ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ଦିନକୁ ଦିନ ଆହୁରି ଉଗ୍ରରୂପ ଧାରଣ କରୁଛି। କୋଭିଡ-୧୯ର ଦ୍ୱିତୀୟ ଲହର ଗତବର୍ଷ ତୁଳାନରେ ଅଧିକ କାୟା ବିସ୍ତାର କରୁଛି। ଭାରତରେ ଦୈନିକ ହିସାବରେ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୮୦୦ ନିକଟତର ହୋଇଛି। କିନ୍ତୁ ପଡୋଶୀ ଛତିଶଗଡ଼ରେ କରୋନାର ସ୍ଥିତି ଯେଭଳି ରହିଛି, ରାଜ୍ୟରେ ସଂକ୍ରମିତ ଲୋକଙ୍କର ସଂଖ୍ୟା ଆହୁରି ବଢ଼ିପାରେ। କରୋନା ଗ୍ରାଫ୍ ପ୍ରତିଦିନ ବଢ଼ି ଚାଲିଥିବାରୁ ଆଗାମୀ ଦିନରେ ସ୍ଥିତି ଜଟିଳ ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଏବେ ଠାରୁ ପୂର୍ବାନୁମାନ କରୁଛି।
ତେବେ କରୋନା ଭାଇରସ୍ ସଂକ୍ରମଣ ଯେଭଳି ଭାବରେ ବଢ଼ିଚାଲିଛି, ସରକାର ଟିକାକରଣକୁ ସେତିକି ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ବ୍ୟତୀତ ସରକାର କୋଭିଡ୍-୧୯ ମାର୍ଗଦର୍ଶିକାରେ ପରିବର୍ତ୍ତନ କରୁଛନ୍ତି। କରୋନା କଟକଣା ମଧ୍ୟ ସମାନ ପରିମାଣରେ ବଢ଼ି ଚାଲିଛି। କଟକଣା ବଢ଼ି ଚାଲିଥିବା ବେଳେ ସମସ୍ତଙ୍କୁ ନାନା କାମରେ ହଇରାଣ ହେବାକୁ ମଧ୍ୟ ପଡୁଛି। ଖୁସିର କଥା ହେଲା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥା ଠିକ୍ଠାକ୍ ଚାଲିଛି।
ଭୁବନେଶ୍ୱର-କଟକରେ ବଢୁଛି ସଂକ୍ରମଣ
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କଟକଣାରେ ନୂଆ ସୋପାନ ଯୋଡ଼ିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ନିର୍ଦ୍ଦେଶନାମା ଜାରି ହୋଇଛି। ଭୁବନେଶ୍ୱର, କଟକ ଓ ହୁହୁ ହୋଇ ବଢୁଥିବା ଜିଲ୍ଲା ଗୁଡ଼ିକରେ ଥିବା ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। କେବଳ ଜରୁରୀକାଳୀନ ପାଇଁ ବରିଷ୍ଠ ଅଧିକାରୀଙ୍କ ଅନୁମତିକ୍ରମେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ଯଦି କୌଣସି ଆପତ୍ତି ଅଥବା ଅଭିଯୋଗ ରହିଛି, ତା’ହେଲେ ସେମାନେ ଇ-ଅଭିଯୋଗ ପୋର୍ଟାଲର ଉପଯୋଗ କରିପାରିବେ। ଅପରପକ୍ଷେ ଅଫିସ ଓ ଅନ୍ୟ ସ୍ଥାନରେ ବୈଠକ ଓ ସଭା ଆଦି ହୋଇପାରିବ ନାହିଁ। କେବଳ ଅତ୍ୟାବଶ୍ୟକୀୟ ବୈଠକ ସାମାଜିକ ଦୂରତ୍ୱ ପାଳନ କରାଯାଇ ବୈଠକର ଆୟୋଜନ ହୋଇପାରିବ।
ନବମ-ଏକାଦଶ ପିଲାଙ୍କୁ ସ୍କୁଲରୁ ଛୁଟି
ସଂକ୍ରମଣ ବଢ଼ିଥିବାରୁ ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲରୁ ଛୁଟି ମିଳିଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଏପ୍ରିଲ ୮ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ ହେବ। ଯେଉଁ ପିଲାମାନେ ହଷ୍ଟେଲରେ ରହୁଥିଲେ ସେମାନଙ୍କୁ ତୁରନ୍ତ ଘରକୁ ଯିବା ପାଇଁ କୁହାଯାଇଛି। ସେହିଭଳି ୧୦ମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏପ୍ରିଲ ୨୫ ତାରିଖ ଯାଏଁ କ୍ଲାସ ଚାଲିବ।
ଘରୋଇ କାର୍ଯ୍ୟାଳୟରେ ମିଳିବ ଟିକା
ଗତ ଜାନୁଆରି ୧୬ ତାରିଖ ଠାରୁ ଦେଶରେ କରୋନା ଟିକାକରଣ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ୨ୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗୀ ଓ ୩ୟ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକା ଦିଆଯାଉଛି। ଏବେ କେନ୍ଦ୍ର ସରକାର ଘରୋଇ ସଂସ୍ଥା ଅଥବା କାର୍ଯ୍ୟାଳୟରେ ମଧ୍ୟ କୋଭିଡ-୧୯ ଟିକା ଦିଆଯିବାକୁ ଯୋଜନା ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଗୁଡ଼ିକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଘରୋଇ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ୧୦୦ରୁୁ ଅଧିକ ଜଣ ଟିକା ନେବାକୁ ଚାହୁଁଥିଲେ ସରକାରଙ୍କ ପକ୍ଷରୁ ସେଠାରେ ଟିକାକରଣ ବ୍ୟବସ୍ଥା କରାଯିବ।