Wednesday, October 9, 2024
Homeମନେ ରହିବ ରାମ ନବମୀ: ମନ୍ଦିରରେ ଅଘଟଣ 
Array

ମନେ ରହିବ ରାମ ନବମୀ: ମନ୍ଦିରରେ ଅଘଟଣ 

ଭୁବନେଶ୍ବର: ସମଗ୍ର ଭାରତ ବର୍ଷରେ ହର୍ଷୋଲ୍ଲାସର ସହିତ ମର୍ଯ୍ୟାଦାପୁରୁଷ ଭଗବାନ ଶ୍ରୀରାମ ନବମୀ ପାଳିତ ହୋଇଛି। ଅଯୋଧ୍ୟା ସମେତ ଦେଶର ଅନ୍ୟ ଧାର୍ମିକ ସ୍ଥଳୀରେ ରାମ ନାମ ଜପ ହୋଇଛି। ଗାଁରୁ ସହର ଯାଏଁ ଜୟ ଶ୍ରୀରାମ ଧ୍ବନୀ ଶୁଭିଛି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବର, କଟକ ସମେତ ଦେଶର ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦିନତମାମ ରାମଭକ୍ତମାନେ ରାମଙ୍କ ନାମକୁ ସ୍ମରଣ କରିଥିଲା ବେଳେ ମଧ୍ୟପ୍ରଦେଶର ଇନ୍ଦୋର ସହର ଓ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅଘଟଣ ଘଟିଛି। ଏହି ଅଘଟଣକୁ ନେଇ ଭକ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ହୋମ ବେଳେ କୂଅ ଧସିଲା

ଇନ୍ଦୋର ସହରର ପଟେଲନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିରରେ କୂଅ ଧସିବାରୁ ଗୁରୁବାର ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ହୋମ ଚାଲିଥିଲା ବେଳେ ଭକ୍ତଙ୍କର ପ୍ରବଳ ଗହଳି ହୋଇଥିଲା। କୂଅର ଛାତ ଭୁଶୁଡ଼ିପଡ଼ିବାରୁ ୩୦ରୁ ଅଧିକ ଭକ୍ତ ୪୦ ଫୁଟ ଗଭୀରକୁ ଖସି ପଡ଼ିଥିଲେ। କୂଅ ଭିତରୁ ମୋଟ ୧୧ ଜଣଙ୍କର ମୃତଦେହ ବାହାର କରାଯାଇଥିବାବେଳେ ପୁଲିସ ୧୯ ଜଣଙ୍କୁ ଦଉଡି ସାହାଯ୍ୟରେ ଟାଣି ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଲୋକମାନେ ପୁରୁଣା କୂଅ ଉପରେ କରାଯାଇଥିବା ଛାତ ଉପରେ ବସିଥିଲେ। ଏହାର ଛାତ ଦୁର୍ବଳ ହୋଇଯାଇଥିବାରୁ ଭାଙ୍ଗିଯାଇଥିଲା ଏବଂ ଲୋକମାନେ ତଳେ ପଡ଼ିଗଲେ। ଏହି ମନ୍ଦିରଟି ପ୍ରାୟ ୬୦ ବର୍ଷ ପୁରୁଣା। କିଛି ବର୍ଷ ପୂର୍ବରୁ ଅପରିତ୍ୟକ୍ତ କୂଅ ଉପରେ ଏକ ଛାତ କରାଯାଇଥିଲା।

ଆନ୍ଧ୍ର ମନ୍ଦିରରେ ଲାଗିଲା ନିଆଁ

ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାସ୍ଥିତ ବେଣୁଗୋପାଳସ୍ୱାମୀ ମନ୍ଦିରରେ ଆଜି ଧୁମଧାମରେ ରାମ ନବମୀ ପାଳିତ ହେଉଥିଲା। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା। ଏହି ସମୟରେ ରାମ ନବମୀ ନିମନ୍ତେ ପ୍ରସ୍ତୁତ ପେଣ୍ଡାଲଟି ହଠାତ୍ ହୁତୁହୁତୁ ହୋଇ ଜଳି ଉଠିଲା। ନିଆଁ ଆଖି ପିଛୁଳାକେ ବ୍ୟାପୀ ମନ୍ଦିର ଉପରକୁ ଉଠି ଯାଇଥିଲା। ଏହା ଦେଖି ଶ୍ରଦ୍ଧାଳୁମାନେ ଦୌଡ଼ିବାକୁ ଆରମ୍ଭ କରି ଦେଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ମନ୍ଦିରରୁ ବାହାର କରାଯାଇଥିଲା। ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ ସ୍ଥାନୀୟ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବୁଡ଼ିଗଲେ ୨ ଭାଇ

ରାମନବମୀରେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ସିମୁଳିଆ ଗାଁର ଦୁଇ ଭାଇ ପାଣିରେ ବୁଡ଼ିଯାଇଛନ୍ତି। କୁନା ନାଥଙ୍କ ସାନ ପୁଅ ପରେଶ ଆଜି ମଧ୍ୟାହ୍ଣରେ ଗାଁ ପାଖ ପୋଖରୀ ବୁଡ଼ି ପ୍ରାଣ ହରାଇଛି। ପୂର୍ବରୁ କୁନା ନିଜର ବଡ଼ପୁଅ ସୁରେଶକୁ ହରାଇଥିଲେ। ୧୦ ବର୍ଷ ଆଗରୁ ସେ କଟକ ଜିଲ୍ଲା ଗୋପାଳପୁର ଯାଇଥିବା ସମୟରେ ସୁରେଶ ମହାନଦୀରେ ବୁଡ଼ି ଯାଇଥିଲେ।  

ଶ୍ରୀରାମ ନବମୀର ପୌରାଣିକ କଥାବସ୍ତୁ

ଭଗବାନ ଶ୍ରୀରାମ ମାନବ ରୂପରେ ଜନ୍ମ ନେଇଥିଲେ। ମନୁଷ୍ୟ ସମାଜକୁ ଉଚିତ ମାର୍ଗ ଦେଖାଇବା ପାଇଁ ଏକ ରାଜପରିବାରରେ ଜନ୍ମ ହୋଇଥିଲେ ବି, ଜଣେ ସାଧାରଣ ବ୍ୟକ୍ତିର ପରିଚୟ ଦେଇଥିଲେ। ପିତୃସତ୍ୟ ପାଳନ କରିବାକୁ ବନବାସ ଯାଇଥିଲେ।ସାନଭାଇଙ୍କୁ ଅଯୋଧ୍ୟାର ଦାୟିତ୍ବ ଦେଇ ୧୪ ବର୍ଷ ଘର ଛାଡ଼ିଥିଲେ। ଲୋଭ, ମୋହ ଠାରୁ ଦୂରରେ ଥିଲେ। ଚୈତ୍ର ନବରାତ୍ରି ଶ୍ରୀରାମ ନବମୀ ଅବସରରେ ଗୁରୁବାର ସଂପନ୍ନ ହୋଇଛି। ଭକ୍ତମାନଙ୍କର ଦୁଃଖ ଦୂର କରିବା ପାଇଁ ଭଗବାନ ତ୍ରେତୟା ଯୁଗରେ ରାମ ଧରାପୃଷ୍ଟରେ ଜନ୍ମ ନେଇଥିଲେ। ଭଗବାନ ରାମ ଏବଂ ରାବଣଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର କାହାଣୀ ନବରାତ୍ରୀ ସହିତ ସଂପର୍କ ରହୁଛି। କୁହାଯାଇଥାଏ ଯେ, ଯେଉଁ ସମୟରେ ରାବଣ ଠାରୁ ସୀତାଙ୍କୁ ଭଗବାନ ରାମ ଛଡେଇ ଆଣିବାକୁ ଯୁଦ୍ଧ କରୁଥିଲେ, ସେହି ସମୟରେ ରାବଣ ଉପରେ ବିଜୟ ପାଇବାକୁ ଭଗବାନ ରାମ ଦେବୀ ଦୁର୍ଗାଙ୍କୁ ସ୍ମରଣ କରୁଥିଲେ। ଏହି ପୂଜା ଦିନ ୯ ଦିନ ଯାଏଁ ଚାଲିଥିଲା। ଶେଷରେ ଶ୍ରୀରାମଙ୍କ ଭକ୍ତିରେ ଦେବୀ ଦୁର୍ଗା ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥିଲେ। ଦଶମ ଦିନରେ ରାବଣକୁ ରାମ ବଧ କରିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments