Friday, September 13, 2024
Homeମାତିଛନ୍ତି ମାଓବାଦୀ, ଜବାବ ଦେଉଛି ପୋଲିସ
Array

ମାତିଛନ୍ତି ମାଓବାଦୀ, ଜବାବ ଦେଉଛି ପୋଲିସ

ଭୁବନେଶ୍ୱର: ଦୀର୍ଘ ବର୍ଷରୁ ମାଓବାଦୀମାନେ ତାଣ୍ଡବ ରଚୁଛନ୍ତି । କେବଳ ଓଡ଼ିଶାରେ ନୁହେଁ, ବରଂ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ସହିତ ବିହାର ଓ ମହାରାଷ୍ଟ୍ରରେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାମକୁ ବିରୋଧ କରୁଛନ୍ତି । ବଣପାହାଡ଼ ଘେରା ଅଂଚଳରେ ଏମାନଙ୍କର ପ୍ରଦୂର୍ଭାବ ଅଧିକ । ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ପ୍ରବର୍ତ୍ତାଇ ମାଓ ସଂଗଠନକୁ ସୁଦୃଢ଼ କରିବାରେ ଲାଗିଛନ୍ତି ଏହି ନକ୍ସଲମାନେ । ଉଭୟ ସରକାର ଓ ସମାଜର ବ୍ୟାପକ କ୍ଷୟକ୍ଷତି କରିବାକୁ ପଛାଉ ନାହାନ୍ତି । ଅଶିକ୍ଷିତ ଲୋକଙ୍କୁ ନିଜର ନିୟନ୍ତ୍ରଣରେ ରଖୁଛନ୍ତି । ଅର୍ଦ୍ଧଶିକ୍ଷିତ ବ୍ୟକ୍ତିମାନେ ଆକର୍ଷିତ ହୋଇ ମାଓ ସଂଗଠନରେ ସାମିଲ ହେଉଛନ୍ତି । ଆଉ କେତେକ ବ୍ୟକ୍ତି ପରିସ୍ଥିତିରେ ପଡ଼ି ମାଓଙ୍କ କବଳରୁ ମୁକ୍ତି ପାଇପାରୁ ନାହାନ୍ତି ।

ମାଲକାନଗିର, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ନିଜର ପ୍ରଭାବ ଦେଖାଉଛନ୍ତି । ସମ୍ବଲପୁର, ବରଗଡ଼ ଏବଂ ଦେବଗଡ଼ ଜିଲ୍ଲାରେ ମାଓବାଦୀମାନେ ବିଗତ ଦିନରେ ତାଣ୍ଡବ ରଚିଥିଲେ । ମାଓବାଦୀମାନେ ଯେତେବେଳେ ମାତୁଛନ୍ତି, ସାଧାରଣ ମଣିଷକୁ ଅପହରଣ କରି ଅତି ଦୟନୀୟ ଭାବେ ହତ୍ୟା କରୁଛନ୍ତି । କେବଳ ମାଓବାଦୀ ନରସଂହାର କରୁଛନ୍ତି, ତାହା ନୁହେଁ ବରଂ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାରେ ପଛାଉ ନାହିଁ ।

ମାଓବାଦୀଙ୍କ ପାଇଁ ସରକାରଙ୍କ ଯୋଜନା

ମାଓବାଦୀମାନଙ୍କୁ ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ସରକାର ବିକାଶମୂଳକ ଯୋଜନା କରିଛନ୍ତି । ଅସ୍ତ୍ର ପରିତ୍ୟାଗ କରି ମୁଖ୍ୟ ଧାରାରେ ସାମିଲ ହେଉଥିବା ବ୍ୟକ୍ତିମାନଙ୍କୁ ସରକାର ରାସନ ସାମଗ୍ରୀ, ଆବାସ ଘର ଦେଉଛନ୍ତି । ସେହିପରି ସେମାନଙ୍କର ପୁଅ-ଝିଅଙ୍କୁ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏସବୁ ପରେ ମଧ୍ୟ ଅନେକ ମାଓବାଦୀ ଭଲ ମଣିଷ ହୋଇ ବଂଚିବାକୁ ଚାହୁଁନାହାନ୍ତି । କନିଷ୍ଠ ସଦସ୍ୟ ଯେତେବେଳେ ନିଜର ବରିଷ୍ଠ କ୍ୟାଡରଙ୍କ ଦ୍ୱାରା ନିଯ୍ୟାତିତ ହେଉଛନ୍ତି, ସେହି ସମୟରେ ସଂଗଠନ ଛାଡ଼ି ଆସୁଛନ୍ତି ।

ଓଡ଼ିଶାରେ ୧୩ ମାଓବାଦୀ ନିହତ

ମାଓବାଦୀଙ୍କ ବିରୋଧରେ ପୋଲିସ କଡ଼ାକାର୍ଯ୍ୟାନୁଷ୍ଠାନ ନେଉଥିବା ଜଣାଯାଇଛି । ମାଓବାଦୀ ସଂଗଠନ ପକ୍ଷରୁ ଏହା ସ୍ୱୀକାର କରାଯାଇଛି । ସଂଗଠନ ଦ୍ୱାରା ଜାରି ହୋଇଥିବା ୧୬ ପୃଷ୍ଠା ସମ୍ବଳିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରାୟ ୧ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୧୩ ଜଣ ଟପ୍ କ୍ୟାଡର ମାଓବାଦୀ ସାମିଲ ଅଛନ୍ତି । ଏଥିରେ ମାଓ ନେତା ତଥା ସେଣ୍ଟ୍ରାଲ କମିଟିର ସଦସ୍ୟ ହରିଭୁଷଣଙ୍କ ମୃତ୍ୟୁ ହୋଇଛି, ଯାହାଙ୍କର ନାଁରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଛତିଶଗଡ଼ର ଦଣ୍ଡକାରଣ୍ୟରେ ୧୦୧ ଜଣ ମାଓବାଦୀ ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି । ଓଡ଼ିଶାରୁ ୧୪, ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର ଓ ଝାଡ଼ଖଣ୍ଡରେ ୧୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ବର୍ଷକ ମଧ୍ୟରେ ୩୦ ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛନ୍ତି ।

ସହିଦ ଦିବସ ପାଇଁ ପ୍ରସ୍ତୁତି

ମାଓବାଦୀମାନେ ଚଳିତ ମାସ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ଦିବସ ପାଳନ କରିବେ । ଏଥି ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସପ୍ତାହବ୍ୟାପୀ ସହିଦ ଦିବସରେ ଯାହା ସବୁ କାର୍ଯ୍ୟକ୍ରମ ହେବ, ତାର ବିବରଣୀ ଦିଆଯାଇଛି । ପ୍ରତି ଗାଁରେ ଏହି ଦିବସକୁ କିପରି ସଫଳତାର ସହିତ ପାଳନ କରାଯାଇପାରିବ କମିଟିର ସଦସ୍ୟମାନେ ଲାଗି ପଡ଼ିଛନ୍ତି । ସୂଚନାଯୋଗ୍ୟ ମାଓବାଦୀମାନେ ପ୍ରଥମ ଥର ପାଇଁ ଏତେ ବଡ଼ ପ୍ରେସବିଜ୍ଞପ୍ତି ଜାରି କରି ସଂଗଠନର ସଂପର୍କରେ ବିବରଣୀ ପ୍ରଦାନ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments