ଭୁବନେଶ୍ୱର (ଲିପିକା ପ୍ରଧାନ): ଦେଶର ଅନେକ ଧର୍ମାନୁଷ୍ଠାନରେ ଡ୍ରେସ୍ କୋର୍ଡ ବ୍ୟବସ୍ଥା ରହିଛି। ଦକ୍ଷିଣ ଭାରତର ଅନେକ ମନ୍ଦିର ହେଉଛି ଏହାର ଉଦାହରଣ। କେରଳର ପଦ୍ମନାଭସ୍ୱାମୀ ଓ ସବରିମଳାଳ ମନ୍ଦିରରେ ବିନା ଡ୍ରେସ୍ କୋର୍ଡରେ ସେବାୟତ, ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳି ନଥାଏ। ଏହି କ୍ରମରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ ହୋଇଯାଇଛି। ପ୍ରାଥମିକ ଅବସ୍ଥାରେ ଏବେ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଏହା ଲାଗୁ ହୋଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋର୍ଡ ଲାଗୁ ହେବ। ଶେଷ ପର୍ଯ୍ୟାୟରେ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ଡ୍ରେସ୍ କୋର୍ଡ ଲାଗୁ ହୋଇପାରେ। ଗୋଟିଏ ଦୃଷ୍ଟି କୋଣରୁ ଧାର୍ମିକ ସ୍ଥଳୀରେ ଡ୍ରେସ୍ କୋର୍ଡ ଲାଗୁ ହେବା ଭଲ। କାରଣ ଏକ ଆଧ୍ୟାତ୍ମିକ ପରିବେଶରେ ଶ୍ରଦ୍ଧାଳୁଙ୍କର ବେଶ-ପୋଷାକରେ ମଧ୍ୟ ଶାଳିନତାର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ପୋଷାକ ପିନ୍ଧି ମନ୍ଦିରରେ ପ୍ରବେଶ ଦ୍ୱାରା ମଧ୍ୟ କିଛି ଲୋକଙ୍କ ମନରେ ହିଂସା ଚିନ୍ତାଧାରା ଆସୁଛି।
ଡ୍ରେସ୍ କୋଡ ଲାଗୁ ହେବା ଦ୍ୱାରା ନିଶ୍ଚିତ ରୂପେ ମନ୍ଦିର ପରିସରରେ ଏକ ସଦ୍ଭାବନା ଚିନ୍ତାଧାରାକୁ ଆହୁରି ମଜବୁତ୍ କରିବ। କିନ୍ତୁ ଏହା ନିଦ୍ଦିଷ୍ଟ ରଂଗ ଓ ଡିଜାଇନକୁ ଗୁରୁତ୍ୱ ଦିଆ ନ ଯିବା ଦରକାର। ଶ୍ରୀମନ୍ଦିରରେ ପୁରୁଷ ଭକ୍ତମାନେ ପାରଂପରିକ ଧୋତି-ଗାମୁଛା ଓ ମହିଳା ଶ୍ରଦ୍ଧାଳୁମାନେ ଶାଢ଼ି ପିନ୍ଧିଲେ ଭଲ। କିନ୍ତୁ ଏହି ଡ୍ରେସ କୋଡକୁ ଯଦି ଅଧିକ ଜଟିଳ କରାଯାଇ ଏକ ନିଦ୍ଦିଷ୍ଟ ରଂଗ ଓ ଡିଜାଇନ୍ ପ୍ରସ୍ତୁତ କରାଯାଏ, ତାହେଲେ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ପୁଣି ସ୍ୱତନ୍ତ୍ର ଡିଜାଇନ୍ରେ ଡ୍ରେସ୍ କୋର୍ଡ ଲାଗୁ କରାଯିବା ଦ୍ୱାରା ବ୍ୟବସାୟିଙ୍କୁ ଲାଭ ପହଂଚାଇବ। କିନ୍ତୁ ଆର୍ଥିକ ଦୃଷ୍ଟି କୋଣରୁ ପଛୁଆ ବର୍ଗର ଶ୍ରଦ୍ଧାଳୁଙ୍କୁ ବାଧିବ।
ପଦ୍ମନାଭସ୍ୱାମୀ-ସବରିମାଳାରେ ଡ୍ରେସ୍ କୋର୍ଡ
ଭାରତର ଅନ୍ୟତମ ଧନି ମନ୍ଦିର ‘ପଦ୍ମନାଭସ୍ୱାମୀ’ରେ ଶ୍ରଦ୍ଧାଳୁଙ୍କୁ ଧଳା ରଂଗର ଡ୍ରେସ୍ କୋର୍ଡ ପିନ୍ଧି ପ୍ରବେଶ କରିବାକୁ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଏହି ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ ସମୟରେ ହାତରେ ଆଉ କିଛି ନଥାଏ। ରାଜଧାନୀ ଥିରୁଅନନ୍ତପୁରମସ୍ଥିତ ଏହି ମନ୍ଦିରରେ ଏତେ ସୁନ୍ଦର ବ୍ୟବସ୍ଥା ହୋଇଛି ଯେ, ସେବାୟତମାନେ ମଧ୍ୟ ଭକ୍ତଙ୍କୁ କୌଣସି ପ୍ରକାରର ରାଶି ମାଗି ନଥାନ୍ତି। କାରଣ ମନ୍ଦିର ଭିତରକୁ ମନିପର୍ସ ନେବା ବାରଣ ଥାଏ। ଅନୁରୂପ ଭାବରେ ସବରିମାଳ ମନ୍ଦିର। ପାଥନାମଥିତା ଜିଲ୍ଳା ଅନ୍ତର୍ଗତ ସବରିମାଳା ପାହାଡ଼ରେ ଭଗବାନ ଆୟପ୍ପାଙ୍କ ମନ୍ଦିରରେ ସେବାୟତ, ମନ୍ଦିର କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ କଳା ରଂଗର ଡ୍ରେସ କୋର୍ଡ ଲାଗୁ ହୋଇଛି।
ଦକ୍ଷିଣ କନ୍ନଡରେ ଡ୍ରେସ୍ କୋର୍ଡ
କର୍ଣ୍ଣାଟକ ଧାର୍ମିକ ପରିଷଦ ନିକଟରେ ଦକ୍ଷିଣ କନ୍ନଡ ଜିଲ୍ଳାରେ ଥିବା ୨୧୧ଟି ମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ କରିଛି। ଏହି ନିୟମ ଲାଗୁ ହେବା ପରେ ଦକ୍ଷିଣ କନ୍ନଡ ଜିଲ୍ଲାର ମନ୍ଦିର ଗୁଡ଼ିକ ବୁଲିବାକୁ ହେଲେ ଡ୍ରେସ୍ କୋଡକୁ ସମ୍ମାନ ଦେବା ବାଧ୍ୟତାମୂଳକ। ହିନ୍ଦୁ ଧର୍ମର ମୂଲ୍ୟବୋଧକୁ ଦୃଷ୍ଟିରେ ଏଭଳି ବ୍ୟବସ୍ଥା କରାଯାଇଛି। ମହିଳା ଭକ୍ତମାନେ ଶାଢ଼ି ପିନ୍ଧିବେ। ଦକ୍ଷିଣ କନ୍ନଡର ମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ କରିବା ପାଇଁ ଦୀର୍ଘ ଦିନରୁ ବଜରଂଗ ଦଳ ଅଭିଯୋଗ କରିଆସୁଥିଲା। ସରକାରଙ୍କ ଦ୍ୱାରା ଏହା ମଂଜୁରୀ ହେବା ପରେ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଦକ୍ଷିଣ କନ୍ନଡ ଜିଲ୍ଲାର କଟିଲ ଦୁର୍ଗାପରମେଶ୍ୱରୀ ମନ୍ଦିର ଓ ପୋଲାଲି ରାଜେଶ୍ୱରୀ ମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ ହୋଇଛି। ଅଳ୍ପ ଦିନ ମଧ୍ୟରେ ଅନ୍ୟ ୨୧୧ ମନ୍ଦିରରେ ଡ୍ରେସ୍ କୋର୍ଡ ଲାଗୁ ହେବ।
ସବୁ ସ୍ଥାନରେ ଡ୍ରେସ୍ କୋର୍ଡ ବାଧ୍ୟତାମୂଳକ ନୁହେଁ
ବିଶ୍ୱବ୍ୟାପୀ ଇସ୍କନ ମନ୍ଦିରରେ ଏହାର ସଦସ୍ୟମାନେ ଡ୍ରେସ୍ କୋର୍ଡ ପିନ୍ଧିଥାନ୍ତି। କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ନିୟମ କୋହଳ କରାଯାଇଛି। ରାଜ୍ୟର ମହିମା ପୀଠ ଗୁଡ଼ିକରେ ମଧ୍ୟ ଡ୍ରେସ କୋଡ ବ୍ୟବସ୍ଥା ରହିଛି। ହେଲେ ମହିମା ଧର୍ମର ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଡ୍ରେସ କୋର୍ଡ ପାଇଁ ବାଧ୍ୟ କରାଯାଇ ନଥାଏ। ଶ୍ରାବଣ ମାସରେ ଯେତେବେଳେ ଶ୍ରଦ୍ଧାଳୁମାନେ ଜଳ ଭାର ଧରି ଶିବାଳୟକ ଯାଇଥାନ୍ତି, ସେମାନେ ନିଜସ୍ୱ ଇଚ୍ଛାରେ ଡ୍ରେସ କୋଡ ପିନ୍ଧିଥାନ୍ତି। ଅନେକ ଶ୍ରଦ୍ଧାଳୁ କିନ୍ତୁ ସାଧାରଣ ପୋଷାକରେ ବୋଲବମ୍ରେ ସାମିଲ ହୋଇଥାନ୍ତି।