ଭୁବନେଶ୍ବର: ମଦ ଓ ମଦ୍ୟପଙ୍କ ପାଇଁ ଅନେକ ସମୟରେ ହିଂସା ସୃଷ୍ଟି ହେଉଛି। ମଦ ପାଇଁ ହିଁ ଅନେକଙ୍କ ପରିବାର ଉଜୁଡି ଯାଉଛି। ମଦ ଯୋଗୁଁ ପ୍ରତିଦିନ ଲୋକଙ୍କର ମୃତ୍ୟୁ ଘଟୁଛି। ବିଭିନ୍ନ ସ୍ଥାନରେ ଚୋରା ମଦ ବେପାରୀଙ୍କୁ ପୁଲିସ ଦୈନିକ ଗିରଫ କରୁଛି। କିନ୍ତୁ ସରକାର ରାଜସ୍ବ ବୃଦ୍ଧି ପାଇଁ ମଦ ଲାଇସେନ୍ସ ଦେଉଛନ୍ତି। ସରକାରଙ୍କ ଅଦ୍ଭୁତ ନୀତି ଯୋଗୁଁ ସମାଜରେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅବକାରୀ ନୀତି କୋଠର ନ ହେବାରୁ ବେଆଇନ ମଦ କାରବାର ଚାଲୁଥିବା ବୁଦ୍ଧିଜୀବୀମାନେ ଅପିଲ କରନ୍ତି। ବିହାର ବ୍ୟତୀତ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ମଦକୁ ଅଧିକ ପ୍ରତ୍ସୋହନ ଦେଉଛନ୍ତି। କେରଳ, ଗୋଆ ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଓ ଦିଲ୍ଲୀ ସରକାର ମଦରୁ ଭଲ ରାଜସ୍ବ ସଂଗ୍ରହ କରୁଛନ୍ତି।
ଦିନକୁ ଦିନ ମଦର ଚାହିଦା ବଢ଼ିବାରେ ଲାଗିଛି। ଅଧିକ ସଂଖ୍ୟାରେ ମଦ ଦୋକାନ ଖୋଲୁଛି। ସରକାର ମଧ୍ୟ ପ୍ରତିବର୍ଷ ନୂଆନୂଆ ମଦ ଲାଇସେନ୍ସ ପ୍ରଦାନ କରୁଛନ୍ତି। ଦୋକାନୀମାନେ ମଧ୍ୟ ଏହା ଦ୍ବାରା ଭଲ ରୋଜଗାର କରୁଛନ୍ତି। କିଛି ବର୍ଷ ପୂର୍ବରୁ ଆଦିବାସୀ, ଗାଡ଼ିଚାଳକମାନେ ମଦ ପିଉଥିଲେ। ଆଜି କାଲି ଆଉ ମଦ ଆଦିବାସୀ ଓ ଗାଡ଼ିଚାଳକମାନଙ୍କ ମଧ୍ୟରେ ସମୀତି ହୋଇ ରହିନାହିଁ। ମଦ ଦୋକାନଗୁଡ଼ିକ ଦିନସାରା ଖୋଲା ରହିବା ଦ୍ବାରା ଯୁବପିଢ଼ିଙ୍କୁ ଅଧିକ ସୁବିଧା ହେଉଛି। ୧୮ ବର୍ଷରୁ କମ ବୟସର ପିଲାମାନେ କୁସଂଗରେ ପଡ଼ି ମଦ୍ୟପାନ କରୁଛନ୍ତି। ନିଜ ଜୀବନକୁ ବରବାଦ କରୁଛନ୍ତି। ଏଥି ପାଇଁ ସେମାନେ ପରିବାର ଲୋକଙ୍କର ବୋଝ ପାଲଟୁଛନ୍ତି।
ଅବକାରୀ ନୀତି ପରିବର୍ତ୍ତନ ଦରକାର
ରାଜ୍ୟର ଅନ୍ୟତମ ସ୍ମାର୍ଟସିଟି ‘ରାଉରକେଲା’ରେ ବେଆଇନ ଭାବେ ମଦ କାରବାର ଅଧିକ ସକ୍ରିୟ ଦେଖାଯାଉଛି। ବେଆଇନ ମଦ ବେପାରୀଙ୍କୁ ପୁଲିସ ଓ ଅବକାରୀ ବିଭାଗ ଚାଲୁଛି। ସୁନ୍ଦରଗଡ଼ ସମେତ ରାଜ୍ୟ ଅନ୍ୟ ଆଦିବାସୀବହୁଳ ଜିଲ୍ଲାରେ ମଦ୍ୟପଙ୍କ ପାଇଁ ଅଧିକାଂଶ ହିଂସା ଦେଖାଯାଉଛି। ଅତୀତରେ ଅନେକଗୁଡ଼ିଏ ହତ୍ୟାକାଣ୍ଡ ମଧ୍ୟ ହୋଇଥିବା ନଜିର ରହିଛି। କେବଳ ମଦ ନୁହେଁ ବରଂ ଅନ୍ୟ ନିଶା ଯୋଗୁଁ ମଧ୍ୟ ସମାଜର ବହୁ କ୍ଷୟକ୍ଷତି ଘଟୁଛି। ରାଜ୍ୟ ସରକାରଗୁଡ଼ିକ ଚାହିଁଲେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିପାରନ୍ତେ। ମଦ ଦୋକାନ କେଉଁଠି ଖୋଲାଯାଇପାରିବ, ଏହା କେତେବେଳେ ଖୋଲିବ ଏବଂ କେଉଁମାନଙ୍କୁ ହିଁ ଏହା ମିଳିପାରିବ, ସେବାବଦରେ ମଧ୍ୟ ଆଇନ ପ୍ରସ୍ତୁତ ହେବା ଦରକାର। ଏହା ଦ୍ବାରା ମଦଜନିତ ହିଂସା ହ୍ରାସ ପାଇପାରନ୍ତା।
ଉତ୍ତର ପ୍ରଦେଶରେ ବଢ଼ିବ ମଦ ଦର
ଉତ୍ତର ପ୍ରଦେଶରେ ମଦପିଉଥିବା ଲୋକଙ୍କୁ ଆଗାମୀ ଦିନରେ ଝଟକା ଲାଗିପାରେ। ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ମଦ ଦର ବୃଦ୍ଧି ପାଇବ। ଯୋଗୀ ସରକାର ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗତ ୨୮ ତାରିଖ ଦିନ ହୋଇଥିବା କ୍ୟାବିନେଟରେ ନୂଆ ଅବକାରୀ ନୀତିକୁ ମଂଜୁରୀ ଦେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମଦ ଓ ବିୟର ଲାଇସେନ୍ସ ପାଇଁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ଲାଗୁ ହେବ। ଫଳରେ ମଦ ଦର ବୃଦ୍ଧି ପାଇବ। ପରୋକ୍ଷ ଭାବେ ମଦ୍ୟପଙ୍କ ପରିବାର ଲୋକେ ଏହା ଦ୍ବାରା ପ୍ରଭାବିତ ହେବେ। ସେମାନଙ୍କ ପରିବାରରେ ଆର୍ଥିକଜନିତ ସମସ୍ୟା ଉପୁଜିବାର ବଡ଼ ଆଶଙ୍କା ରହୁଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାଜ୍ୟ ସରକାର ନୂଆ ମଦ ନୀତି ମାଧ୍ୟମରେ ୪୫ ହଜାର କୋଟି ଟଙ୍କା ରାଜସ୍ବ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି।
ଦିନକୁ ୬୦୦୦ ମୃତ
ମଦ୍ୟପାନ କାରଣରୁ ପୂରା ବିଶ୍ବରେ ଦିନକୁ ୬୦୦୦ ଲୋକଙ୍କର ମୃତ୍ୟୁ ହେଉଛି। ଏଥିରୁ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି। ୨୮ ପ୍ରତିଶତ ଲୋକ। ମଦପିଇ ରୋଗ କାରଣରୁ ୧୯ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଛି। ଭାରତରେ ପ୍ରତିବର୍ଷ ୨ ଲକ୍ଷ ୬୦ ହଜାର ଲୋକଙ୍କର ଜୀବନ ଯାଉଛି। ଏଥିରେ ଫୁସ୍ଫୁସ ନଷ୍ଟ ହେବା, କର୍କଟ ରୋଗ, ସଡ଼କ ଦୁର୍ଘଟଣା ଓ ହତ୍ୟାକାଣ୍ଡ ଆଦି ସାମିଲ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହା କୁହାଯାଇଛି। ଭିନ୍ନ ଭିନ୍ନ ରାଜ୍ୟର ଅବକାରୀ ନୀତି ଅଲଗା ହୋଇଥିବାରୁ ଦେଶରେ ମଦ୍ୟପଙ୍କ ସଂଖ୍ୟା ବଢୁଛି। ମଦପାନ ପାଇଁ ଦେଶରେ ଏକ ପ୍ରକାରର ବୟସ ନିର୍ଦ୍ଧାରଣ ହେଲେ ମଧ୍ୟ ହିଂସା ଓ ମୃତ୍ୟୁ ହାର ହ୍ରାସ ପାଇପାରନ୍ତା।