Thursday, March 20, 2025
Homeମରିଗଲେ ଗୋବିନ୍ଦ, ହଜିଗଲା ପ୍ରମାଣ!
Array

ମରିଗଲେ ଗୋବିନ୍ଦ, ହଜିଗଲା ପ୍ରମାଣ!

ଭୁବନେଶ୍ବର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମଙ୍ଗଳବାର ମୃତ୍ୟୁ ଘଟିଛି। ଗୋବିନ୍ଦ ସାହୁ ମୃତ୍ୟୁ ହେବା ସହିତ ମମିତା ମେହେର ଉପରେ ହେବାକୁ ଥିବା ଖୁଲାସା ଏକ ପ୍ରକାର ଲିଭି ଯାଇଛି କହିଲେ ଭୁଲ ହେବ ନାହିଁ। କାରଣ ଯେହେତୁ ସେ ମୁଖ୍ୟ ଅଭିଯୁକ୍ତ ଥିଲା, ସେ ବଞ୍ଚିଥିଲେ ସବୁ କଥା ବାହାରକୁ ଆସିପାରିଥାନ୍ତା ବୋଲି ଆଶା କରାଯାଉଥିଲା। କିନ୍ତୁ ଏହା ପୂର୍ବରୁ ଗୋବିନ୍ଦ ସାହୁ ଗିରଫ ହେବାର ୧୪ ମାସ ପରେ ତାର ମୃତଦେହ କଣ୍ଟାବାଞ୍ଜି କାରାଗାର ପରିସରରୁ ଉଦ୍ଧାର କରାଯାଇଛି। ଅନ୍ୟପଟରେ ଜେଲ୍ କର୍ତ୍ତୃପକ୍ଷ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ବୋଲି କହୁଥିବା ବେଳେ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି, ତାକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ଗୋବିନ୍ଦ ସାହୁ ପ୍ରକୃତରେ ଆତ୍ମହତ୍ୟ କରିଛି ନାଁ ତାକୁ ହତ୍ୟା କରାଯାଇଛି, ତାହା ତଦନ୍ତ ପରେ ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ଗୋବିନ୍ଦଙ୍କ ପତ୍ନୀ ସୁଷମା ଓ ବିରୋଧୀ ଦଳର ନେତାମାନେ ପୂର୍ଣ୍ଣ ଦମ୍ଭର ସହିତ କହୁଛନ୍ତି ଯେ, ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଛି।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ନିଜ ଘରୁ ବାହାରି ଯାଇଥିଲେ। ସେହି ଦିନଠାରୁ ସେ ନିଖୋଜ ଥିଲା ବେଳେ ୧୦ ଦିନ ପରେ ଅର୍ଥାତ ଅକ୍ଟୋବର ୧୮ ତାରିଖରେ ସନସାଇନ୍ ପବ୍ଲିକ ସ୍କୁଲ୍ ନିକଟ ମହାଲିଙ୍ଗ ଷ୍ଟାଡିୟମ ଭିତରେ ନିର୍ମାଣାଧୀନ କାର୍ଯ୍ୟ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଅକ୍ଟୋବର ୧୯ ତାରିଖରେ ଗୋବିନ୍ଦ ସାହୁକୁ ଏକ ଆଖୁ ବିଲ ଭିତରୁ ଗିରଫ କରାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ଗୋବିନ୍ଦ ଆତ୍ମହତ୍ୟା କରିଥାନ୍ତା, ତେବେ ଗିରଫ ହେବା ପୂର୍ବରୁ ଏହି ନିଷ୍ପତ୍ତି ନେଇ ପାରିଥାନ୍ତା। କିନ୍ତୁ ୧୪ ମାସ ପରେ ଏହିଭଳି ନିଷ୍ପତ୍ତି ନେଲା କାହିଁକି?

ଗୋବିନ୍ଦଙ୍କୁ ହତ୍ୟା କରାଗଲା: ସ୍ତ୍ରୀ

ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ମାନସିକ ଭାବେ ବହୁତ ଶକ୍ତିଶାଳୀ ଥିଲେ। ଗୋବିନ୍ଦ ଆତ୍ମହତ୍ୟା କରିବା ନେଇ ସୁଷମା ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସୋମବାର ପୂର୍ବାହ୍ଣରେ ଗୋବିନ୍ଦ ଘରକୁ ଫୋନ କରି ସବୁ ପଚାରିଥିଲା। ଯଦି ଅବସାଦ ମନରେ ଥାଆନ୍ତା, ତା’ହେଲେ ପତ୍ନୀଙ୍କୁ କିଛି କହିଥାନ୍ତେ। ସୁଷମାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀଙ୍କୁ ଯୋଜନା ଅନୁସାରେ ହତ୍ୟା କରାଯାଇଛି। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ। ଜେଲରେ କଡ଼ା ସୁରକ୍ଷା ଭିତରେ ଥାଇ ସେ କିପରି ଆତ୍ମହତ୍ୟା କଲେ ? ଏଥି ପାଇଁ ପୁଲିସ ଦାୟୀ ବୋଲି କହିଛନ୍ତି। ଶ୍ରୀମତୀ ସାହୁ କହିଛନ୍ତି ଯେ, ମୋ ସ୍ବାମୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଏନେଇ ଥାନାରେ ସେ ଏତଲା ଦେଇଛନ୍ତି।

ମୁହଁ ଖୋଲିଲେନି ମୁଖ୍ୟମନ୍ତ୍ରୀ

ମମିତା ମେହେର ହତ୍ୟା ଘଟଣାକୁ ୧୪ ମାସରୁ ଊର୍ଦ୍ଧ୍ବ’ ସମୟ ବିତିଯାଇଛି। ବିଗତ ଦିନରେ ଏହି ପ୍ରସଙ୍ଗ ନେଇ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ ହୋଇଛି। ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ସରକାରୀ କାର୍ଯ୍ୟାଳୟ ଘେରାଉ ହୋଇଛି। ମନ୍ତ୍ରୀ, ବିଧାୟକଙ୍କୁ ଅଣ୍ଡା ମାଡ଼ ହୋଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି। ମା’ ଓ ଭଉଣୀଙ୍କୁ ପ୍ରବଳ ଭଲ ପାଉଥିବା ମୁଖ୍ୟମନ୍ତ୍ରୀଙ୍କ ମୁହଁ ନ ଖୋଲିବା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ରାଜ୍ୟର ସାଢ଼େ ୪ କୋଟି ଜନତା ତାଙ୍କର ଅତିପ୍ରିୟ। ଏଠାରେ ପ୍ରଶ୍ନ ଉଠୁଛି ଯେ, ମମିତା ମେହେର ଓ ଗୋବିନ୍ଦ ସାହୁ କ’ଣ ଓଡ଼ିଶାର ବାସିନ୍ଦା ନ ଥିଲେ କି?

ତଦନ୍ତ ଉପରେ ସନ୍ଦେହ

ଗୋବିନ୍ଦ ହତ୍ୟା ଘଟଣାର ୧୨ ଘଣ୍ଟା ପୂର୍ବରୁ ଜେଲ ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ସିଆଇଡି-କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବ। ରାଜ୍ୟ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପାଇଁ ୧୦ ଜଣିଆ ଟିମ୍ ଗଠନ ହୋଇଛି। ସେହିପରି ନିଜ ଆଡୁ ମାମଲା କରି ରାଜ୍ୟ ମାନବାଧିକାର କମିସନ (ଓଏଚ୍ଆରସି) ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଓ ବଲାଙ୍ଗୀର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏସବୁରୁ ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ ଉତ୍ତର ମିଳିବ ବୋଲି ଆଶା କରାଯାଉଛି। କାରଣ ବିଗତ ଦିନରେ ରାଜ୍ୟରେ ଅନେକଗୁଡ଼ିଏ ଘଟଣା ତଦନ୍ତ ଭିତରେ ବାଟବଣା ହୋଇଯାଇଛି। ତେଣୁ ଏହି ମାମଲା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments