ଭୁବନେଶ୍ବର: କଟକରୁ ସମ୍ବଲପୁରକୁ ଯୋଡୁଥିବା ମୁଖ୍ୟ ସଡ଼କପଥକୁ ପଶ୍ଚିମଓଡ଼ିଶାର ଜୀବନରେଖା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହୃଦୟଙ୍ଗମ କରିଛନ୍ତି। ୪ଥାକିଆ ରାସ୍ତା ନିର୍ମାଣ ନାଁରେ ୨୦୧୭ ମସିହାଠାରୁ ମରାମତି ହୋଇପାରି ନଥିବା ଯୋଗୁଁ ଏହାରି ମଧ୍ୟରେ ପତିବର୍ଷ ଶତାଧିକ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ତୁଳନାରେ ତିନିଗୁଣା ଆହତ ଓ ଗୁରୁତର ହୋଇଛନ୍ତି। ଅନେକ ଲୋକଙ୍କର ପରିବାର ଉଜୁଡିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବେ ଚେତା ପଶିଛି।
ମୁଖ୍ୟମନ୍ତ୍ରୀ କଟକ-ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶୀଘ୍ର ଶେଷ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ତୁରନ୍ତ ଏହାର କାମ ଶେଷ କରାଯାଉ। ୨୦୧୭ ମସିହା ଠାରୁ ଏହି ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ଜାତୀୟ ରାଜପଥ ୫୫ ପଶ୍ଚିମଓଡ଼ିଶାର ଜୀବନରେଖା ହୋଇଥିବାରୁ ପ୍ରତିଦିନ ଏହାରି ଉପରେ ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଛନ୍ତି। ରାସ୍ତାର ଅଧପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଜୀବନହାନି ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ୩୯୯ ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୧୯୬ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଛି।
ଜୀବନ ନିଆ ରାସ୍ତା
୩୫୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ବଲପୁର-କଟକ ୫୫ ନମ୍ବର ରାଜପଥ ଚାରିଥାକିଆ ହେବ ବୋଲି ପଶ୍ଚିମଓଡ଼ିଶାବାସୀ ଚାହିଁ ରହିଛନ୍ତି। ଏହା ହୋଇଗଲେ ଗାଡ଼ିଗୁଡ଼ିକ ପବନ ବେଗରେ ଗତି କରିବ। ସମ୍ବଲପୁରରୁ ଭୁବନେଶ୍ବରକୁ ମାତ୍ର ୪ ଘଣ୍ଟା ଲାଗିବ। ବୁର୍ଲା ଡାକ୍ତରଖାନାରୁ କଟକ ବଡ଼ଡାକ୍ତରଖାନା ଯାଉଥିବା ବହୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚିଯିବ। କିନ୍ତୁ ୬ ବର୍ଷ ପରେ ଏହି ସ୍ବପ୍ନ ପୂରଣ ହେବା ବଦଳରେ କ୍ରମେ ମଉଳି ଯିବାରେ ଲାଗିଛି। ଅନେକ ସ୍ଥାନରେ ରାସ୍ତାକୁ ଦେଖିଲେ କେହି କହିବେନି ଏହା ଜାତୀୟ ରାଜପଥ ବୋଲି। ରାସ୍ତାର ଠାଏଠାଏ ସିମେଣ୍ଟ ଢଳେଇ ହୋଇଛି। କିନ୍ତୁ ଅନେକ ଅଂଶରେ ମାଟି ମୁଠାଏ ବି ପଡ଼ିନି। ଅଧାପନ୍ତରିଆ କାମ କରି ଛାଡ଼ି ଦିଆ ଯାଇଥିବା ରାସ୍ତା ସାରା ଗାଡ଼, ଖାଲ। ଏହି ଖାଲରେ ଗାଡ଼ି ଚକା ପଡ଼ିଗଲେ କଥା ସରିଲା। ବଡ଼ବଡ଼ ଗାଡ଼ି କୌଣସି ପ୍ରକାର ଏହି ରାସ୍ତା ପାର ହୋଇ ଯାଉଛନ୍ତି। କିନ୍ତୁ ମୋଟର୍ ସାଇକଲ୍, କାର୍ ଓ ଅଟୋ ଚାଳକ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ସ୍ଥାନୀୟ ଲୋକେ ଏହାକୁ ଜୀବନ ରେଖା ନୁହେଁ ଜୀବନ ନିଆ ରାସ୍ତା କହିବା ଆରମ୍ଭ କଲେଣି।
