ଭୁବନେଶ୍ବର: ବର୍ବରତାର ସୀମା ଟପୁଛି। ପୂର୍ବ ଶତ୍ରୁତା ହେଉ ଅଥବା ଶାରୀରିକ କ୍ଷୁଧା ହେଉ ଜଣେ କାମ ପିପାଶୁ ପୁରୁଷମାନେ ଯୁବତୀ ଓ ମହିଳାମାନଙ୍କୁ ସୁଯୋଗ ପାଇଲେ ଛାଡୁନାହାନ୍ତି। ଏହିଭଳି ଜଘନ୍ୟ ଅପରାଧରେ ନାବାଳକମାନେ ମଧ୍ୟ ଶିକାର ହେଉଥିବା ଦୃଷ୍ଟିଗୋଚର ହେଉଛନ୍ତି। ନାବାଳିକା ମଧ୍ୟ ଗଣଦୁଷ୍କର୍ମର ଶିକାର ହେଉଛନ୍ତି। ମହିଳା ହେଉବା ନାବାଳିକା ହେଉ ଯେତେବେଳେ କାନ୍ଦି କାନ୍ଦି କାପୁରୁଷମାନଙ୍କୁ କାକୁତିମିନତୀ କରୁଥିବେ, ସେଠାକାରା ସେହି ଅନୁଭୂତିକୁ ସେମାନେ ଜୀବନ ଥିବା ପର୍ଯ୍ୟନ୍ତ ଭୁଲିପାରିବେ ନାହିଁ। ଆମ ସମାଜରେ ଘଟି ଯାଉଥିବା ଏହିଭଳି ହୀନକାମକୁ ରୋକିବା ପାଇଁ ଶକ୍ତ ଆଇନ୍କାନୁନର ବ୍ୟବସ୍ଥା ନ ଥିବାରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଯାଉଥିବା ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରନ୍ତି।
ଚଳିତ ସପ୍ତାହରେ ବାଲେଶ୍ବରରେ ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଯେଭଳି ଭାବେ ୩ ଜଣ ଯୁବକ ଗଣଦୁଷ୍କର୍ମ କଲେ, ଏହି ଘଟଣା ଜାଣିବା ପରେ ସଂଜ ନଇଁଲେ ମହିଳାମାନେ ଘରୁ ବାହାରକୁ ଯିବା ସାହସ କରିବେ ନାହିଁ। ସ୍ବାମୀଙ୍କୁ ଆକ୍ରମଣ କରି ଅଭିଯୁକ୍ତମାନେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥାନ୍ତି। ସ୍ବାମୀ ଚିତ୍କାର କରୁଥିଲେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନଥାନ୍ତି। ଶେଷରେ ଦଂପତିଙ୍କ ପାଖରେ ଥିବା ଟଙ୍କାକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଆନ୍ତି। ବାଲେଶ୍ବର ଜିଲ୍ଲାରେ ଏହି ଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏହିଭଳି ଅଘଟଣ ଘଟିଥିଲା।
ସ୍ବାମୀଙ୍କୁ ପିଟିଲେ, ସ୍ତ୍ରୀଙ୍କୁ କଲେ ଦୁଷ୍କର୍ମ
ବାଲେଶ୍ବର ସହରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ଆଗରେ ଦୁଷ୍କର୍ମ କରାଯାଇଛି। ଗତ ୧୯ ତାରିଖ ମଧ୍ୟ ରାତିରେ ଦଂପତି ସ୍ଥାନୀୟ ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ୨ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତ ଏହି ଅମାନୁଷିକ କାର୍ଯ୍ୟରେ ସଂପୃକ୍ତ ଥିଲେ। ସେମାନେ ଦଂପତିଙ୍କ ଗୁହାରି ଶୁଣୁ ନ ଥିଲେ। ୩ ଜଣ ବ୍ୟକ୍ତି ମହିଳାଙ୍କ ସ୍ବାମୀଙ୍କୁ ମାଡ଼ମାରୁଥିବା ବେଳେ ଅନ୍ୟମାନେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ। ଏହିଭଳି ଘଟଣା ସଭ୍ୟ ସମାଜର ଶିକ୍ଷିତ ଲୋକଙ୍କୁ ମର୍ମାହତ କରୁଛି। ଅଭିଯୁକ୍ତମାନେ ଏତେ କାଣ୍ଡ କଲା ପରେ ବି ସେମାନେ ଦଂପତିଙ୍କ ଠାରୁ ବଳପୂର୍ବକ ୧୦ ହଜାର ଟଙ୍କା ଛଡେଇ ନେଇ ପଳାୟନ କରିଥିଲେ। ତେବେ ଏହି ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତମାନେ ଯଦିଓ ଗିରଫ ହୋଇଛନ୍ତି, ଏମାନଙ୍କୁ କେଉଁ ପ୍ରକାରର ନ୍ୟାୟ ମିଳିବ, ତାହା ଦେଖିବାକୁ ରହିଲା।
ଭଉଣୀକୁ ସୁରକ୍ଷା ଦେଇପାରିଲେନି ଭାଇ
ବାଲେଶ୍ବର ଜିଲ୍ଲାରେ ଏହି ପ୍ରକାରର ଘଟଣା ନୁଆଁ ନୁହେଁ। ୨୦୨୧ ଜାନୁଆରି ୧୮ ତାରିଖରେ ମଧ୍ୟ ସମାନ ପ୍ରକାରର ଘଟଣା ଘଟିଥିଲା। ନୀଳଗିରି ବ୍ଲକ ପଂଚଲିଙ୍ଗେଶ୍ବର ନିକଟସ୍ଥ କଣ୍ଠିଆଟିକର ଛକରେ ଭାଇଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସଂପର୍କୀୟ ନାବାଳିକା ଭଉଣୀକୁ ଦୁଇ ଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଘଟଣା ଦିନ ରାତି ପ୍ରାୟ ୭.୩୦ରେ ଖନ୍ତାପଡ଼ା ଥାନା ଅଧୀନସ୍ଥ ପଣ୍ତାଶୁଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ମନୋରଂଜନ(୨୫) ସଂପର୍କୀୟ ଭଉଣୀକୁ ଧରି ନୀଳଗିରିରୁ ଘରକୁ ଫେରୁଥିବା ବେଳେ କଣ୍ଠିଆଟିକର ଛକ ନିକଟରେ ହଠାତ୍ ଏକ କଳା ପଲସରରେ ଦୁଇ ଯୁବକ ଭୁଜାଲି ଓ ଏକ ଠେଙ୍ଗାରେ ଯୁବକକୁ ଆକ୍ରମଣ କରି ନାବାଳିକା ଭଉଣୀକୁ ଅପହରଣ କରି ଘଟଣାସ୍ଥଳରୁ ଛୁ ମାରିଥିଲେ। ପରେ ଦୁଇ ଯୁବକ ନାବାଳିକାକୁ ପଂଚଲିଙ୍ଗେଶ୍ବର ପାନ୍ଥଶାଳା ପଛପଟ ଜଙ୍ଗଲରେ ଗଣଦୁଷ୍କର୍ମ କରି ମାଡ଼ ମାରି ଘଟଣାସ୍ଥଳରୁ ପଳାଇଯାଇଥିଲେ।
ବାପା ଆଗରେ ଝିଅକୁ ଦୁଷ୍କର୍ମ
ସଂପର୍କୀୟ ସାମ୍ନାରେ ମହିଳା ଓ ନାବଳିକାଙ୍କୁ ଗଣଦୁଷ୍କର୍ମ ଘଟଣା କେବଳ ଓଡ଼ିଶା ଭିତରେ ସୀମିତ ନୁହେଁ। ଉତ୍ତର ପ୍ରଦେଶ ଓ ବହାରରେ ମଧ୍ୟ ଦେଖାଯାଇଥାଏ। କିସନଗଞ୍ଜ ଜିଲ୍ଲା ସ୍ଥିତ କୋଢ଼ୱାଡ଼ି ଥାନା ଅଧୀନରେ ୨୦୧୯ ଫେବ୍ରୁଆରି ୮ ତାରିଖରେ ବାପା ଆଗରେ ଝିଅକୁ ଗଣଦୁଷ୍କର୍ମ କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଘରୁ ଉଠାଇ ନେଇ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ ୬ ଜଣ ଯୁବକ। ତେବେ ସବୁଠୁ ଦୁଃଖଦ ବିଷୟ ହେଉଛି ମହିଳାଙ୍କ ବାପାଙ୍କ ଆଖି ଆଗରେ ଏସବୁ ଘଟଣା ଘଟି ଯାଇଥିଲେ ମଧ୍ୟ ସେ ତାଙ୍କ ଝିଅକୁ ରକ୍ଷା କରିପାରିନଥିଲେ। ଦୁଷ୍କର୍ମକାରୀମାନେ ତାଙ୍କୁ ଏକ ଗଛରେ ବାନ୍ଧି ଦେବା ଫଳରେ ସେ ନିଜ ଝିଅଙ୍କୁ ସେମାନଙ୍କ କବଳରୁ ରକ୍ଷା କରିପାରିନଥିଲେ।