Friday, September 13, 2024
Homeମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଲୋକେ କେମିତି ଅଛନ୍ତି? 
Array

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଲୋକେ କେମିତି ଅଛନ୍ତି? 

ଭୁବନେଶ୍ବର: ଭାରତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବକୁ ସ୍ବତନ୍ତ୍ର ଭାବେ ଦେଖାଯାଇଥାଏ। ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ମୁଖ୍ୟମନ୍ତ୍ରୀ ରହିଥିବାରୁ ତାଙ୍କୁ ଓଡ଼ିଶାବାସୀ ଭଲପାଇବାର ସବୁଠାରୁ ବଳିଷ୍ଠ ପ୍ରମାଣ ବୋଲି ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚା ହୋଇଥାଏ। ଅନ୍ୟପଟରେ ବିଜେଡିରେ ମଧ୍ୟ ନେତା କହିଲେ କେବଳ ନବୀନଙ୍କୁ ହିଁ ବୁଝିବାକୁ ପଡ଼ିବ। କାରଣ ଆଉ କୌଣସି ନେତାଙ୍କର ଆଦେଶ ବା ନିର୍ଦ୍ଦେଶ ନଥାଏ। ବିକାଶ କାର୍ଯ୍ୟ ପାଇଁ ଅନ୍ୟ କୌଣସି ନେତାଙ୍କୁ ଠାରୁ କିଛି ବି ଆଶା କରାଯାଇପାରିବ ନାହିଁ। ବିଜେଡିର ନେତାମାନେ ମଧ୍ୟ ପରୋକ୍ଷ ଭାବେ ଏହା ସ୍ବୀକାର କରୁଛନ୍ତି। ବିଜେଡି ନେତାମାନେ ନିଜସ୍ବ ଚେହେରାରେ ଭୋଟ ଜିତନ୍ତି ନାହିଁ। ବରଂ ନବୀନ ଓ ଶଙ୍ଖ ଚିହ୍ନ ମାଧ୍ୟମରେ ନିର୍ବାଚନ ବୈତରଣୀ ପାରି ହୁଅନ୍ତି।

କିଛି ବର୍ଷ ହେଲା ନବୀନ କିଛି ରାଜନୈତିକ ସଭା ଓ ନିଯୁକ୍ତି ପତ୍ର ବାଣ୍ଟିବା ବ୍ୟତୀତ ନିଜେ ଲୋକଙ୍କ ସହିତ ସିଧାସଳଖ ଜଡ଼ିତ ନରହି, ଭିଡିଓ କନଫରେନ୍ସିଂ ଓ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ଜନତାଙ୍କ ନିକଟରେ ପହଞ୍ଚୁଛନ୍ତି। ସେ ନବୀନ ନିବାସରେ ଥାଇ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦ୍ଦେଶ ଦେଇ ରାଜ୍ୟ ଚଳାଉଛନ୍ତି। ଏଥିରେ ରାଜ୍ୟବାସୀ ଖୁସି ଅଛନ୍ତି ତାଙ୍କ ଦଳର ନେତାମାନେ କହୁଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ହେଉ କି ବନ୍ୟା-ବାତ୍ୟା ମୁକାବିଲା ହେଉ। ଅଥବା ୨୦୨୩ ଜୁନ୍ ୨ ତାରିଖ ଦିନ ବାଲେଶ୍ବର ଜିଲ୍ଲା ବାହାନଗ ଟ୍ରେନ୍ ଦୁର୍ଘଟଣା ପରେ ପରବର୍ତ୍ତୀ ସ୍ଥିତି ମୁକାବିଲା ହେଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚାରିଆଡୁ ପ୍ରଶଂସା ମିଳିଥାଏ।

ସବୁ କ୍ଷେତ୍ରରେ ଅଭାବ

୨୩ ବର୍ଷ ଧରି ନବୀନଙ୍କ ହାତରେ କ୍ଷମତାର ଶାସନ ରହିଛି। କିନ୍ତୁ ସବୁଠାରୁ କ୍ଷୋଭର କଥା ହେଲା ଯେ, ନବୀନ ନିଜ ଜିଲ୍ଲାର ବିକାଶ କରିପାରି ନାହାନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରନ୍ତି। ଲୋକଙ୍କୁ ରୋଜଗାର ଦେଇପାରି ନାହାନ୍ତି। ଏହି କାରଣରୁ ପ୍ରତିଦିନ ଗଂଜାମ ଜିଲ୍ଲାରୁ ଶତାଧିକ ଲୋକ ଗୁଜରାଟ ଓ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଗଂଜାମରେ ଅପରାଧର ମାତ୍ରା ଅଧିକ, ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଜଳସେଚନ ଉପଯୁକ୍ତ ବ୍ୟବସ୍ଥା ନାହିଁ। ଦକ୍ଷିଣ ଓଡ଼ିଶାର ବୃହତ୍ ମେହିକାଲ କଲେଜରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ରୋଗୀ ଓ ରୋଗୀ ପରିବାରକୁ ବହୁତ ହଇରାଣ ହେବାକୁ ପଡ଼ିଥାଏ। ଲୋକଙ୍କ ମଧ୍ୟରେ ମାନବିକତା ସୃଷ୍ଟି ହୋଇପାରି ନାହିଁ। ବିନା ସୁରକ୍ଷା ବ୍ୟବସ୍ଥାରେ ନବୀନ ପଟ୍ଟନାୟକ ଗଂଜାମବାସୀଙ୍କ ସହିତ ମିଶିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଥାଏ।

