ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼-ଆନ୍ଧ୍ରପ୍ରଦେଶ ସୀମାରେ ମାଓବାଦୀ ମାନେ ପୁଣି ମାତିଛନ୍ତି। ବିଗତ ୧୫ ଦିନ ମଧ୍ୟରେ ଦୁର୍ଗମ ଅଞ୍ଚଳରେ ମାଓବାଦୀ ମାନେ ଉପଦ୍ରବ ସୃଷ୍ଟି କରିଛନ୍ତି। ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଯବାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମାଓବାଦୀମାନେ ଆଦିବାସୀଙ୍କ ବିକାଶ ନାଁରେ ବିନାଶ କରି ଚାଲିଛନ୍ତି। ଯିଏ ବିରୋଧ କଲା ସେ ମଲା, ଅଥବା ଯନ୍ତ୍ରଣା ପାଇଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ବ୍ୟାପକ ଯୋଜନା କରୁଥିଲେ ମଧ୍ୟ ଏଥିରୁ ସଫଳ ମିଳୁ ନାହିଁ। ବରଂ ମାଓବାଦୀଙ୍କ ଯୋଗୁଁ ନିରୀହ ଜନତା ବଳି ପଡୁଥିବା ବେଳେ ଜନସାଧାରଣଙ୍କ କୋଟି କୋଟି ଟଙ୍କା କ୍ଷତି ହେଉଛି।
ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲାର ଦୁଇଟି ସ୍ଥାନରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଘଟିଥିବା ଗୁଳିବିନିମୟ ୬ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏହି ଏନ୍କାଉଣ୍ଟରରେ ଜଣେ ଯବାନ ଆହତ ହୋଇଛନ୍ତି। ବିଜାପୁର ଏବଂ ତେଲେଙ୍ଗାନା ସୀମାରେ ପ୍ରାୟ ୫୦ରୁ ୬୦ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ ଖବର ମିଳିବା ପରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଏବଂ ପୁଲିସ ସହ ଡିଆରଜି ଯବାନ ମିଳିତ ଭାବେ ଏନ୍କାଉଣ୍ଟରସ୍ଥଳୀକୁ ପହଞ୍ଚି ଥିଲେ। ଏହି ଅଞ୍ଚଳରେ ମାଓ କମାଣ୍ଡର ସୁଧାକର ସମେତ ଅନେକ ନକ୍ସଲ ଏଠାରେ କ୍ୟାମ୍ପ କରି ରହିଥିଲେ। ମାଓବାଦୀ ମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷା ବାହିନୀର ପାଲଟା ଜବାବ ଦେଇଥିଲେ। ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି।
ମହିଳା ମାଓବାଦୀ ନିହତ
ଛତିଶଗଡ଼ର ସୁକମା ଏବଂ ଦନ୍ତୋଓ୍ଵାଡା ସୀମାରେ ଆଜି ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଛି। ତୋଙ୍ଗପାଲ ଏବଂ ଟୋହକାଡା ଅଂଚଳରେ ପ୍ରାୟ ୨୦ରୁ ୩୦ ନକ୍ସଲଙ୍କ ସହିତ ମହିଳା ମାଓବାଦୀ ଜଣକ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିଥିଲା। ଏହି କ୍ୟାମ୍ପରେ ମଙ୍ଗତୁ, ମହଙ୍ଗୁ, ମୁନ୍ନି, ପ୍ରଦୀପ, ସୋମଡୁ ଆଜି ମାଓବାଦୀ ଥିଲେ। ପ୍ରାୟ ଅଧ ଘଣ୍ଟା ଗୁଳିବିନିମୟ ପରେ ନକ୍ସଲ ଜଂଗଲରେ ଖସି ପଳାଇଥିଲେ। କିନ୍ତୁ ମହିଳା ମାଓବାଦୀ ମୁନ୍ନି ସେଠାରୁ ପଳାୟନ କରିପାରି ନ ଥିଲା।
