ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ମିଗଜୋମ୍’ପ୍ରଭାବରେ ବର୍ଷାଜନିତ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ବାତ୍ୟା ମଙ୍ଗଳବାର ଅପରାହ୍ଣରେ ଆନ୍ଧ୍ର ଉପକୂଳର ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ବାପାଟଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି। ବାତ୍ୟା ଲାଣ୍ଡଫଲ ହେବାର ୨୪ ଘଣ୍ଟା ପରେ ମଧ୍ୟ ଉପକୂଳବର୍ତ୍ତୀ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓଡ଼ିଶାରେ ବର୍ଷା ଜାରି ରହିଛି। ତେଲେଙ୍ଗାନା ଓ ଛତିଶଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ଯେ, ବାତ୍ୟା ଯୋଗୁଁ ବିହାର ଓ ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ହୋଇପାରେ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଗତ ୨ ତାରିଖ ଠାରୁ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଉପୂକଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ସହିତ ପବନ ଲାଗି ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିବା ଦ୍ବାରା ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ବର୍ଷା କାରଣରୁ ରେଳବାଇ ଶତାଧିକ ଟ୍ରେନ୍ ବାତିଲ କରିଛି। ସେହିପରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ବିମାନବନ୍ଦରରୁ ୫୦ରୁ ଅଧିକ ବିମାନ ବାତିଲ ହୋଇଛି। ଏବେ ଚାଷୀମାନେ ଫସଲ ଅମଳ କରିବାର ସମୟ। କିନ୍ତୁ ବର୍ଷା ଯୋଗୁଁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପାଚିଲା ଧାନ ବର୍ଷାରେ ଭିଜୁଛି।
ତାମିଲନାଡୁରେ କ୍ଷୀର ଲିଟର ୧୦୦ ଟଙ୍କା
ବାତ୍ୟା ‘ମିଗଜୋମ୍’ କାରଣରୁ ତାମିଲାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଡିସେମ୍ବର ୨ରୁ ୪ ମଧ୍ୟରେ ତାମିଲନାଡୁର ଚେନ୍ନାଇ, ତିରୁଭଲ୍ଲୁର, କାଞ୍ଚିପୁରମ ଓ ଚେଙ୍ଗଲାପଟ୍ଟୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଥିବାରୁ ରାସ୍ତା ଉପରେ ୪ରୁ ୫ ଫୁଲ ଜଳ ପ୍ରବାହିତ ହୋଇଥିଲା। ଲୋକେ ଡଙ୍ଗାରେ ଯାତାୟତ କରୁଥିଲେ। ଗତ ମଙ୍ଗଳବାର ଦିନ ଚେନ୍ନାଇର ଅନେକଗୁଡ଼ିଏ ଅଞ୍ଚଳରେ ଜରୁରୀକାଳୀନ ଜିନିଷପତ୍ର ଯଥା କ୍ଷୀର, ପାନୀୟ ଜଳ ଓ ପେଟ୍ରୋଲ ଯୋଗାଣରେ ଅସୁବିଧା ଦେଖାଯାଇଥିଲା। ଏଥିରୁ ଅନେକଙ୍କୁ ଲାଭ ହୋଇଥିଲା। କ୍ଷୀର ଲିଟର ପିଛା ସାଧାରଣତଃ ୫୦ ଟଙ୍କା ଥିବା ବେଳେ ଲୋକେ ୧୦୦ ଟଙ୍କାରେ କିଣିଛନ୍ତି। ସେହିପରି ୧୦ଲିଟର ପାଣି କ୍ୟାନ୍ ପିଛା ୪୦ ଟଙ୍କା ଥିବା ବେଳେ ୭୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି। ବାତ୍ୟା ଯୋଗୁଁ ହୋଇଥିବା କ୍ଷତି ଭରଣା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ୫୦୬୦ କୋଟି ଟଙ୍କା ସହାୟତା ମାଗିଛନ୍ତି। ଏଥି ସହିତ ସେ ଏକ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି।
ଆନ୍ଧ୍ରରେ ବ୍ୟାପକ ଫସଲ ନଷ୍ଟ
ବାତ୍ୟା ମିଗଜୋନ୍ ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କରିଛି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପିଛା ୯୦ରୁ ୧୧୦ କିମି ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାତ୍ୟାରେ ହଜାର ହଜାର ଏକର ଫସଲ ନଷ୍ଟ ହୋଇଛି। ବିଶେଷ ଭାବରେ ଧାନଚାଷୀଙ୍କୁ ସର୍ବାଧିକ କ୍ଷତି ସହିବାକୁ ହୋଇଛି। ସେହିପରି କପା ଚାଷୀମାନେ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି। ଏବେ କପା ଅମଳ ସମୟ ହୋଇଥିବାରୁ ବର୍ଷାରେ ଭିଜି ଯାଇଛି। ପବନ ଯୋଗୁଁ ଫୁଲ ଓ ଫଳ ଝଡ଼ି ତଳେ ପଡ଼ି ଯାଇଛି। ପବନର ପ୍ରବଳ ବେଗରେ ବିଦ୍ୟୁତ ଖୁଣ୍ଟ ଓ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି। ବାତ୍ୟା ପୂର୍ବରୁ ଆନ୍ଧ୍ର ସରକାର ୧୦୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ। ୱାଇଏସ୍ ଜଗନ ମୋହନ ରେଡ୍ଡୀ ବାତ୍ୟା ଓ ବର୍ଷା ନେଇ କ୍ଷୟକ୍ଷତି ଆକଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରେ ବର୍ଷା, ଫସଲ ନଷ୍ଟ
‘ମିଗଜୋମ୍’ର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି। ଯଦିଓ ବଡ଼ଧରଣର ନାହିଁ। ତଥାପି ହାଲୁକା ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା, ଭୁବନେଶ୍ବର, ଗୋପାଳପୁର, ପାରାଦୀପ, ପୁରୀ, ସମ୍ବଲପୁର, ଛତ୍ରପୁର, ପାରଳାଖେମୁଣ୍ଡି ପ୍ରଭୃତି ସହରରେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ହାଲୁକା ବର୍ଷା ହୋଇଛି। ବୁଧବାର ପୂର୍ବାହ୍ନରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଏହାବ୍ୟତୀତ ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇଛି। କୋରାପୁଟରେ ବର୍ଷା ଯୋଗୁଁ ଧାନ ସହ ପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତୁହାକୁ ତୁହା ବର୍ଷା ଯୋଗୁଁ ଜିଲ୍ଲାରେ ୩୦ପ୍ରତିଶତ ମାଣ୍ଡିଆ ସହ ଅଳସୀ ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ ହୋଇଛି।