ଭୁବନେଶ୍ବର: ଇଂରେଜମାନଙ୍କ ଠାରୁ ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଏହି ଅବସରରେ ଭାରତ ସରକାର ଆଜାଦୀ କା ଅମୃତ ଉତ୍ସବ ପାଳନ କରିଛନ୍ତି। ଦେଶ ହୀରକ ଜୟନ୍ତୀ ପାଳନ ବେଳକୁ ୨୦୪୭ରେ ଆତ୍ମନିର୍ଭର ଭାରତ ହୋଇସାରିଥିବା ଲକ୍ଷ୍ୟରେ କାମ କରୁଛନ୍ତି। ଏହା ହେଉଛି ସରକାରଙ୍କ ଯୋଜନା। କିନ୍ତୁ ଦୁର୍ଗମ ଅଞ୍ଚଳ ଓ ସମାଜରେ ଅନେକ କ୍ଷେତ୍ରରେ ବିକାଶ କାମ ଆହୁରି ଅନେକ ବାକି ରହିଛି। ଏସବୁ ପୂରା ହେଲା ପରେ ଯାଇ ଆମେ ଆଜାଦୀ କା ଅମୃତ ଉତ୍ସବ ଓ ଆତ୍ମନିର୍ଭର ଭାରତର ପ୍ରକୃତ ଅର୍ଥ ଖୋଜି ପାଇପାରିବା। ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କିନ୍ନରଙ୍କ ପାଇଁ ରେନ୍ବୋ ମତଦାନ କେନ୍ଦ୍ର କରାଯାଇଛି। ଏହା ଭାରତରେ ପ୍ରଥମ ଘଟଣା। ଏହା ସହିତ କିନ୍ନରମାନଙ୍କୁ ଆହୁରି ସମ୍ମାନ ମିଳିଛି।
ଭାରତ ହେଉଛି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ୧୪୦ କୋଟି ଜନତା ରହୁଥିବା ଦେଶର ଆତ୍ମା ଆଜି ବି ଗାଁରେ ରହିଛି। ବଣ-ପାହାଡ଼, ନଦୀ-ନାଳ ଓ ପ୍ରକୃତିର ଅନ୍ୟ ଉପାଦାନକୁ ନେଇ ଗଢ଼ି ଉଠିଥିବା ଦେଶର ଗ୍ରାମାଞ୍ଚଳରେ ଆଜି ଲୋକେ ବହୁ ଅସୁବିଧାର ସହ ଜୀବନ ବିତାଉଥାନ୍ତି। ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଝରଣାର ଜଳ, ଜଙ୍ଗଲି ଚେରମୂଳ ଔଷଧ ଓ ପରିବହନ ପାଇଁ ପଶୁମାନଙ୍କୁ ବ୍ୟବହାର କରିବାକୁ ପଡ଼ିଥାଏ। ଲକ୍ଷଲକ୍ଷ ଲୋକ ଜାଣନ୍ତି ନାହିଁ ଯେ, ଆଧିନିକତାର ଅର୍ଥ କ’ଣ। କିନ୍ତୁ ଏହି ଭାରତରେ ସେମାନେ ମଧ୍ୟ ମତଦାନ କରି ନେତା ବାଛନ୍ତି। ମାତ୍ର କ୍ଷୋଭର କଥା ଯେ, ଜନପତ୍ରିନିଧିବାନେ ନିର୍ବାଚନ ସରିଲେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି।
ରେନ୍ବୋ ମତଦାନ କେନ୍ଦ୍ର
ତୃତୀୟ ଲିଙ୍ଗ (କିନ୍ନର)ଙ୍କୁ ମତଦାନ ପ୍ରକ୍ରିୟାରେ ସ୍ବତନ୍ତ୍ର ଅଭିଜ୍ଞତା ଦେବା ଉଦ୍ଦେଶ୍ୟରେ ଛତିଶଗଡ଼ର କାଙ୍ଖେର ଜିଲ୍ଲା ଅଧୀନ ପଙ୍ଖାଜୁରରେ ରେନ୍ବୋ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଏଠାରେ କେବଳ କିନ୍ନରମାନେ ହିଁ ମତଦାନ କରିଛନ୍ତି। ଯେତେବେଳେ ଏହି ମତଦାନକୁ ଭୋଟ ଦେବା ପାଇଁ କିନ୍ନରମାନେ ପହଞ୍ଚି ଥିଲେ, ସେମାନଙ୍କୁ ପୁଲିଂ କର୍ମଚାରୀମାନେ ପୁଷ୍ପ ବର୍ଷା ସହ ସ୍ବାଗତ କରିଥିଲେ। ସେହିପରି ଫୁଲତୋଡ଼ା ଦେଇ ଅଭିନନ୍ଦନ କରିଥିଲେ। ଭବ୍ୟ ସ୍ବାଗତ କରି ମତଦାନ ଟେବୁଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସେଠାରେ କିନ୍ନରମାନେ ମତଦାନ କରି ନିଜକୁ ଗର୍ବ ଅନୁଭବ କରିଥିଲେ। ପ୍ରଶାସନର ଏହି ବ୍ୟବସ୍ଥାକୁ ଧନ୍ୟବାଦ ଜଣାଇଥିଲେ।
