ମଧ୍ୟବିତ୍ତ ପରିବାକୁ ଅଧିକ ବାଧିବ ବର୍ଦ୍ଧିତ ବିଦ୍ୟୁତ୍‌ ଦର

    0
    375

    ଭୁବନେଶ୍ୱର: ଏପ୍ରିଲ୍‌ ୧ ତାରିଖ ରାଜ୍ୟରେ ଉତ୍କଳ ଦିବସ ପାଳନ ହେବ।  ଓଡ଼ିଶା ଇତିହାସରେ ଏହି ଦିନକୁ ସ୍ୱର୍ଣ୍ଣିମ ଦିବସ କୁହାଯାଇଥାଏ। କାରଣ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ଦୃଷ୍ଟିରୁ ଦେଶରେ ପ୍ରଥମ ରାଜ୍ୟ ଭାବେ ଗଠନ ହୋଇଥିଲା। କିନ୍ତୁ ଦୁଃଖର ବିଷୟ ଯେ, ରାଜ୍ୟର ସ୍ୱାଭିମାନ୍‌ ଦିବସରେ ଲୋକେ ଅତିରିକ୍ତ ଆର୍ଥିକ ବୋଝର ଶିକାର ହେବେ। କାରଣ ୨୦୨୧ ଏପ୍ରିଲ ୧ ତାରିଖ ଠାରୁ ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ୍‌ ଦର ଲାଗୁ ହୋଇଯିବ।

    କୋଭିଡ୍‌-୧୯ ସଂକଟ ପାଇଁ ରାଜ୍ୟ ସାରା ଲୋକ ଦୀର୍ଘ ୧ ବର୍ଷରୁ ଅଧିକ ସମୟ ବହୁ ହଇରାଣ ହୋଇଥିବା ବେଳେ ବିଦ୍ୟୁତ ଦର ବଢିଛି। ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଓଇଆରସି ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂତନ ବିଦ୍ୟୁତ୍‌ ଦର କିଲୋୱାଟ(ୟୁନିଟ) ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ଓଇଆରସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ପାଇଛି।

    ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିହାର କରାଯାଉ: ତାରା

    ବିଦ୍ୟୁତ୍‌ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ମଙ୍ଗଳବାର ଗୃହରେ ପ୍ରସଙ୍ଗ ଉଠାଇଛନ୍ତି। ବର୍ଦ୍ଧିତ ଦର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ। ତେଣୁ ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ୩୦ ପଇସା ବଢ଼ାଇବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ଉଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ବିରୋଧୀ ଦଳର ବରିଷ୍ଠ ନେତା ବିଧାନସଭାରେ କହିଛନ୍ତି।  

    ବିଜେପିର ବିକ୍ଷୋଭ ପ୍ରଦର୍ଶନ

    ବିଜୁଳି ଦର ବୃଦ୍ଧି ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଓଇଆରସି କାର୍ଯ୍ୟାଳୟ ଆଗରେ ବିଜେପି ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱରରେ ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୈଳଶ୍ରୀ ବିହାରସ୍ଥିତ କାର୍ଯ୍ୟାଳୟ ଆଗରେ ପହଂଚି ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ବ୍ୟାନର ଓ ପୋଷ୍ଟର ଧରି ଶ୍ଲୋଗାନ ଦେଇଛନ୍ତି।

    ସମାଜବାଦୀ ପାର୍ଟିର ଦାବି ପତ୍ର

    ସେହିଭଳି ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ପାର୍ଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଗ୍ରିଡ୍‌କୋର ଆର୍ଥିକ କ୍ଷତି ଭରଣା କରିବା ପାଇଁ ଏଭଳି ଶୁଳ୍କ ବୃଦ୍ଧି କରିବାକୁ ଯୋଜନା କରିଛି ବୋଲି ଅଭିଯୋଗ ଆଣିଛି। କରୋନା ମହାମାରୀ ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ବର୍ଦ୍ଧିତ ବିଦ୍ୟୁତ୍‌ ଦର ଖୁବ ବାଧିବ ବୋଲି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା ଗଣମାଧ୍ୟମକୁ କହିଛନ୍ତି। ସମାଜବାଦୀ ପାର୍ଟିର ନେତାମାନେ ବିଦ୍ୟୁତ୍‌ ଦର  ବୃଦ୍ଧିକୁ ବନ୍ଦ କରିବା, ବିଦ୍ୟୁତ୍‌ ସଂସ୍କାର ଦିନଠାରୁ କମ୍ପାନୀମାନଙ୍କର ଆୟବ୍ୟୟ ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବା ଓ ଉପଭୋକ୍ତାମାନଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଦାବି କରାଯାଇଛି।

    କ୍ଷତି ସହିବେ ମଧ୍ୟବିତ୍ତ ପରିବାର

    ବିପିଏଲ ପରିବାର ଓ ଜଳସେଚନ ଉପଭୋକ୍ତାଙ୍କ ପ୍ରତି ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି କରାଯାଇଛି। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ। ସମସ୍ତ ପ୍ରି-ପେଡ ଉପଭୋକ୍ତାଙ୍କୁ ମଧ୍ୟ ରିହାତି ମିଳିବ। ମୋଟାମୋଟି ଭାବେ କହିବାକୁ ଗଲେ ମଧ୍ୟବିତ୍ତ ଶ୍ରେଣୀର ପରିବାରକୁ ବର୍ଦ୍ଧିତ ବିଦ୍ୟୁତ୍‌ ଦର ଅତିରିକ୍ତ ବୋଝ ହେବ।

    LEAVE A REPLY

    Please enter your comment!
    Please enter your name here