Wednesday, December 4, 2024
Homeଖବରପ୍ରମୁଖ ଖବରମହିଳା ବିଚାରପତି ଅସୁରକ୍ଷିତ, ଅସମ୍ମାନିତ!

ମହିଳା ବିଚାରପତି ଅସୁରକ୍ଷିତ, ଅସମ୍ମାନିତ!

ଭୁବନେଶ୍ବର: ବର୍ତ୍ତମାନର ସମୟ ଅତ୍ୟାଧୁନିକ ଆଡ଼କୁ ଅଗ୍ରସର ହେଉଛି। ଏହା ଓଡ଼ିଶା ବା ଭାରତରେ ସୀମତି ନୁହେଁ। ବରଂ ପୂରା ଭାରତବର୍ଷରେ ମହିଳାଙ୍କୁ ପୂର୍ବାପେକ୍ଷା ସମ୍ମାନ ମିଳୁଛି। ପାଶ୍ଚାତ୍ୟ ଦେଶରେ ଯଦିଓ ମହିଳାମାନେ ବହୁ ବର୍ଷ ପୂର୍ବରୁ ସ୍ବାଧୀନ ଭାରତ ତଥା ଏସିଆର କିଛି ଦେଶରେ ମହିଳାମାନେ ସଂପୂର୍ଣ୍ଣ ସ୍ବାଧୀନ ନୁହଁନ୍ତି। ତଥାପି ବିଗତ ଦୁଇ ଦଶନ୍ଧୀ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। କିନ୍ତୁ ଆମ ସମାଜରେ ଅନେକ ଲୋକ ମହିଳାଙ୍କୁ ଭିନ୍ନ ଦୃଷ୍ଟିକୋଣରେ ଦେଖିଥାନ୍ତି।

ଆଜିର ଦିନରେ ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଉନ୍ନତି ଘଟିଛି। ବିକାଶମୂଳକ କାର୍ଯ୍ୟରେ ମହିଳାଙ୍କ ଯୋଗଦାନ ରହୁଛି। ମହିଳାମାନେ ଆଉ ଘରର ଚାରିକୋଣରେ ବନ୍ଦୀ ହୋଇ ରହୁନାହାନ୍ତି। ସେମାନଙ୍କ ପାଇଁ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସୁଯୋଗ ସୃଷ୍ଟି ହୋଇଛି। ଭାରତର ରାଷ୍ଟ୍ରପତି ଜଣେ ମହିଳା ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ବ୍ୟାଙ୍କ, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ମହିଳାମାନେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ସେହିପରି ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ମହିଳାମାନଙ୍କର ଯୋଗଦାନକୁ ଭୁଲାଯାଇ ପାରିବ ନାହିଁ। ତେବେ କ୍ଷୋଭର ବିଷୟ ହେଲା ଯେ, ଜଣେ ବରିଷ୍ଠ ବିଚାରପତିଙ୍କଦ୍ବାରା ଯୌନଉତ୍ପୀଡ଼ର ସରବ୍ୟ ହୋଇ ଉତ୍ତର ପ୍ରଦେଶ ଅନ୍ତର୍ଗତ ବାନ୍ଦାର ଜଣେ ମହିଳା ବିଚାରପତି ଖୋଲାଚିଠି ଲେଖିଛନ୍ତି, ଯାହାକି ଏବେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏନେଇ ପ୍ରଧାନବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନକୁ ‘ଷ୍ଟାଟସ୍‌ ରିପୋର୍ଟ’ ମାଗିଛନ୍ତି।

