Wednesday, February 12, 2025
Homeଖବରପ୍ରମୁଖ ଖବରମୃତ୍ୟୁଶୂନ୍ୟ ସପ୍ତାହରେ ବେଶୀ ଦୁର୍ଘଟଣା

ମୃତ୍ୟୁଶୂନ୍ୟ ସପ୍ତାହରେ ବେଶୀ ଦୁର୍ଘଟଣା

ଭୁବନେଶ୍ବର: ଡିସେମ୍ବର ମାସର ମୃତ୍ୟୁଶୂନ୍ୟ ସପ୍ତାହ ସରିଛି। ଗତ ଏପ୍ରିଲ ମାସର ମୃତ୍ୟୁଶୂନ୍ୟ ସପ୍ତାହ ତୁଳନାରେ ଏଥର ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ଏପ୍ରିଲ ମାସର ମୃତ୍ୟୁଶୂନ୍ୟ ସପ୍ତାହରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥର ୮୧ ଜଣଙ୍କର ଜୀବନ ଯାଇଛି। ୧୪ ଦିନରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ଦିନକୁ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁଶୂନ୍ୟ ସପ୍ତାହ ପାଳନର ଘୋଷଣା ହେଉଛି ସତ। କିନ୍ତୁ ଦୁର୍ଘଟଣା ରୋକିବା ପାଇଁ ବିଧିବଦ୍ଧ ଯୋଜନା ନଥିବାରୁ ସଡ଼କ ଦୁର୍ଘଟଣାରେ ଅଙ୍କୁଶ ଲାଗି ପାରୁ ନାହିଁ। ଫଳରେ ଏଥିରୁ କୌଣସି ସୁଫଳ ମିଳିପାରୁ ନାହିଁ।  
ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି। ମୃତକ, ଗୁରୁତର ଓ ଆହତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ି ଚାଲିଛି। କିନ୍ତୁ ଗୁରୁତର ଓ ଆହତଙ୍କୁ ନେଇ ପୁଲିସ ସଡ଼କ ପରିବହନ ବିଭାଗର କର୍ମଚାରୀ ଭଲ କରୁଥିବା କ୍ବଚିତ ଖବର ଦେଖାଯାଉଛି। ମୃତ୍ୟୁଶୂନ୍ୟ ସପ୍ତାହ ପାଳନରେ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ଗୁରୁତ୍ବ ଦିଆଯାଉ ନାହିଁ। ବରଂ ଅଧିକ ରାଜସ୍ବ ଆଦାୟ ଲକ୍ଷ୍ୟ କରାଯାଉଥିବା ଦୃଷ୍ଟି ଗୋଚର ହେଉଛି। ଏହି କାରଣରୁ ସୁଫଳ ମିଳି ପାରୁ ନଥିବା କୁହାଯାଉଛି। ଗତ ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ ମୃତ୍ୟୁଶୂନ୍ୟ ସପ୍ତାହରେ ପୁଲିସ ଓ ଆରଟିଓ ମୋଟ ୧ କୋଟି ୧୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିଲେ। ଏଥର ଅଧିକ ବଢ଼ିପାରେ ବୋଲି କୁହାଯାଉଛି।