୬ ବର୍ଷରେ କେତେ ମଲେ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ମୋର ପ୍ରିୟ ଓଡ଼ିଶାବାସୀ କୁହନ୍ତି। ପଶ୍ଚିମଓଡ଼ିଶା ପାଇଁ ଦରଦୀ ହୃଦୟ ଦେଖାନ୍ତି। ନିଜେ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି। ପଦ୍ମପୁର ଉପନିର୍ବାଚନ ସମୟରେ ମାରାଥନ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ମୁଖ୍ୟମନ୍ତ୍ରୀ କେବେ ବି ପଶ୍ଚିମଓଡ଼ିଶାକୁ ସଡ଼କପଥରେ ଯାଇନାହାନ୍ତି। ଯଦି ସେ ସଡ଼କପଥରେ ଯାଇଥାନ୍ତେ, କେନ୍ଦ୍ରକୁ ଚିଠି ଲେଖିବା ଏତେ ବିଳମ୍ବ କରି ନଥାନ୍ତେ। ମୁଖ୍ୟମନ୍ତ୍ରୀ ୨ ବର୍ଷରେ ୧୯୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଗତ ୬ ବର୍ଷ ମଧ୍ୟରେ କେତେ ଦୁର୍ଘଟଣା ଘଟିଛି ଏବଂ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଛି, ତାହା ଉଲ୍ଲେଖ କରି ନାହାନ୍ତି। ଏଥି ସହିତ ଚିଠିରେ ନିଜର ଦୁର୍ବଳତାକୁ ପ୍ରକାଶ କରିନାହାନ୍ତି। ବରଂ କେନ୍ଦ୍ରୀୟ ସଂସ୍ଥା ନିର୍ମାଣ କାମ ବିଳମ୍ବ କରିଛନ୍ତି ବୋଲି କହିଛନ୍ତି।
ଏକାଧିକ ସମସ୍ୟା ପାଇଁ ବିଳମ୍ବ
୨୦୨୧ ଡିସେମ୍ବର ଶେଷ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ୨୦୨୨ ଜୁନ ସୁଦ୍ଧା ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହେବ। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସଂସଦରେ ଏହି ସୂଚନା ଦେବାପରେ ଏହି ରାସ୍ତା ଯନ୍ତ୍ରଣା ଦୂର ହେବ ବୋଲି ଆଶା ବଢିଥିଲା। ରାଜପଥକୁ ୪ ଲାଇନ ବିଶିଷ୍ଟ କରିବା ପାଇଁ ଏହାର ପ୍ରଶସ୍ତୀକରଣ କରାଯାଉଛି। ୨୦୧୮ରେ ଏହି ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହୋଇଥିଲାବେଳେ ୨୦୨୦ ମସିହା ସେପ୍ଟେମ୍ବର ସୁଦ୍ଧା ଏହା ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଆରମ୍ଭରୁ ଏହି କାମ ବିଳମ୍ବିତ ହୋଇ ଚାଲିଛି। ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା କାରଣରୁ ରାସ୍ତା କାମ ଠିକ ସମୟରେ ଆରମ୍ଭ ହୋଇ ପାରି ନ ଥିଲା। ସେହିପରି ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଥିଲା। କୋଭିଡ ପାଇଁ ନିର୍ମାଣ କାମ ଅଟକି ଯାଇଥିଲା। ଏହାସହିତ ଠିକା ସଂସ୍ଥାର ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ମଧ୍ୟ ଏହି ପ୍ରକଳ୍ପ ବିଳମ୍ବ ବୋଲି ଦାୟୀ ବୋଲି ଗଡ଼କରୀ ସୂଚନା ଦେଇଥିଲେ।
୩ବର୍ଷରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍
୩୪୧ କିମି ବିଶିଷ୍ଟ ପୂର୍ବାଞ୍ଚଳ ଏକ୍ସପ୍ରେସ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବର ୧୬ ତାରିଖରେ ଉଦ୍ଘାଟନ କରିଥିଲେ। ଉତ୍ତର ପ୍ରଦେଶ ସରକାର ଦ୍ବାରା ନିର୍ମିତ ଏହି ରାସ୍ତାର ଶିଳାନ୍ୟାସ ୨୦୧୮ ଜୁଲାଇରେ ଆଜମଗଡ଼ରେ କରାଯାଇଥିଲା। ୨୨,୪୯୬ କୋଟି ଟଙ୍କାର ଏହି ପ୍ରକଳ୍ପର ଲୋକାର୍ପଣ ହେଲା ପରେ ଲଖନଉ-ଗାଜିପୁର ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଛି। ଏଥି ସହିତ ମାତ୍ର ସାଢ଼େ ୩ଘଣ୍ଟାରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ହେଉଛି। କିନ୍ତୁ ସମ୍ବଲପୁରରୁ କଟକ ମାତ୍ର ୨୬୧ କିମି ରାସ୍ତା ୬ ବର୍ଷରେ ଶେଷ ହୋଇନପାରିବା କ୍ଷୋଭର ବିଷୟ। କାହା ପାଇଁ ରାସ୍ତାର ନିର୍ମାଣ କାମରେ ବିଳମ୍ବ ହେଉଛି, ସେଥିରୁ ଜନସାଧାରଣକୁ କିଛି ମିଳିବ ନାହିଁ। ଲୋକଙ୍କୁ ସୁବିଧା ଦରକାର। ଯଦି କେନ୍ଦ୍ରର ସମସ୍ୟା ରହିଛି, ସେଥିପାଇଁ ରାଜ୍ୟ ସରକାର ଆଲୋଚନା କରିବା ଉଚିତ।