ଜୀବନ ହାରିବାକୁ ମହିଳା ବିଚାରପତିଙ୍କ ଚିଠି

ପ୍ରଧାନ ବିଚାରପତିଙ୍କ ପାଇଁ ମହିଳା ବିଚାରପତିଜଣକ ଲେଖିଛନ୍ତି ଯେ, ଜିଲ୍ଲା ଜଜ୍‌ ତାଙ୍କୁ ରାତିରେ ଦେଖା କରିବାକୁ ଡକାଇଛନ୍ତି। ମୋ ଉପରେ ଯୌନ ଉତ୍ପୀଡ଼ନର ସମସ୍ତ ସୀମା ଟପିଗଲାଣି। ମୋତେ ଅବାଞ୍ଛିତ ଭଳି ବ୍ୟବହାର କରାଯାଉଛି। ମୋର ମନେ ହେଉଛି, ସତେଯେମିତ ମୁଁ ଅଲାଡ଼ା। ୨୦୨୩ ଜୁଲାଇରେ ହାଇକୋର୍ଟର ‘ଇଣ୍ଟର୍‌ନାଲ୍‌ କମ୍ପ୍ଲାଣ୍ଟ୍‌ସ୍‌ କମିଟି’ରେ ଅଭିଯୋଗ ଦାଏର କରିବା ପରେ ତଦନ୍ତ ଆଦେଶ ଦିଆଯାଇଥିଲା। କିନ୍ତୁ, ତାହା ପ୍ରହସନ ଥିଲା। ଏହି ତଦନ୍ତର ସାକ୍ଷୀମାନେ ଥିଲେ ଜିଲ୍ଲା ଜଜ୍‌ଙ୍କ ଅଧଃସ୍ତନ କର୍ମଚାରୀ। ସେମାନେ କେମିତି ତାଙ୍କ ଉପରିସ୍ଥ ଅଧିକାରୀଙ୍କ ବିପକ୍ଷରେ ସାକ୍ଷ୍ୟ ଦେବେ ବୋଲି ‘ତଦନ୍ତ କମିଟି’ ଆଶା କଲା, ସେ କଥା ମୁଁ ବୁଝିପାରୁନାହିଁ। ନିରପେକ୍ଷ ତଦନ୍ତ ପାଇଁ ସୁନିଶ୍ଚିତ ହେବାକୁ ତଦନ୍ତ ପ୍ରାରମ୍ଭରେ ମୁଁ ସେ ବିଚାରପତିଙ୍କୁ ବଦଳି କରିବାକୁ ଅନୁରୋଧ କରିଥିଲି। କିନ୍ତୁ, ମାତ୍ର ୮ ସେକେଣ୍ଡ୍‌ରେ ସୁପ୍ରିମ୍‌ କୋର୍ଟ ମୋ ପିଟିସନ୍‌ ଖାରଜ କରିଦେଲେ।ମୋର ଆଉ ବଞ୍ଚିବାକୁ ଇଚ୍ଛା ନାହିଁ। ଗତ ଦେଢ଼ବର୍ଷ ହେବ ମୁଁ ଗୋଟାଏ ଜୀବନ୍ତ ମୁର୍ଦ୍ଦାର ପାଲଟି ଗଲିଣି। ଆଉ ଏ ଆତ୍ମାହୀନ, ନିଷ୍ପ୍ରାଣ ଦେହକୁ ଧରି ରଖିବାରେ କ‌ୌଣସି ଉଦ୍ଦେଶ୍ୟ ନାହିଁ। ମୋ ଜୀବନ ଅକାରଣ ହୋଇଗଲା। ଦୟାପୂର୍ବକ ସମ୍ମାନର ସହିତ ମୋତେ ଜୀବନ ହାରିବାକୁ ଅନୁମତି ମିଳୁ।

ମହିଳା ବିଚାରପତିଙ୍କୁ ଓକିଲଙ୍କ ଆଶାଳୀନ ମେସେଜ୍‌

ଆହ୍ଲାବାଦ ହାଇକୋର୍ଟର ଜଣେ ମହିଳା ବିଚାରପତିଙ୍କୁ ଜଣେ ଓକିଲ ନାନା ହଇରାଣ କରୁଥିବା ନେଇ ଗତ ଏପ୍ରିଲ ମାସରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ ବିଚାରପତିଙ୍କୁ ଫେସବୁକ୍‌ରେ ଅଶାଳୀନ ମେସେଜ ପଠାଇବା‌ ସହ ତାଙ୍କୁ ବାରମ୍ବାର ପିଛା କରୁଥିଲେ। ଏହି କାରଣ ପାଇଁ ମହିଳା ବିଚାରପତି ଜଣଙ୍କ ଓକିଲଙ୍କ ବିରୋଧରେ ଏକ ଏତଲା ରୁଜୁ କରିଥିଲେ। ଏନେଇ ଆହ୍ଲାବାଦ ହାଇକୋର୍ଟ ଉକ୍ତ ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ କରିଥିଲେ। ଓକିଲ ଅଭୟ ପ୍ରତାପ ଆହ୍ଲାବାଦ ହାଇକୋର୍ଟର ଜଣେ ବିଚାରପତିଙ୍କୁ ପ୍ରଥମେ ତାଙ୍କ ଫେସବୁକ ଆକାଉଣ୍ଟ୍‌ରେ ଅଶାଳୀନ ମେସେଜ୍‌ ପଠାଇଥିଲେ। ଏହାପରେ ବିଚାରପତି ଜଣଙ୍କ ଓକିଲଙ୍କୁ ଫେସବୁକରୁ ବ୍ଲକ୍‌ କରିଦେଲେ। ତେବେ ଫେସବୁକ୍‌ରୁ ବ୍ଲକ୍‌ ହେବାପରେ ଓକିଲ ଜଣଙ୍କ ଆହ୍ଲାବାଦ ହାଇକୋର୍ଟ ଆସିଲେ ଏବଂ ନିୟମିତ ମହିଳା ବିଚାରପତିଙ୍କୁ ପିଛା କରିବା ସହ ନାନା ଇଙ୍ଗିତ କରୁଥିଲେ।

ଆଫଗାନିସ୍ତାନରେ ମହିଳା ବିଚାରପତି ଅସୁରକ୍ଷିତ!
ମହିଳା ବିଚାରପତି ଅସମ୍ମାନିତ ହେବା ଘଟଣା କେବଳ ଭାରତରେ ନୁହେଁ। ବିଦେଶରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିବାର ନଜିର ରହିଛି। ୨୦୨୧ ସେପ୍ଟେମ୍ବର ମାସରେ ଏକ ଖବର ପ୍ରକାଶିତ ହୋଇଥିଲେ। ଏଥିରେ କୁହାଯାଇଥିଲା ଯେ, ଆଫଗାନିସ୍ତାନର ୨୫୦ ମହିଳା ବିଚାରପତିଙ୍କ ଜୀବନ ପ୍ରତି ବିପଦ ଅଛି। ସେମାନେ ଖୁବ୍‌ ଭୟରେ ଅଛନ୍ତି। ଦିନେ ଯେଉଁମା‌ନଙ୍କୁ ସେମାନେ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ ଏବେ ସେମାନେ ଜେଲ୍‌ରୁ ମୁକ୍ତ ହୋଇ ସାରିଛନ୍ତି। ତାଲିବାନ କ୍ଷମତାକୁ ଆସିବାପରେ ହଜାର ହଜାର କଏଦୀଙ୍କୁ ମୁକ୍ତ କରିଦେଇଛି। ଏବେ ଏହି କଏଦୀମାନେ ମହିଳା ବିଚାରପତିଙ୍କ ପାଇଁ ବିପଦ ହୋଇଛନ୍ତି। କିଛି ମହିଳା ବିଚାରପତି ୨ ସପ୍ତାହ ମଧ୍ୟରେ ଦେଶ ଛାଡ଼ିଦେଇଥିଲେ। ସେହି ସମୟରେ ତାଲିବାନମାନେ କହିଥିଲେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ। କିନ୍ତୁ ବିଚାର ବିଭାଗରେ କାମ କରୁଥିବା ମହିଳାମାନେ ଏବେ ହାଇ ପ୍ରୋଫାଇଲ୍‌ ଟାର୍ଗେଟ୍‌ରେ ଅଛନ୍ତି। ୨୦୨୧ ଜାନୁଆରିରେ ସୁପ୍ରିମ୍‌କୋର୍ଟର ୨ ମହିଳା ବିଚାରପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିକଟରେ ୟୁରୋପ ପଳାଇଥିବା ଜଣେ ଆଫଗାନ ମହିଳା ବିଚାରପତି ଆଫଗାନିସ୍ତାନରେ ସବୁ ମହିଳା ବିଚାରପତିଙ୍କ ଜୀବନ ପ୍ରତି ଘୋର ବିପଦ ଥିବା କହିଥିଲେ। ସେ ରଏଟର୍ସକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ କାବୁଲରେ ତାଙ୍କ ଘରକୁ ୪-୫ ଜଣ ତାଲିବାନ ଆତଙ୍କବାଦୀ ଆସି ତାଙ୍କୁ ଧମକ ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments