ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଇ ଭକ୍ତଙ୍କର ମନରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି। ପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିଲେ, ସେଠାରେ କ’ଣ ସବୁ ରହିଛି, ସେନେଇ ଜାଣିବା ପାଇଁ ଓଡ଼ିଶାବାସୀଙ୍କ ସମେତ ଜଗନ୍ନାଥପ୍ରେମୀ ଅପେକ୍ଷା କରିଛନ୍ତି। ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ରଥ ଉପରେ ସୁନାବେଶ କରାଯାଇଥାଏ। ଏହି ସମୟରେ ମନ୍ଦିର ଭିତରୁ ସୁବର୍ଣ୍ଣ ଅଳଙ୍କାର ଅଣାଯାଇ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଥାଏ। ଭକ୍ତମାନେ ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି। କିନ୍ତୁ କୁହାଯାଇଥାଏ ଯେ, ମହାପ୍ରଭୁଙ୍କ ସୁନାବେଶରେ ଯେତିକି ଅଳଙ୍କାର ବ୍ୟବହାର କରାଯାଉଛି, ତା’ଠାରୁ ରତ୍ନଭଣ୍ଡାରରେ ଢେର ଅଧିକ ରହିଛି। ଯେହେତୁ ରତ୍ନଭଣ୍ଡାର ଦୀର୍ଘ ବର୍ଷ ହେଲା ଖୋଲାଯାଇ ନାହିଁ, ସେହି କାରଣରୁ ସେଠାରେ କେତେ ଅଳଙ୍କାର ରହିଛି ତାହା ଜାଣିବା ପାଇଁ ସମସ୍ତଙ୍କର ମନରେ ଏକ ଚିନ୍ତା ରହିଛି।
କୁହାଯାଇଥାଏ ଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ୪୬ ବର୍ଷ ପୂର୍ବରୁ ଖୋଲାଯାଇଥିଲା। ପ୍ରାୟ ୪ ଦଶନ୍ଧି ଧରି ରତ୍ନଭଣ୍ଡାର ଖୋଲାଯାଇ ନଥିବାରୁ ରତ୍ନଭଣ୍ଡାରରେ ଏବେ ସବୁ ଅଳଙ୍କାର ସୁରକ୍ଷିତ ଅଛି, ନାଁ ସେଥିରୁ କିଛି ନଷ୍ଟ ହୋଇଯାଇଛି, ସେନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୪ ରଥଯାତ୍ରା ସମୟରେ ଯେତେବେଳେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ, ସେଠାରୁ କ’ଣ ବାହାରିବ, ସେଥିପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି।
ଗଜପତି ମହାରାଜ କ’ଣ କହିଲେ?
ନିକଟରେ ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଜପତି ମହାରାଜଙ୍କୁ ଭେଟିଥିଲେ। ଏହା ପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଥିଲେ, ବର୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଉଚିତ୍ ହେବ ନାହିଁ। ତେଣୁ ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲାଯିବାର ଉଚିତ୍ ସମୟ। ଏହି ସମୟରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାରର ଗଣତି କରାଯିବା ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କେବଳ ସେତିକି ନୁହେଁ ଗଜପତି ମହାରାଜ ଏ ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ, ପରିଚାଳନା କମିଟିର ସବୁ ନିଷ୍ପତି ଠିକ୍ ବୋଲି ଦର୍ଶାଇଥିବା ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।
ଶାସକ ଦଳକୁ ନିର୍ବାଚନ ଭୟ: ବିରୋଧୀ
ଗଜପତି ମହାରାଜଙ୍କ ପ୍ରତିକ୍ରିୟା ମିଳିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ ମୁହଁ ଖୋଲିଛନ୍ତି। ବିଜେପି କହିଛି ରତ୍ନଭଣ୍ଡାର ଖୋଲିବା ପାଇଁ ରଥଯାତ୍ରା ଯାଏଁ କାହିଁକି ଅପେକ୍ଷା କରାଯିବ? କଣ ପାଇଁ ରଥଯାତ୍ରା ପାଇଁ ଅପେକ୍ଷା କରୁଛନ୍ତି ରାଜ୍ୟ ସରକାର ? ତା ପୂର୍ବରୁ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର । ଆଗକୁ ନିର୍ବାଚନ ଅଛି । ଆଉ ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲିଲେ କିଛି ବିଭ୍ରାଟ ହେଲେ ସରକାରଙ୍କୁ ଧୂଳିସାତ କରିଦେବେ। ସେହିଭଳି କଂଗ୍ରେସ କହିଛି, ରତ୍ନଭଣ୍ଡାର ଖୋଲିବା ପାଇଁ ଦଳ ସବୁବେଳେ ଦାବି କରିଆସିଛି। କଂଗ୍ରେସର ଶୋଭାଯାତ୍ରା ପରେ ଏଭଳି ନିଷ୍ପତ୍ତି ନେବାକୁ ଉଭୟ ଦଳ ବାଧ୍ୟ ହୋଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ସେପ୍ଟେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟ କହିଥିଲେ ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ୨ ମାସ ମଧ୍ୟରେ କମିଟି ଗଠନ କରାଯିବ। କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିପାରିବେ। ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।