ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଏବେ ଭାତ, ଡାଲି, ଆଳୁ ସହ ସୋୟାବିନ ତରକାରୀ ଓ ଅଣ୍ଡା ଦିଆଯାଉଛି । ରୁଟିନ ହିସାବରେ ଏହି ଖାଦ୍ୟ ଦିଆଯାଉଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ଅଣ୍ଡା ଖାଉ ନଥିବା ପିଲାମାନଙ୍କୁ କଦଳୀ ଓ ବିସ୍କୁଟ ମିଳୁଛି । କିନ୍ତୁ ଏହା ବାଦ୍ ପିଲାଙ୍କର ପୌଷ୍ଟିକ ବିକାଶରେ ଦୁଗ୍ଧଜାତ ସାମଗ୍ରୀ, ମାଛ, ମାଂସ ଓ ଫଳର ଆବଶ୍ୟକତା ରହିଛି । ବିଦ୍ୟାଳୟରେ ମାଛ ଅବା ମାଂସ ଦିଆଯିବା ସହଜ ହୋଇପାରିବ ନାହିଁ । ଏହା ଏକ ଖର୍ଚ୍ଚାନ୍ତ ବ୍ୟାପାର । ରାଜ୍ୟ ସରକାର ୨୦୧୯ ମସିହାରେ ଯୋଜନା କରିଥିଲେ ଯେ, ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବେ । ତତ୍କାଳୀନ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୧୯ ସେପ୍ଟେମ୍ବରରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଦୁଗ୍ଧଚାଷୀମାନେ ଉପକୃତ ହେବେ ବୋଲି କୁହାଯାଉଥିଲା । ଏହାକୁ ଲାଗୁ କରାଯାଇପାରିଥିଲେ ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିଥାନ୍ତେ । କିନ୍ତୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏଦିଗରେ ପ୍ରକ୍ରିୟା ଆଗକୁ ବଢ଼ାଇ ପାରି ନାହାନ୍ତି ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟ ପରିସରରେ ସରକାର ମଧ୍ୟାହ୍ନ ଭୋଜନ ଦେଉଛନ୍ତି । ସକାଳ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ପିଲାମାନେ ସ୍କୁଲ ପରିସର ଭିତରେ ରହୁଛନ୍ତି । ଦୀର୍ଘ ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପିଲାମାନେ ରହୁଥିବାରୁ ସେମାନେ ଭୋକ ଅନୁଭବ କରିବେ ନାହିଁ ବୋଲି ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟରେ ମଧ୍ୟାନ୍ତର ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନ କରିବାକୁ ଘରକୁ ଗଲେ ସମୟ ନଷ୍ଟ ହେବା ଆଶଙ୍କା କରି ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟରୁ ମେନ୍ୟୁ ପରିବର୍ତ୍ତନ କରିଥାନ୍ତି । କିନ୍ତୁ ଅନେକ ବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଅବ୍ୟବସ୍ଥା ଦେଖାଯାଉଛି । ଫଳସ୍ୱରୂପ ପିଲାମାନେ ଓ ଅଭିଭାବକଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡୁଛି ।
ମଧ୍ୟାହ୍ନ ଭୋଜନରେ ମୁଢ଼ି ଓ ବିସ୍କୁଟ
ମଧ୍ୟାହ୍ନ ଭୋଜନରେ ଅନେକ ସମୟରେ ଅବ୍ୟବସ୍ଥା ଦେଖାଯାଉଛି । ଅଧିକାରୀଙ୍କ ଅବହେଳା ହେଉ ଅଥବା ବିଦ୍ୟାଳୟର ଦାୟିତ୍ୱହୀନତା କାରଣରୁ ପିଲାମାନଙ୍କର କିଛି ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରୀ ଓ ଅଣ୍ଡା ମିଳିପାରୁ ନାହିଁ । ମୟୂରଭଂଜ ଓ କୋରାପୁଟ ଜିଲ୍ଲାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ସୁଦାମ ମାର୍ଣ୍ଡିଙ୍କ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଆଗ୍ରିଆ ପଞ୍ଚାୟତ ବ୍ରହ୍ମପୁର ଉଚ୍ଚବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଗତ ଶୁକ୍ରବାର ଓ ଶନିବାର ଭାତ ଓ ତରକାରୀ ବଦଳରେ ମୁଢ଼ି ଖାଇବାକୁ ଦିଆଯାଇଛି । ଏହାକୁ ନେଇ ଅଭିଭାବକମାନେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେହିପରି ଗତବର୍ଷ ନଭେମ୍ବର ମାସରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ବାତ୍ରିପୁଟ ପ୍ରାଥମିକ ବିଦ୍ୟାଳୟରେ ୧୦ ଦିନ ଯାଏ ଭାତ ଓ ଡାଲି ସମେତ ଅନ୍ୟ ଖାଦ୍ୟ ବ୍ୟତୀତ କେବଳ ୫ଟଙ୍କିଆ ବିସ୍କୁଟ ଦିଆଯାଇଥିଲା ।
ମଧ୍ୟାହ୍ନ ଭୋଜନରେ ଚିକେନ୍ ଓ ରୁଟି
ପିଲାମାନଙ୍କର ପୌଷ୍ଟିକ ଖାଦ୍ୟରେ ଚିକେନ ସାମିଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ମମତା ବାନାର୍ଜୀଙ୍କ ସରକାର ଗତ ଜାନୁଆରିରୁ ଏପ୍ରିଲ ମଧ୍ୟରେ ମଧ୍ୟାହ୍ନ ଭୋଜନରେ ଚିକେନ ଏବଂ ଋତୁକାଳୀନ ଫଳ ସାମିଲ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ପାଇଁ ୩୭୧ କୋଟି ଟଙ୍କା ଶିକ୍ଷା ବିଭାଗକୁ ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗ ସ୍କୁଲରେ ପିଲାମାନଙ୍କୁ ଏବେ ଭାରତ, ଆଳୁ, ସୋୟାବିନ ଓ ଅଣ୍ଡା ଦିଆଯାଉଥିବା ବେଳେ ଆଗାମୀ ଦିନରେ ୪ ମାସ ପାଇଁ ଚିକେନ ଦିଆଯାଉଛି । ଉତ୍ତର ପ୍ରଦେଶରେ ମଧ୍ୟାହ୍ନ ଭୋଜନରେ ରୁଟି ସହିତ ତରକାରୀ ଦିଆଯାଉଛି ଦିଆଯାଉଛି ।
ମଧ୍ୟାହ୍ନ ଭୋଜନରେ ଝିଟିପିଟି
ମଧ୍ୟାହ୍ନ ଭୋଜନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପରିଚାଳନଗତ ତ୍ରୁଟି ପାଇଁ ପିଲା ଓ ଅଭିଭାବକଙ୍କୁ ବେଳେ ବେଳେ ହଇରାଣ ହେବାକୁ ପଡୁଛି । ବିଶେଷ ଭାବେ ରୋଷେଇ ଘର ପରିଷ୍କାର ରହୁ ନଥିବାରୁ ଅଥବା ରୋଷେୟାଙ୍କ ଅବହେଳା କାରଣରୁ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିବାରୁ ସେହି ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହେଉଛନ୍ତି ।
କେବେ ଓ କେଉଁଠି ମଧ୍ୟାହ୍ନ ଭୋଜନରେ ଝିଟିପିଟି
୨୦୧୭ ଅକ୍ଟୋବର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାଧପୁର କୋଡିଭଙ୍ଗା ପ୍ରାଥମିକ ବିଦ୍ୟାଳୟ
୨୦୧୮ ଅକ୍ଟୋବର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଇପୁର ପଞ୍ଚାୟତ ନାରାୟଣପୁର ଇନ୍ଦ୍ରଗୋବିନ୍ଦ ନୋଡାଲ ସ୍କୁଲ
୨୦୧୮ ମେ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବଣପିଞ୍ଜରା ପ୍ରାଥମିକ ବିଦ୍ୟାଳୟ
୨୦୧୯ ଅକ୍ଟୋବର: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ
୨୦୧୯ ଅକ୍ଟୋବର: ଯାଜପୁର ଜିଲ୍ଲା ବରୀ ବ୍ଲକ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟ
୨୦୨୨ ଜୁଲାଇ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ଭାସ୍କର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