ପ୍ରଥମ ଥର ଗାଁରେ ଭୋଟ ଦେଲେ ମତଦାତା
ନିର୍ବାଚନ ପୂର୍ବରୁ ଜନତା ସେମାନଙ୍କ ବିକାଶ ମୂଳକ ଦାବି ନେଇ ଭୋଟ ବର୍ଜନ ଚେତାବନୀ ଦେବା ହେଉଛି ଏକ ପୁରୁଣା ଖବର। କିନ୍ତୁ ଏଭଳି ପରିସ୍ଥିତି ଯେତେବେଳେ ଉପୁଜିଥାଏ, ସେହି ସମୟରେ ପ୍ରଶାସନ ମୁଣ୍ଡ ନୁଆଁଇଥାନ୍ତି। ଲୋକଙ୍କୁ ବୁଝାଇସୁଝାଇ ଭୋଟ କରାଇଥାନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସେମାନଙ୍କର ଅଧିକାର ପାଇବାକୁ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଛତିଶଗଡ଼ର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଚାନ୍ଦାମେଟା ଲୋକଙ୍କ ପାଇଁ ସେମିତି ଅପେକ୍ଷା କରିବାକୁ ପଡ଼ିଛି। ଦେଶ ସ୍ବାଧୀନତା ପ୍ରାପ୍ତି ହେବାରୁ ବସ୍ତର ଅଞ୍ଚଳରେ ଥିବା ଏଠାକାର ଲୋକେ ପ୍ରଥମ ଥର ପାଇଁ ନିଜ ଗାଁରେ ଭୋଟ ଦେଇଛନ୍ତି। ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ କାରିଗୁଣ୍ଡମ ଅଞ୍ଚଳରେ ୨୩ ବର୍ଷ ପରେ ମତଦାନ ହେଉଛି। ମତଦାନ ପ୍ରକ୍ରିୟାରେ ସିଆରପିଏଫର ୧୫୦ ବାଟାଲିୟନ ଓ ଜିଲ୍ଲା ପୁଲିସ ମୁତୟନ ଅଛନ୍ତି। ଅନ୍ୟପଟରେ ପଣ୍ଡରିଆ ବିଧାନସଭାର ଭରେୱାପାରାରେ ଗାଁ ଲୋକେ ମତଦାନକୁ ବହିଷ୍କାର କରିଛନ୍ତି। ଏଠାରେ ଗାଁଲୋକେ ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଭୋଟ ଦେଇ ନାହାନ୍ତି। ଗାଁକୁ ଭଲ ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି।
ଛତିଶଗଡ଼, ମିଜୋରାମରେ ମତଦାନ
ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ଓ ମିଜୋରାମରେ ମଙ୍ଗଳବାର ଠାରୁ ମତଦାନ ଆରମ୍ଭ ହୋଇଛି। ଛତିଶଗଡ଼ର ୨୦ଟି ଓ ମିଜୋରାମର ୪୦ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅନେକ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟ ଗ୍ରହଣ କରାଯାଉଥିବାରୁ ନିର୍ବାଚନ ଆୟୋଗ ୬୦ ହଜାର ସୁରକ୍ଷା ବଳ ମୁତୟନ କରିଛନ୍ତି। ନିର୍ବାଚନ ପାଇଁ ୨୫,୪୨୯ କର୍ମଚାରୀ ନିୟୋଜିତ ହୋଇଛନ୍ତି।