ପ୍ରଜାକୋଟରେ ୫ ଗ୍ରାମବାସୀଙ୍କୁ ହତ୍ୟା
ସୀମାନ୍ତ ଓଡ଼ିଶା ଓ ଛତିଶଗଡରେ ନକ୍ସଲ ହିଂସା ଥମିବାର ନାଁ ନେଉ ନାହିଁ। ନକ୍ସଲମାନେ ଚଳିତ ମାସ ୧୭ ତାରିଖ ସୁଦ୍ଧା ୫ ଜଣଙ୍କୁ ହତ୍ୟା କରିସାରିଛନ୍ତି। ଛତିଶଗଡ଼ରେ ୪ ଜଣ ଓ ମାଲକାନଗିରିରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ନକ୍ସଲମାନେ ପ୍ରଜାକୋଟ ଡାକି ନିରୀହ ଗ୍ରାମବାସୀଙ୍କୁ ଜନତାଙ୍କ ଆଗରେ ପୁଲିସ ଇନ୍ଫରର୍ମର ଦର୍ଶାଇ ହତ୍ୟା କରିଛନ୍ତି। ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି, ଘଟଣା ଦିନରେ ସେମାନେ ପରିବାର ଲୋକଙ୍କ ସହିତ ଖାଇପିଇ ଶୋଇଥିଲେ। ମଧ୍ୟରାତ୍ରରେ ନକ୍ସଲମାନେ ସେମାନଙ୍କୁ ଡାକି ପ୍ରଜାକୋଟକୁ ନେଇଥିଲେ। ସେଠାରେ ଗ୍ରାମବାସୀଙ୍କ ସମ୍ମୁଖରେ ନିର୍ମମ ଭାବେ ହତ୍ୟା କରି ପଳାୟନ କରିଥିଲେ।
ନକ୍ସଲଙ୍କ ଭିନ୍ନ ଲକ୍ଷ୍ୟ
ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କେରମିଟି ଗ୍ରାମରେ ଗତ ଗୁରୁବାର ଦିନ ସଶସ୍ତ୍ର ନକ୍ସଲ କେରମିଟି ଗ୍ରାମରେ ପହଞ୍ଚି ଆନନ୍ଦ ମାଢିଙ୍କୁ ଘରୁ ଅପହରଣ କରି ନେଇଥିଲେ। ଆନନ୍ଦକୁ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ଆନନ୍ଦ ପୁଲିସ ଇନଫର୍ମର ବୋଲି ନକ୍ସଲ ପ୍ରଜାକୋର୍ଟରେ ଆନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଆନନ୍ଦକୁ ନିସ୍ତୁକ ମାଡ ମାରିଥିଲେ। ଦୁଇ ଦିନ ଜଂଗଲରେ ଚଲାଇ ଚଲାଇ ବିଭିନ୍ନ ସ୍ଥାନରେ ଆନନ୍ଦକୁ ଅଟକାଇ ମାଡ ମାରିବା ସହ ମୃତ୍ୟୁଦଣ୍ଡ ଦେବା ନେଇ ନିଷ୍ପତ୍ତି ନେଇଥିଲେ। ଆନନ୍ଦ ଯେତେ କାକୁତି ମିନତି କରିଥିଲେ ମଧ୍ୟ ନକ୍ସଲମାନେ ଶୁଣି ନଥିଲେ। ବାସ୍ତବରେ ନକ୍ସଲମାନେ ଯଦିଓ ଆଦିବାସୀ ଅଞ୍ଚଳର ବିକାଶ କହୁଛନ୍ତି, ସେମାନଙ୍କର ଲକ୍ଷ୍ୟ ଭିନ୍ନ। ଯଦି ସେମାନେ ବିକାଶ କଥା ଚିନ୍ତା କରନ୍ତେ, ଜୀବ ଦୟା ଉପରେ ଗୁରୁତ୍ୱ ଦିଅନ୍ତେ। ଆଦିବାସୀଙ୍କ ଅଧିକାର ପାଇଁ ସରକାରଙ୍କ ସହିତ ସଂଗ୍ରାମ କରିପାରନ୍ତେ।