୩ ଛୁଆଙ୍କୁ କୂଅରେ ଫିଙ୍ଗିଲା ମା’

ଗତ ୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ର ଜଣେ ପିଶାଚୀ ମା’ଙ୍କ କାମ ପୂରା ଓଡ଼ିଶାକୁ ଆଶ୍ଚର୍ଯ୍ୟ କରିଦେଇଥିଲା। କୁନିକୁନି ୩ଟି ପିଲାଙ୍କୁ କୂଅରେ ଫିଙ୍କି ଦେବା ପରେ ନିଜେ ମା’ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲା। ଘଟଣାରେ ଦେଢ଼ ବର୍ଷର ଝିଅ ଏବଂ ୫ ବର୍ଷର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷର ବଡ଼ ଝିଅ ବଂଚିଯାଇଛି। ଏହି ଅଘଟଣ ପଛରେ ରହିଛି ଅଭାବ। ଲାଉଗୁଡ଼ା ଗାଁର ବଳରାମ ଗୌଡ଼ ଚେନ୍ନାଇରେ କାମ କରନ୍ତି। ୩ ଝିଅ ପୁଅଙ୍କୁ ନେଇ ତାଙ୍କ ସ୍ତ୍ରୀ ରଶ୍ମିତା ଗୌଡ଼ ଗାଁରେ ରୁହନ୍ତି। ବଳରାମ ଚେନ୍ନାଇରେ ଆଉ ଏକ ବାହା ହୋଇଥିବା ଘଟଣାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଘଟଣାର ଠିକ ପୂର୍ବଦିନ ଝଗଡ଼ା ଚରମସୀମାରେ ପହଂଚିଯାଇଥିଲା।  ଏଥିରେ ପ୍ରତିଶୋଧ ପରାୟଣ ହୋଇ ୩ ପିଲାଙ୍କୁ ଜୀବନରେ ମାରି ଦେଇ ନିଜେ ମରିଯିବାକୁ ଚାହୁଁଥିଲେ। ୫ବର୍ଷର ଆଶିଷ ଗୌଡ଼ ଏବଂ ଦେଢ଼ ବର୍ଷର ଆଲିଶା ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ବର୍ଷର ଝିଅ ବଂଚିଯାଇଛି। ତେବେ ବଳରାମଙ୍କୁ ଯଦି ନିଜମାଟିରେ କାମ ଖଣ୍ଡେ ମିଳିଥାନ୍ତା, ସେ ଚେନ୍ନାଇ ଯାଇ ନଥାନ୍ତେ କି ଦ୍ବିତୀୟ ବିବାହ ଚିନ୍ତା କରି ନଥାନ୍ତେ। ତାଙ୍କର ସଂସାରରେ କଳାବାଦଲ ଆସି ନଥାନ୍ତା।

୫ମାସରେ ୨୦ ଊର୍ଦ୍ଧ୍ବ ଦାଦନ ଶ୍ରମିକ ମୃତ

ଗଞ୍ଜାମ ଜିଲ୍ଲାର ସବୁଠାରୁ ବଡ଼ ଅସୁବିଧା ହେଉଛି ଦାଦନ ଯନ୍ତ୍ରଣା। ଗତ ୫ ମାସ ଭିତରେ ଜିଲ୍ଲାର ୨୦ରୁ ଅଧିକ ଶ୍ରମିକଙ୍କ ବାହାର ରାଜ୍ୟ ଓ ଦେଶରେ ମୃତ୍ୟୁ ହୋଇସାରିଛି। ଅନେକ ଶ୍ରମିକ ଏବେବି ନିର୍ଯାତିତ ହୋଇ ଫସିରହିଛନ୍ତି। ନିକଟରେ ପୁଣି ଗଞ୍ଜାମ ଜିଲ୍ଲାର ୨ ଜଣ ଯୁବ ଦାଦନ ଶ୍ରମିକ ତେଲେଙ୍ଗାନାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପାତ୍ରପୁର ବ୍ଲକ୍ ବରଙ୍ଗ ପଞ୍ଚାୟତ ଗୋପାଳପଲ୍ଲୀ ଗ୍ରାମର କେଶବ ରେଡ୍ଡୀଙ୍କ ପୁଅ କେ.ଭୀମାରାଇ (୨୬) ଓ ସନ୍ତୋଷପୁର ଗ୍ରାମର କେ.ତାରକେଶୁ (୨୨) ପ୍ରାୟ ଦୁଇ ବର୍ଷ ହେଲା ସିକନ୍ଦରାବାଦ ନିକଟ ସାଙ୍ଗାରେଡ୍ଡୀ ଜିଲ୍ଲା ଆଲୁୱାଲୁ ଥାନା ଇଲାକାରେ ଏକ ଘରୋଇ କମ୍ପାନିରେ ଜଣେ ଠିକାଦାରଙ୍କ ଜରିଆରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ପ୍ରତିଦିନ ଭଳି ଗତ ୨ ତାରିଖ ଦିନ ମଧ୍ୟ ସନ୍ଧ୍ୟାରେ ଉଭୟ କାମ ସାରି ବାଇକ୍ ଯୋଗେ ସେମାନଙ୍କ ଭଡ଼ାଘରକୁ ଫେରୁଥିଲେ। ରାସ୍ତାରେ ଏକ ବସ୍ ଧକ୍କାରେ ଉଭୟ ଗୁରୁତର ହୋଇଥିଲେ। ସେଠାକାର ଡାକ୍ତରଖାନାରେ ଭୀମା ଓ ତାରକେଶୁଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।    

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments