ଭୁବନେଶ୍ୱର: ମହାନଦୀ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଶକ୍ତି। ଏହାରି ଯୋଗୁଁ ଉଭୟ ରାଜ୍ୟର ଲକ୍ଷାଧିକ କୃଷକ ସବୁଜିମା ସୃଷ୍ଟି କରିପାରିଛନ୍ତି। ହୀରାକୁଦ୍ ଡ୍ୟାମ୍ ମାଧ୍ୟମରେ ଏକାଧିକ କଳକାରଖାନାକୁ ଜଳ ଯୋଗାଣ ହୋଇପାରୁଛି। ମହାନଦୀର ଜଳରୁ ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ଯୋଗାଣ କରାଯାଇ ପାରିଛି। ମତ୍ସଜୀବୀମାନେ ମହାନଦୀରୁ ମାଛ ଧରି ପରିବାର ପାଳନ କରୁଛନ୍ତି। ସେହିପରି ନାବିକ ମାନେ ନଦୀକୂଳିଆ ଲୋକଙ୍କୁ ପାରି କରି ଟଙ୍କା ରୋଜଗାର କରିପାରୁଛନ୍ତି। କିନ୍ତୁ ମହାନଦୀରେ ବିଭିନ୍ନ ସମୟରେ ଅଘଟଣ ମଧ୍ୟ ଘଟିବାର ନଜିର ରହିଛି। ବିଗତ ୨ ମାସ ଭିତରେ ମହାନଦୀର ଜଳରାଶିରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ନିଖୋଜ ହୋଇଛନ୍ତି।
ଛତିଶଗଡ଼ର ଧମତରୀ ଜିଲ୍ଲାରୁ ପ୍ରବାହିତ ଏହି ନଦୀ ପ୍ରାୟ ୯୦୦ କିଲୋମିଟର ଦେଇ ପ୍ରବାହିତ ହେବା ପରେ ଓଡ଼ିଶାର ବତିଘର ଠାରେ ବଙ୍ଗୋପସାଗରରେ ଲୀନ ହୋଇଛି। ଏହାରି ମଧ୍ୟରେ ମହାନଦୀ ରାଜିମ୍, ସମ୍ବଲପୁର, ସୋନପୁର, ବୀରମହାରାଜପୁର, ସୁବଳୟା, ବୌଦ୍ଧ, କଣ୍ଟିଲୋ, ବାଙ୍କୀ, କଟକ ଆଦି ସହରର ଲୋକଙ୍କର ଜୀବନରେଖା ପାଲଟିଛି। ସେହିପରି ରାୟପୁର, ଜାଞ୍ଜିଗିର, ବିଲାସପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର ଆଦି ଜିଲ୍ଲାର ଲୋକଙ୍କ ପାଇଁ ସାହାର ପାଲଟିଛି।
ଭାସିଗଲେ ବାପ ସହ ପୁଅ ଓ ଝିଅ
ସମ୍ବଲପୁର ଦେଇ ପ୍ରବାହିତ ମହାନଦୀ ଦଲେଇପଡ଼ା ମହିଳା ଘାଟରେ ଗତ ସୋମବାର ଘଟିଥିବା ଅଭାବନୀୟ ଘଟଣାରେ ଗୋଟିଏ ପରିବାରର ଚାରିଜଣ ଭାସିଯିବା ଘଟଣା ଓଡ଼ିଶାର ଜନମାନସରେ ଚର୍ଚ୍ଚାର ବିଷୟ ହୋଇଛି। ଆଖି ଆଗରେ ଝିଅ-ପୁଅ ଭାସିଯାଉ ଥିବାବେଳେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲ୍ତାଫ(୪୦) ମଧ୍ୟ ମହାନଦୀରେ ଲୀନ ହୋଇଯାଇଛନ୍ତି। ଘରେ ଗାଧୋଇବା ପାଇଁ ବ୍ୟବସ୍ଥା ନଥିବା ବେଳେ ସମ୍ବଲପୁର ପେନ୍ସନପଡ଼ା ନିବାସୀ ମହମ୍ମଦ ଅଲ୍ତାଫ୍ ସ୍କୁଟିରେ ନିଜ ପୁଅ ମହମ୍ମଦ ଅଫ୍ତାବ ଓ ଝିଅ ରୁକ୍ସାନା ଖାତୁନ୍ଙ୍କୁ ଧରି ଗାଧୋଇବାକୁ ଦଲେଇପଡ଼ା ମହିଳା ଘାଟକୁ ଯାଇଥିଲେ। ଗାଧୋଇବାକୁ ପାଣି ଭିତରକୁ ପଶିବାର ମାତ୍ର କିଛି ସମୟ ଭିତରେ ସ୍ରୋତରେ ଭାସି ଯାଇଥିଲେ।
ଅଧ୍ୟାପିକାଙ୍କ ସ୍ତ୍ରୀ ନିଖୋଜ
ସେହିପରି ଗତ ଶନିବାର ରାତିରେ ମହାନଦୀର ବୌଦ୍ଧ ସହର ଉପକଣ୍ଠ କିଆକଟା ପୋଲ ଉପରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ପଛପଟେ ବସିଥିବା ଜଣେ ଅଧ୍ୟାପକଙ୍କ ପତ୍ନୀ ମହାନଦୀ ଗର୍ଭକୁ ଛିଟିକି ପଡ଼ିଥିଲେ। ଅନୁଗୁଳ ଜିଲ୍ଲା ମାଧପୁର କଲେଜର ଅଧ୍ୟାପକ ବେଦ୍ୟନାଥ ସାହୁ ସପରିବାର ବୌଦ୍ଧ ସହର ନୂଆସାହିରେ ଭଡ଼ାରେ ରହୁଥିଲେ। ଘଟଣା ଦିନ ଶ୍ରୀ ସାହୁ ନିଜର ଜଣେ ବିଶ୍ୱସ୍ତ ଟୁନା ବାରିକଙ୍କୁ ବାଇକ୍ରେ ପତ୍ନୀ ପ୍ରତିମା ସାହୁଙ୍କୁ ବୌଦ୍ଧରେ ଛାଡ଼ି ଆସିବାକୁ କହିଥିଲେ। ତରତର ହୋଇ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଭୁବନେଶ୍ୱର ବିଜେବି କଲେଜ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ଗତ ସେପ୍ଟେମ୍ବର ମାସରେ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଜୀବନ ପାଇଁ ସଂଘର୍ଷ କଲା ହାତୀ
ଗତ ମାସର ଶେଷ ସପ୍ତାହରେ କଟକ ଜିଲ୍ଲାର ମୁଣ୍ଡଳୀ ଠାରେ ମହାନଦୀରେ ହାତୀ ଫସିବା, ଜଣେ ସାମ୍ବାଦିକ ଓ ଓଡ୍ରାଫ୍ ଟିମ୍ର ସଦସ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା। ଦନ୍ତା ହାତୀକୁ ଉଦ୍ଧାର କରିବା ପାଇଁ ଏକ ପାୱାର ବୋଟ ଫସି ଯାଇଥିଲା। ମହାନଦୀର ପ୍ରଖର ଜଳ ସ୍ରୋତକୁ ଓଡ୍ରାଫ ଟିମ୍ର ବୋଟ୍ ମୁକାବିଲା କରିପାରି ନଥିଲା। ହାତୀକୁ ଉଦ୍ଧାର କରିବା ପାଇଁ ଯୋଜନା କରୁଥିବା ଯବାନ ମାନେ ବିଫଳ ହୋଇଥିଲେ। ଦନ୍ତାହାତୀଟି ଦିନସାରା ଜୀବନ ଜିଇଁବାକୁ ସଂଘର୍ଷ କରି ଶେଷରେ ହାରିଗଲା।