Tuesday, September 17, 2024
Homeମାଓଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍‌!
Array

ମାଓଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍‌!

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ୨୦୦୦ ଟଙ୍କିଆ ନୋଟ୍ ଆଗାମୀ ଦିନରେ ଅଚଳ ହେବାକୁ ଯାଉଥିବା ବେଳେ କିଛି ଦିନ ପୂର୍ବରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦେଶରେ ବିମୁଦ୍ରୀକରଣ ହେଲା ପରେ ୨୦୧୬ ମସିହା ନଭେମ୍ବର ୮ ତାରିଖ ଠାରୁ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା । ବଡ଼ ନୋଟ୍ ପ୍ରଚଳନ ହେବା ଦ୍ୱାରା ଧନୀ ଶ୍ରେଣୀର ଲୋକଙ୍କୁ ନେଣଦେଣ କ୍ଷେତ୍ରରେ ସୁବିଧା ହେଲା । ସୁବିଧା ଓ ସହଜ ଦୃଷ୍ଟିରୁ ଏହି ନୋଟ ଯଦିଓ ଭଲ । ତଥାପି ସରକାର ଏହାକୁ ଆଗାମୀ ଦିନରେ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି । ଏଥି ପାଇଁ ତାରିଖ ଘୋଷଣା କରିଛନ୍ତି । ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି, ସେମାନେ ବ୍ୟାଙ୍କକୁ ଯାଇ ପରିବର୍ତ୍ତନ କରିପାରିବେ । ସରକାର ଏଥି ପାଇଁ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ଠାରୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଯାଉଛନ୍ତି ।

୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବା ଅବସ୍ଥାରେ ଥିବା ବେଳେ ଏବେବି ଦେଶରେ କିଛି ଲୋକଙ୍କ ଠାରେ ବହୁ ପରିମାଣରେ ଗଚ୍ଛିତ ରହିଛି । ଦୁର୍ନୀତି ତଥା ଅସାଧୁ ଉପାୟରେ ୨୦୦୦ ଟଙ୍କିଆ ରଖିଥିବା ଲୋକମାନେ ବ୍ୟାଙ୍କକୁ ଯାଇ ବଦଳାଇବାକୁ ସାହାସ କରିପାରୁ ନାହାନ୍ତି । ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ମାଓବାଦୀଙ୍କ ଠାରେ ପ୍ରଚୁର ପରିମାଣରେ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିବା । ବିଗତ ୧୫ ଦିନ ମଧ୍ୟରେ ମାଓବାଦୀଙ୍କ ଠାରୁ ୨ ଥର ବ୍ୟାପକ ପରିମାଣରେ ୨୦୦୦ ଟଙ୍କିଆ ନୋଟ୍ ଜବତ ହୋଇଛି । କିଛି ଦିନ ଆଗରୁ ଛତିଶଗଡ଼ର ବିଜାପୁରରେ ଜଣେ ମାଓ ସମର୍ଥକ ୨୦୦୦ ଟଙ୍କିଆ ନୋଟ୍ ଧରି ଟ୍ରାକ୍ଟର କିଣି ଆସିଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ । ଏବେ ପୁଣି ଜଣେ ମାଓ ସମର୍ଥକ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ଆସି ପୁଲିସ ହାତରେ ଧରାପଡ଼ିଛନ୍ତି ।

ଚିନ୍ତାରେ ମାଓବାଦୀ

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୨୦୦୦ ଟଙ୍କିଆ ନୋଟ ବନ୍ଦ ନେଇ ଘୋଷଣା କଲା ପରେ ମାଓବାଦୀମାନଙ୍କର ଚିନ୍ତା ବଢ଼ିଯାଇଛି । ଏହି ଟଙ୍କାକୁ କୌଣସି ପ୍ରକାରରେ ବଦଳାଇ, ତା ସ୍ଥାନରେ ନୂଆ ଟଙ୍କା ଆଣିବାକୁ ଉଦ୍ୟମ କରୁଛନ୍ତି । ଏଥି ପାଇଁ ସେମାନେ ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରୁଛନ୍ତି । ମାଓସମର୍ଥକମାନେ ମାଓବାଦୀଙ୍କ ଜାଲରେ ପଡ଼ି ଅଥବା ଲୋଭର ବଶବର୍ତ୍ତୀ ହୋଇ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ଯାଇଥିବା ବେଳେ ପୁଲିସ ହାତରେ ଧରାପଡୁଛନ୍ତି । ଛତିଶଗଡ଼ର ବିଜାପୁର ପୁଲିସ ଜଣେ ମାଓ ସମର୍ଥକଙ୍କ ଠାରୁ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ଏହି ସବୁ ଟଙ୍କା ୨୦୦୦ ନୋଟ୍ । ଏହା ପୂର୍ବରୁ ମଧ୍ୟ ଛତିଶଗଡ଼ ପୁଲିସ ମାଓବାଦୀଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଜବତ କରିଥିଲା, ଯେଉଁଥିରେ କି ବିପୁଳ ପରିମାଣରେ ୨୦୦୦ ଟଙ୍କିଆ ନୋଟ୍ ଥିଲା ।

୨୦୦୦ ଟଙ୍କିଆ ଜାଲ୍‌ ନୋଟ୍‌

ସାତ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଯେତେବେଳେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲେ, ଧନୀ ଶ୍ରେଣୀର ଲୋକଙ୍କ ମନରେ ଖୁସି ଜାତ ହୋଇଥିଲା । ଏହା ରଖିବା ଓ ହିସାବ ପାଇଁ ସୁବିଧା ହେଉଥିବାରୁ ଧନୀ ଶ୍ରେଣୀର ଲୋକଙ୍କ ମନରେ ଉତ୍ସାହ ଦେଖାଯାଉଥିଲା । ଅନ୍ୟପଟରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେବା ଦ୍ୱାରା ଦୁର୍ନୀତିକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ଭିଜିଲାନ୍ସ ଦ୍ୱାରା ଚଢ଼ଉ ସମୟରେ ବାବୁମାନଙ୍କ ଠାରୁ ବିପୁଳ ପରିମାଣରେ ୨୦୦୦ ଟଙ୍କିଆ ନୋଟ ଜବତ ହୋଇଛି । କେବଳ ସେତିକି ନୁହେଁ ୨୦୦୦ ଟଙ୍କିଆ ଜାଲ ନୋଟ ନେଟୱର୍କରେ ମଧ୍ୟ ସାମିଲ ହୋଇଛି । ଗତବର୍ଷ ମୁମ୍ବାଇ କ୍ରାଇମବ୍ରାଞ୍ଚ ୭ କୋଟିର ଜାଲ ନୋଟ ଜବତ କରିଥିଲା । ୨୦୧୭ ଓ ୨୦୧୮ ମସିହାରେ ଜବତ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୫୬ ପ୍ରତିଶତ ନକଲି ଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments