ଭୁବନେଶ୍ବର: ଚର୍ଚ୍ଚିତ ଲେଡି ବ୍ଳାକମେଲର ଅର୍ଚ୍ଚନା ନାଗ ଏବେ ୭ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହେପାଜତରେ ଅଛନ୍ତି। ସେ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଇଡି କାର୍ଯ୍ୟାଳୟରେ ରହିବେ। ଏହି ସମୟ ମଧ୍ୟରେ ତାଙ୍କୁ ଅଧିକାରୀମାନେ ବେଆଇନ୍ ଅର୍ଥ କାରବାର ନେଇ ପଚରାଉଚରା କରିବେ। ଅର୍ଚ୍ଚନା ଇଡିକୁ କ’ଣ କହିବେ, ତାହା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସେ ଇଡିକୁ ଯାହା କହିବେ, ଅଧିକାରୀମାନେ କୋର୍ଟରେ କହିଲା ପରେ ଲୋକେ ଜାଣିବେ। ଅନ୍ୟପଟରେ ସମୟ ଏହିଭଳି ଭାବେ ପରିବର୍ତ୍ତନ ଆସିଛି ଯେ, ସତ ଘଟଣା ମଧ୍ୟ ରାଜନୈତିକ ଚାପରେ ଚାପି ହୋଇଯାଉଛି।
ରିମାଣ୍ଡ ଅବଧିର ପ୍ରଥମ ଦିନରେ ମଙ୍ଗଳବାର ଅର୍ଚ୍ଚନା ନାଗଙ୍କୁ କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ଝାରପଡ଼ା ଜେଲରୁ ଆଣିଥିଲେ। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହସ୍ପିଟାଲରେ ଅର୍ଚ୍ଚନା ନାଗ ଯେଉଁ ବିସ୍ଫୋରକ ବୟାନ ଦେଇଥିଲେ। ‘ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି’ ସେ କହିଥିଲେ।
ଅର୍ଚ୍ଚନା ମାମଲାରେ ପ୍ରଭାବଶାଳୀ ଅଛନ୍ତି କି?
ଏବେ ପ୍ରଶ୍ନ ଉଠୁଛି ଯେ, ଇଡିକୁ ଅର୍ଚ୍ଚନା କ’ଣ କହିବେ, ଯାହା ଦ୍ବାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ସେ କିନ୍ତୁ ସରକାର ପରିବର୍ତ୍ତନ ହେବା କଥା କହିନାହାନ୍ତି। କିନ୍ତୁ ସନ୍ଦେହ ହେଉଛି ଯେ, ଶାସକ ଦଳର ଜଣାଶୁଣା ନେତାଙ୍କ ସହିତ ଅର୍ଚ୍ଚନାଙ୍କ ଲିଙ୍କ ଥାଇପାରେ। ଆଉ ଯଦି ସେହିଭଳି ପ୍ରଭାବଶାଳୀ ଲୋକଙ୍କର ସହିତ ଅର୍ଚ୍ଚନାଙ୍କର ଲିଙ୍କ ନ ଥିବ, ତା’ହେଲେ ରାଜ୍ୟ ପରିବର୍ତ୍ତନ ହେବ କାହିଁକି। ଅତୀତରେ ଅଞ୍ଜନା ମିଶ୍ରୀ ଗଣଦୁଷ୍କର୍ମ ଘଟଣା ଯୋଗୁଁ ତତ୍କାଳୀନ କଂଗ୍ରେସ ସରକାର ବଳି ପଡ଼ିଥିଲା। ଏବେ ଯଦି ସମାନ ପ୍ରକାରର ଘଟଣା ଘଟିଥାଏ, ତା’ ହେଲେ ସରକାର ରହିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଗଣମାଧ୍ୟମକୁ କ’ଣ କହିଲେ ଅର୍ଚ୍ଚନା
ଅର୍ଚ୍ଚନା ନାଗ କହିଛନ୍ତି ଯେ, ଇଡି ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି। ସେଥିପାଇଁ ତ ଇଡିକୁ ଅପେକ୍ଷା କରିଥିଲି। ତଦନ୍ତରେ ନିଶ୍ଚୟ ସହଯୋଗ କରିବି। ମୋତେ ଫସାଇ ଦିଆଯାଇଛି। କିନ୍ତୁ କାହା ମାଧ୍ୟମରେ ଏହା କରାଯାଇଛି, ତାହା ମୁଁ ଜାଣିପାରୁନି। ଗିରଫ ସମୟରେ ମୋର ପାଟି ବନ୍ଦ କରିଦିଆଗଲା। ମୁଁ ଜଣେ ଆତଙ୍କବାଦୀ ହୋଇ ନ ଥିଲେ ମଧ୍ୟ ସେମିତି ବ୍ୟବହାର କରାଗଲା। ଆପଣଙ୍କ ମା ଭଉଣୀ ଭଳି ମୁଁ ଜଣେ ମହିଳା। ମୋ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି। ନେତା, ମନ୍ତ୍ରୀ କି ଆଉ କିଏ ଅଛନ୍ତି, ସବୁ ପ୍ରମାଣ କରିଦେବି। ମୁଁ ନିର୍ଦୋଷ। ପଣସ ଖାଇ ମୋ ମୁଣ୍ଡରେ ୨ ଜଣ ଅଠା ବୋଳିଛନ୍ତି। ଅର୍ଚ୍ଚନା କହିଛନ୍ତି ଯେ, ସେ ଜଣେ ମହିଳା। କିନ୍ତୁ ଚାକିରି କି ବଡ଼ଧରଣର ବ୍ୟବସାୟ କରୁ ନ ଥିଲେ ମଧ୍ୟ କୋଟି କୋଟି ଟଙ୍କାର ଘଣ ନିର୍ମାଣ କଲେ କିପରି। ଅନ୍ୟ ପଟରେ ତାଙ୍କର କହିବାର ଶୈଳୀ ଅନୁସାରେ ସେ ନେତା ଓ ମନ୍ତ୍ରୀଙ୍କ ସଂପର୍କରେ ଥାଇପାରନ୍ତି। ତେଣୁ ନେତା ଓ ମନ୍ତ୍ରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।
କ’ଣ ଥିଲା ଅଞ୍ଜନା ମାମଲା
ବହଚର୍ଚ୍ଚିତ ଅଞ୍ଜନା ମିଶ୍ର ଦୁଷ୍କର୍ମ ମାମଲା ୧୯୯୯ ମସିହାରେ ଘଟିଥିଲା। ଭାରତୀୟ ବନ ସେବା (ଆଇଏଫ୍ଏସ୍) ସୁବାଷ ଚନ୍ଦ୍ର ମିଶ୍ରଙ୍କ ପୂର୍ବତନ ପତ୍ନୀଙ୍କୁ ସେହିବର୍ଷ ଜାନୁଆରୀ ୯ ତାରିଖରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ପରେ କଂଗ୍ରେସ ସରକାର ଧରାଶୟୀ ହୋଇଥିଲା। କାରଣ ଏହି ମାମଲା କଂଗ୍ରେସର ଭାବମୂର୍ତ୍ତିକୁ ପଦାରେ ପକାଇଥିଲା। ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗଙ୍କୁ ପଦବି ଦେଇଥିଲେ। ଅଞ୍ଜନା ମିଶ୍ର ତାଙ୍କର ସାମ୍ବାଦିକ ବନ୍ଧୁଙ୍କ ସହିତ ବାରଙ୍ଗ ଅଞ୍ଚଳକୁ ଯାଇଥିଲା ବେଳେ ୩ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ସାମ୍ବାଦିକ ଜଣକୁ ସବୁ ଦେଖୁଥିଲେ ମଧ୍ୟ ଭୟରେ ବିରୋଧ କରିପାରି ନ ଥିଲେ। ଏହି ଘଟଣାରେ ୧୯୯୯ ମସିହା ଜାନୁଆରୀ ୨୬ରେ ୨ ଜଣ ଅଭିଯୁ୍କ୍ତ ଗିରଫ ହୋଇଥିଲେ। ତୃତୀୟ ଅଭିଯୁକ୍ତ ଗତବର୍ଷ ଫେବ୍ରୁଆରୀ ୨୨ରେ ମହାରାଷ୍ଟ୍ରର ପୁଣେରୁ ଗିରଫ ହୋଇଥିଲା।