ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଲମଣି ବରାଳ ହତ୍ୟା ଘଟଣାକୁ ୫ ଦିନ ବିତିଛି । ଏହାରି ମଧ୍ୟରେ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ମଙ୍ଗଳବାର ଏକକାଳୀନ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ବୁଧବାର ପଂଚାନନ ସେଠୀ ନାମରେ ଜଣେ ଓ ଆଜି ପୁଣି ଅନ୍ୟ ଜଣେ ଅଭିଯୁକ୍ତ ଚୈତନ୍ୟ ସେଠୀ ଗିରଫ ହୋଇଛନ୍ତି । କିନ୍ତୁ ଏବେ ମଧ୍ୟ ଆହୁରି କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କଟକ ଗ୍ରାମାଂଚଳ ପୁଲିସର ସ୍ୱତନ୍ତ୍ର ଟିମ ଛାନଭିନ ଜାରି ରଖିଛନ୍ତି ।
ପ୍ରତିବାଦ ଜାରି ରଖିବ ବିଜେପି
ଅଭିଯୁକ୍ତଙ୍କ ତାଲିକା ହେଉଛି ୧୩ ଜଣ ବୋଲି ଏତଲାରୁ ଜଣାପଡ଼ିଛି । ଏହି ତାଲିକାରେ ମାହାଙ୍ଗା ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି । କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ଅଭିଯୋଗ ଅନୁସାରେ ମନ୍ତ୍ରୀଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ହୋଇଛି । ଏହା ପୂର୍ବରୁ ବିସ୍ତୃତ ଯୋଜନା ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି । ଏତଲା ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ୧୩ ଜଣ ସଂପୃକ୍ତ ଥିବାରୁ ଏବେ ଆହୁରି ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ବିଜେପି କହିଛି ଯେ, ଯେତେଦିନ ପର୍ଯ୍ୟନ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ ନ କରାଯାଇଛି, ସେତେଦିନ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ।
ଘଟଣାକୁ ରାଜନୀତି କରଣ କରାଯାଉଛି: ପ୍ରତାପ ଜେନା
ବିଜେପିର ବୟାନକୁ ବିଜେଡି ଖଣ୍ଡନ କରିଛି । ବିଜେଡି ପକ୍ଷରୁ କୁହାଯାଇଛି ହତ୍ୟାକାଣ୍ଡ ବ୍ୟକ୍ତିଗତ କାରଣ ହୋଇପାରେ । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହା ଏକ ବର୍ବର ହତ୍ୟାକାଣ୍ଡ ହୋଇଥିବାରୁ ହାଲୁକା ଭାବେ ନିଆଯିବ ନାହିଁ । ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ତା ବାଟରେ କାମ କରିବ । ସେ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅଧିକ ହିଂସାକାଣ୍ଡ ଘଟୁଛି । ତେଣୁ ବିଜେପିର ଅଭିଯୋଗ କରିବାର କୌଣସି ଅଧିକାର ନାହିଁ ।
ବିଜେପି ଓଡ଼ିଶା ପ୍ରଭାରୀଙ୍କ ବୟାନ
ଓଡ଼ିଶା ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଗୁରୁବାର ମାହାଙ୍ଗା ଗସ୍ତ କରି ପୀଡ଼ିତ ପରିବାର ଲୋକଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି । ଏହା ପୂର୍ବରୁ ସେ ବୁଧବାର ଭୁବନେଶ୍ୱରରେ ଗଣମାଧ୍ୟମକୁ କହିଛନ୍ତି, ମାହାଙ୍ଗାରେ ଆମର ୨ ଜଣ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ଏହି ଦୁଇ ଜଣ ନେତା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ଆମ ପାର୍ଟି ତରଫରୁ ଲଢ଼େଇ ଜାରି ରଖିଥିଲେ । ଡି. ପୁରନ୍ଦେଶ୍ୱରୀଙ୍କ ଏହା ହେଉଛି ୨ୟ ଥର ପାଇଁ ଓଡ଼ିଶା ଗସ୍ତ । ସେ ପୂର୍ବରୁ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ନେଇ ରାଜ୍ୟ ଚର୍ଚ୍ଚାରେ ଥିବା ସମୟରେ ଓଡ଼ିଶା ଗସ୍ତରେ ଆସିଥିଲେ ।
ଯୋଜନାବଦ୍ଧ ହତ୍ୟା
ଗତ ୨ ତାରିଖ ରାତିର ଘଟଣା । ବିଜେପି ନେତା କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଅନ୍ୟତମ ସହଯୋଗୀ ଦିବ୍ୟସିଂହ ବରାଳ ନୃତ୍ତାଙ୍ଗ ଗାଁଙ୍କୁ ଫେରୁଥିଲେ । ଏହା ପୂର୍ବରୁ ଏକ ନିଦ୍ଧିଷ୍ଠ ଗୋଷ୍ଠୀର ଲୋକମାନେ କୁଳମଣି ଓ ଦିବ୍ୟସିଂଙ୍କୁ ଅପେକ୍ଷା କରିଥିଲେ । ଘଟଣାସ୍ଥଳକୁ ଉଭୟ ୨ ବରିଷ୍ଠ ନାଗରିକ ବାକଇକରେ ପହଂଚିବା ପରେ ଅଭିଯୁକ୍ତ ଗୋଷ୍ଠୀଙ୍କ ଠେଙ୍ଗା, ମାରଣାସ୍ତ୍ର, ଖଣ୍ଡା ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣର ଶିକାର ହେବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁଳମଣି ଅଳ୍ପ ସମୟରେ ପ୍ରାଣ ହାରିଥିବା ବେଳେ ଦିବ୍ୟସିଂହଙ୍କୁ ମଧ୍ୟ ଡାକ୍ତର ବିଳମ୍ବିତ ରାତିରେ ମୃତ ଘୋଷଣା କରିଥିଲେ । ଦୁର୍ବୃତ୍ତ ଗୋଷ୍ଠୀ ଅତି ନିର୍ଦୟ ଅବସ୍ଥାରେ ୨ ଜଣ ବୃଦ୍ଧଙ୍କୁ ଆକ୍ରମଣ କରିଚାଲିଥିଲେ । ସେମାନେ କାହାରି କଥା ଶୁଣୁ ନଥିଲେ । ଅଚେତ ଅବସ୍ଥାରେ ପଡ଼ି ରହିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।