ନୂଆଦିଲ୍ଲୀ: ବ୍ରିଟେନ୍ର ମହାରାଣୀ ଏଲିଜାବେଥ-୨ଙ୍କ ସେପ୍ଟେମ୍ବର ୮ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଗ୍ରୀଷ୍ମଛୁଟି କାଟିବା ପାଇଁ ସ୍କଟଲାଣ୍ଡ ଯାଇଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ଏହା ପୂର୍ବରୁ ମହାରାଣୀ ଏଲିଜାବେଥ-୨ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଚିକିତ୍ସା ଜାରିଥିଲା। ୯୬ ବର୍ଷୀୟ ମହାରାଣୀ ଏଲିଜାବେଥ-୨ ସ୍କଟଲାଣ୍ଡର ବାଲମୋରା କ୍ୟାଷ୍ଟେଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେ ୧୯୨୬ ମସିହା ଏପ୍ରିଲ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ଏବେ ପୁଅ ଚାର୍ଲସ (୭୩) ବ୍ରିଟେନ୍ର ନୂଆ ରାଜା ହୋଇଛନ୍ତି।
ବ୍ରିଟେନ୍ ଏକ ଅଦ୍ଭୁଦ ଦେଶ, ଯେଉଁଠି ଉଭୟ ଗଣତନ୍ତ୍ର ଓ ରାଜତନ୍ତ୍ର ବ୍ୟବସ୍ଥା ରହିଛି। ସାଧାରଣ ଜନତା ମଧ୍ୟ ବୁଝିପାରନ୍ତି ନାହିଁ ତାଙ୍କ ଦେଶର ଶାସନ ବ୍ୟବସ୍ଥା। ମହାରାଣୀଙ୍କ ମୃତ୍ୟୁ ପରେ ତାଙ୍କର ସୁଯୋଗ୍ୟ ସନ୍ତାନ ତଥା ବଡ଼ପୁଅ ଚାର୍ଲସଙ୍କୁ ରାଜା କରାଯାଇଛି। ଏହା ପୂର୍ବରୁ ଲଣ୍ଡନର ସେଣ୍ଟ ଜେମ୍ସ ପେଲେସରେ ବରିଷ୍ଠ ସଦସ୍ୟ, ସିଭିଲ ସର୍ଭେଣ୍ଟଓ, ମେୟରଙ୍କ ମଧ୍ୟରେ ଔପଚାରିକ ଭାବେ ବୈଠକ କରିଥିଲେ। ଚାର୍ଲସ ପାଖରେ ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡ ସମେତ ୧୪ ଅନ୍ୟ ଅଂଚଳର ଦାୟିତ୍ବ ରହିବ।
୭୦ ବର୍ଷର ଶାସକ
ବ୍ରିଟେନ୍ର ଇତିହାସରେ ମହାରାଣୀ ଏଲିଜାବେଥ-୨ ଏକ ଚର୍ଚ୍ଚିତ ଚେହେରା। କାରଣ ସେ ୭୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ଏବଂ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିଲେ। ୨୫ ବର୍ଷ ବୟସରେ ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କର ପିତା କିଙ୍ଗ୍ ଜର୍ଜ-୬ଙ୍କ ପରଲୋକ ପରେ ଏଲିଜାବେଥ-୨ ମହାରାଣୀ ହୋଇଥିଲେ । ବିଶ୍ୱର ଶକ୍ତିଶାଳୀଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । ମହାରାଣୀ ଏଲିଜାବେଥ ବିଶ୍ୱର ଏକମାତ୍ର ମହିଳା ଥିଲେ, ଯାହାଙ୍କୁ ବିଦେଶ ଗସ୍ତ କରିବା ପାଇଁ ପାସପୋର୍ଟ କିମ୍ବା ଭିସା ଦରକାର ପଡୁ ନ ଥିଲା।
ମହାରାଣୀଙ୍କ ସଂପତ୍ତି
ମହାରାଣୀଙ୍କ ପାଖରେ କେତେ ଅର୍ଥ ଥିଲା ଏବଂ ତାହା କେଉଁ ସ୍ରୋତରୁ ଆସୁଥିଲା ତାହାକୁ ନେଇ ଗଣମାଧ୍ୟମରେ ଅନେକ ସମୟରେ ଚର୍ଚ୍ଚା ହୋଇଛି। କିନ୍ତୁ ପ୍ରକୃତ ତଥ୍ୟ ଆସିପାରି ନ ଥାଏ। ମାତ୍ର କୁହାଯାଇଥାଏ ଯେ, ମହାରାଣୀ ୩ଟି ସ୍ରୋତରୁ ରୋଜଗାର କରୁଥିଲେ। ଏଗୁଡ଼ିକ ଥିଲା ସୋଭେରିନ ଗ୍ରାଣ୍ଟ, ପ୍ରିଭୀ ପର୍ସ ଏବଂ ତାଙ୍କର ବ୍ୟକ୍ତିଗତ ସଂପତ୍ତି । ଅନ୍ୟପକ୍ଷରେ ଗୁଡଟୁ ନାମକ ଏକ ୱେବସାଇଟ୍ର ରିପୋର୍ଟ ଅନୁସାରେ ୨୦୨୨ରେ ମହାରାଣୀ ଏଲିଜାବେଥ-୨ଙ୍କ ସଂପତ୍ତି ଆନୁମାନିତ ମୋଟ ୩୬୫ ମିଲିୟନ ପାଉଣ୍ଡ ଅର୍ଥାତ ୩୩.୩୬ ମିଲିୟନ ଟଙ୍କାରୁ ଅଧିକ । ରୟାଲ ପରିବାରର ସଂପତ୍ତି ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟରଲାଣ୍ଡରେ ମଧ୍ୟ ରହିଛି । ମହାରାଣୀଙ୍କ ସଂପତ୍ତିରେ ୧୦ ଲକ୍ଷରୁ ଅଧିକ ଜିନିଷ ସାମିଲ ରହିଛି । ଏଥିରେ ହୀରା, କଳାକୃତି, ବିଳାସପୂର୍ଣ୍ଣ କାର, ଶାହୀ ଷ୍ଟାମ୍ପ କଲେକଶନ ଓ ଘୋଡ଼ା ମଧ୍ୟ ସାମିଲ ରହିଛି।
ସାଇତି ରଖିଥିଲେ ଗାନ୍ଧୀ ଦେଇଥିବା ରୁମାଲ
ଏଲିଜାବେଥ-୨ଙ୍କ ଦେହାନ୍ତ ଖବର ସମଗ୍ର ବିଶ୍ବକୁ ବ୍ୟାପିଛି। ବ୍ରିଟେନ୍ରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବା ବେଳେ ଭାରତରେ ଗୋଟିଏ ଦିନ ପାଇଁ ସେପ୍ଟେମ୍ବର ୧୧ ତାରିଖରେ ପାଳନ ହେଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜାପାନ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ବର ମହାନ ନେତାମାନେମାନେ ମଧ୍ୟ ଏଲିଜାବେଥ-୨ଙ୍କ ପରଲୋକରେ ଗଭୀର ଶୋକ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ଜଣାଇଛନ୍ତି। ସେ ଏକ ଫଟୋ ସେୟାର କରି କହିଛନ୍ତି ଯେ, ୨୦୧୫ ଓ ୨୦୧୮ରେ ୟୁକେ ଗସ୍ତ ସମୟରେ ଏଲିଜାବେଥ-୨ଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା । ତାଙ୍କର ଯେଉଁ ଉତ୍ସାହ ଏବଂ ନମନୀୟ ବ୍ୟବହାରକୁ କେବେ ଭୁଲିହେବ ନାହିଁ । ସେ ଏକ ବୈଠକରେ ମୋତେ ଯେଉଁ ରୁମାଲ ଦେଖାଇଥିଲେ, ତାହା ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କୁ ଉପହାର ସ୍ୱରୂପ ତାଙ୍କର ବିବାହ ସମୟରେ ଦେଇଥିଲେ । ସେ ନିଜର ରାଷ୍ଟ୍ର ଏବଂ ଲୋକଙ୍କୁ ପ୍ରେରକ ନେତୃତ୍ୱ ପ୍ରଦାନ କରିଛନ୍ତି । ସେ ସର୍ବସାଧାରଣ ଜୀବନରେ ଗାରିମା ଓ ଶାଳୀନତାର ପରିଚୟ ଦେଇଛନ୍ତି ।
ହୀରାପ୍ରିୟ ମହାରାଣୀ
ମହାରାଣୀ ଏଲିଜାବେଥ-୨ ହୀରାପ୍ରିୟ ଥିଲେ। ୧୪ଶ ଶତାଦ୍ଦୀରେ ଭାରତରୁ ମିଳିଥିବା କୋହିନୂର ୧୦୫.୬ କ୍ୟାରେଟ୍ ହୀରାରେ ପ୍ରସ୍ତୁତ ମୁକୁଟ ପିନ୍ଧିଥିଲେ। ଏହି ହୀରା ୧୪ଶ ଶତାବ୍ଦୀରେ ଭାରତରୁ ମିଳିଥିଲା। ଶତାବ୍ଦୀ ଶତାବ୍ଦୀ ଧରି ଏହି ହୀରା ଅନେକ ବ୍ୟକ୍ତିଙ୍କ ହାତକୁ ଯାଇଥିଲା। ଶେଷରେ ୧୮୪୯ ମସିହାରେ ବ୍ରିଟିସ୍ ପଞ୍ଜାବ ବିଜୟ କରିବା ପରେ କୋହିନୂର ହୀରା ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରାଯାଇଥିଲା। କେବଳ ସେତିକି ନୁହେଁ ୧୯୪୭ରେ ବାହାଘର ଉପହାର ଭାବେ ହାଇଦ୍ରାବାଦର ନିଜାମ୍ ରାଣୀ ଦ୍ବିତୀୟ ଏଲିଜାବେଥଙ୍କୁ ୩୦୦ ହୀରା ଖଚିତ ପ୍ଲାଟିନମ୍ ତିଆରି ଗଳାହାରଟିଏ ଉପହାର ଦେଇଥିଲେ। ୭୦ ବର୍ଷର ଶାସନକାଳରେ ମହାରାଣୀ ଦ୍ବିତୀୟ ଏଲିଜାବେଥ୍ ଅନେକ ରତ୍ନ ଉପହାର ପାଇଥିଲେ। ସେଥିରୁ ସବୁଠୁ ପ୍ରସିଦ୍ଧ ଉପହାର ଥିଲା ଫ୍ରାନ୍ସର ଦାମୀ କମ୍ପାନି ‘କାର୍ଟିୟର’ଦ୍ବାରା ନିର୍ମିତ ୩୦୦ ହୀରା ଖଚିତ ପ୍ଲାଟିନମ୍ରେ ତିଆରି ଉକ୍ତ ଗଳାହାର।