ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ନିଜ କବଜାକୁ ଆଣିପାରିଛି । ଏମାନଙ୍କୁ ଗୋପନୀୟ ସ୍ଥାନରେ ଅଟକ ରଖି ପଚରାଉଚରା କରି ଅନେକ ଘଟଣା ସଂପର୍କରେ ତଥ୍ୟ ହାସଲ କରିସାରିଛି । ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ଏବଂ ପୁଣି ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ ଲକ୍ଷ୍ୟ ରଖିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ୧୩ ଜଣ ଲୋକ ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବାରୁ ଏବେ ଆହୁରି ୯ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଛାନଭିନ ଜାରି ରଖିଛି ।
ଚାରି ବର୍ଷର ବିବାଦ
୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ନୃତାଙ୍ଗ ଓ ଯଁକୋଟି ଗାଁର ୨ଟି ନିଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ବର୍ଷ ୨୦୧୮ ଡିସେମ୍ବର ୧୩ ତାରିଖରେ ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଏବେ ସୁଦ୍ଧା ଫେରାର ଅଛନ୍ତି । ପୀଡିତ ପରିବାର ଲୋକଙ୍କ ପକ୍ଷରୁ ଅନେକ ଥର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଅଭିଯୁକ୍ତମାନେ ପୋଲିସ ହାତରେ ଧରାପଡ଼ି ନାହାନ୍ତି ।
କୁଳମଣିଙ୍କୁ ଯୋଜନାବଦ୍ଧ ହତ୍ୟା
କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି କୁହାଯାଉଛି । ଗତ ୨ ତାରିଖ ଦିନ କୁଳମଣି ଓ ଦିବ୍ୟସିଂହ ଏକ ବାଇକରେ ଫେରୁଥିବା ବେଳେ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀର ଲୋକେ ସେମାନଙ୍କୁ ଅତି ବର୍ବରତାର ସହିତ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାତି ସୁଦ୍ଧା ଉଭୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ଦୁଇ ଜଣ ବୃଦ୍ଧଙ୍କୁ ଏକ ନିଦ୍ଦିଷ୍ଟ ଗୋଷ୍ଠୀ ଆକ୍ରମଣ କରିବା ପୂର୍ବରୁ କାହାରି ପାଖରେ ଦୟାଭାବ ଜାତ ହୋଇ ନଥିଲା । ତଳେ ପଡ଼ି ଛଟପଟ ହେଉଥିବା ୨ ଜଣ ବୃଦ୍ଧ ହାତ ଯୋଡ଼ି ଗୁହାରି କରୁଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନଥିଲେ । କାରଣ ଆକ୍ରମଣକାରୀ ଗୋଷ୍ଠୀଙ୍କ ମଧ୍ୟରେ ମାନବିକତା ଗୁଣ ନଥିଲା ।
ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ
ମାହାଙ୍ଗାରେ ଜଣେ ବିଜେପି ନେତା ଓ ତାଙ୍କର ସହଯୋଗୀଙ୍କୁ ହତ୍ୟା କରାଯିବା ପଛରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର ସଂପୃକ୍ତି ରହିଛି ବୋଲି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନରେ ଏତାଲା ଦେଇଛନ୍ତି । ରମାକାନ୍ତଙ୍କ କହିବା ଅନୁସାରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ହୋଇଛି । ଏହି ହତ୍ୟାକାଣ୍ଡ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଛି । ରମାକାନ୍ତଙ୍କ ଅଭିଯୋଗ ଅନୁସାରେ ଗତ ଡିସେମ୍ବର ୨୭ ତାରିଖ ରାତି ପ୍ରାୟ ୧୦ଟାରେ ଯଁକୋଟି ଗାଁର ପଂଚାନନ ସେଠୀ, ସୁଧାଂଶୁ ସେଠୀ, ସନ୍ତୋଷ ପାଣି, କୈଳାଶ ଚନ୍ଦ୍ର ଖଟୁଆ, ଅରୁଣ ଖଟୁଆ, ନୃତ୍ତାଙ୍ଗ ଗାଁର କ୍ଷୀତିଶ ଆଚାର୍ଯ୍ୟ, ଉମାକାନ୍ତ ସ୍ୱାଇଁ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ପ୍ରାୟ ୨୫ ଜଣ ମାରଣାସ୍ତ୍ର ଧଣି ଆକ୍ରମଣ ଉଦ୍ୟମ କରିଥିଲେ ।
ସେବା ନାଁରେ ରାଜନୀତି
ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଅଛି କି ନାହିଁ ତାହା ଘଟଣାର ତଦନ୍ତ ଶେଷ ପରେ ଜଣାପଡ଼ିବ । ପଂଚାୟତ ନିର୍ବାଚନ ବ୍ୟତୀତ କୁଳମଣିଙ୍କ ଅନ୍ୟ ବ୍ୟକ୍ତିଗତ କାରଣ ଯୋଗୁଁ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ । ତେବେ ଏଠାରେ ଏତିକି କୁହାଯାଇପାରିବ ଯେ, ନିର୍ବାଚନ ହେଉ ବା ଅନ୍ୟ କୌଣସି ଶତ୍ରୁତା ହେଉ, ହତ୍ୟାକାଣ୍ଡ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ନାହିଁ । ବରଂ ନିଜ ନିଜ ମଧ୍ୟ ଆପୋଷ ଆଲୋଚନା ମାଧ୍ୟମରେ ଯେକୌଣସି ଅସୁବିଧାକୁ ଠିକ କରିହେବ । ଯଦି ଏହା ରାଜନୈତିକ ପ୍ରସଙ୍ଗକୁ ନେଇ ସଂଘଟିତ ହୋଇଥାଏ, ତା’ହେଲେ ଅଭିଯୁକ୍ତମାନେ ହେଉଛନ୍ତି ସମାଜର କଳଙ୍କ । ରାଜନୀତି କରିବା ପୂର୍ବରୁ ନେତାମାନେ ନିଜର ସେବା ମନୋଭାବକୁ ଲୋକଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି ।