୍ଞର ଆୟୋଜନ ମଧ୍ୟ ହୋଇଥାଏ। ମକର ସଂକ୍ରାନ୍ତି ଅବସରରେ ଆଉ କିଛି ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥାଏ। ରାଜ୍ୟର କିଛି ସ୍ଥାନରେ ମକର ସଂକ୍ରାନ୍ତି ଅବସରରେ ‘ମେଳା’ର ଆୟୋଜନ କରାଯାଇଥାଏ, ଯାହାକି ସପ୍ତାହବ୍ୟାପି ଚାଲିଥାଏ। ଖୋର୍ଦ୍ଧା ଜିଲ୍ଲା ଅଟ୍ରି, କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ଓ ମୟୂରଂଭଜରେ ସଂକ୍ରାନ୍ତିଙ୍କୁ ଆକର୍ଷଣୀୟ ଭାବେ ପାଳନ କରାଯାଇଥାଏ।