ଦୁର୍ଘଟଣା ପଛର କାରଣ

ଦୁର୍ଘଟଣା ଘଟିବା ପଛରେ ଏକାଧିକ କାରଣ ରହିଛି। ସତର୍କ ନହୋଇ ରାସ୍ତାରେ ଯାତାୟତ କରିବା କରିବା ଦୁର୍ଘଟଣାର ପ୍ରଥମ କାରଣ। ସଡ଼କ ସୁରକ୍ଷା ସଂପର୍କିତ ନିୟମକୁ ବେଖାତିର କରି ଯିବା ଅସିବା କରିବା ଆଉ ଏକ କାରଣ ହୋଇପାରେ। ରାସ୍ତାର ନିର୍ମାଣ ଶୈଳୀରେ ତ୍ରୁଟି ତୃତୀୟ କାରଣ। ରାସ୍ତାରେ ଯିବାବେଳେ ମୋବାଇଲ ଫୋନ୍‌ ବ୍ୟବହାର, ଭୁଲ ରାସ୍ତାରେ ଗାଡ଼ି ଚଳାଇବା, ମଦ ପିଇ ଗାଡି ଚାଳନା, ଚାଲି ଚାଲି ଯାଉଥିବା ଲୋକଙ୍କୁ ଧକ୍କା, ଗାଡ଼ି ବାଡେଇ ଦେବା ଫଳରେ ସେମାନଙ୍କ ଜୀବନ ଯାଇଛି। ହିଟ୍ ଆଣ୍ଡ୍‌ ରନ୍‌ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତାଜନକ ରହିଛି। ସେହିପରି ଗାଡ଼ିର ଫିଟ୍‌ନେସଗତ ସମସ୍ୟା କାରଣରୁ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା କରୁଛନ୍ତି। ତେଣୁ ଭିତ୍ତିଭୂମିକୁ ମଜବୁତ କରିବାକୁ ହେଲେ ଦୁର୍ନୀତିକୁ ହଟାଇବାକୁ ପଡ଼ିବ। ଦୁର୍ନୀତି ହଟିଲେ ଉନ୍ନତମାନର ରାସ୍ତାକାମ ହୋଇପାରିବ। ରାଜ୍ୟରେ ଲୋକଙ୍କର ବ୍ୟକ୍ତିଗତ ଆର୍ଥିକ ଅବସ୍ଥା ଠିକ୍‌ ନଥିବାରୁ ଅଥବା ଅବହେଳା କାରଣରୁ ଲୋକେ ନିଜ ଗାଡ଼ିକୁ ମଧ୍ୟ ଫିଟ୍‌ ରଖିବାରେ ଅସମର୍ଥ ହୋଇଥାନ୍ତି। ଫଳରେ ଠିକ୍‌ ସମୟରେ ଗାଡ଼ି ନିୟନ୍ତ୍ରଣା ବାହାରକୁ ଯାଇ ଦୁର୍ଘଟଣା ହୋଇଥାଏ।

ମୃତ୍ୟୁ ସଂଖ୍ୟା ବଢ଼ିବା ପଛରେ ବ୍ୟବସ୍ଥା ଦାୟୀ

ଅନ୍ୟପଟରେ ଦୁର୍ଘଟଣାରେ ପୀଡିତ ଲୋକଙ୍କର ଜୀବନ ବଞ୍ଚାଯାଇ ନପାରିବାର ମଧ୍ୟ ଏକାଧିକ କାରଣ ରହିଛି। ଓଡ଼ିଶାରେ ରାଜପଥ ପାର୍ଶ୍ବରେ ଆବଶ୍ୟକ ଟ୍ରମା ସେଣ୍ଟ୍‌ର ପ୍ରତିଷ୍ଠା କରାଯାଇ ପାରିନାହିଁ। ଦୁର୍ଘଟଣାସ୍ଥଳରୁ ପୀଡିତଙ୍କୁ ଡାକ୍ତରଖାନା ପହଞ୍ଚାଇବାରେ ଦୂର ହୋଇଥାଏ। କେବଳ ସେତିକି ନୁହେଁ, ଦୁର୍ଘଟଣାସ୍ଥଳକୁ ଲୋକଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା (ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର/ଉପଖଣ୍ଡ ଡାକ୍ତରଖାନା)କୁ ନିଆଯାଇଥାଏ। ସେଠାରେ ଚିକିତ୍ସା ସମ୍ଭବ ହୋଇ ନପାରିଲେ ଜିଲ୍ଲା ମୁଖ୍ୟ ସ୍ଥାନାନ୍ତରିତ କରାଯାଏ। ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇ ନପାରିଲେ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଏ। ଅର୍ଥାତ ପୀଡିତଙ୍କୁ ଦୁର୍ଘଟଣାସ୍ଥଳରୁ ବଡ଼ମେଡିକାଲକୁ ପହଞ୍ଚିବା ପାଇଁ ୬ରୁ ଆଠ ଘଣ୍ଟା ଲାଗିଥାଏ। ଏଭଳି ସମସ୍ୟା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥାଏ।

ପ୍ରତିବର୍ଷ ବଢୁଛି ସଡ଼କ ଦୁର୍ଘଟଣା

ଦ୍ରୁତଗତି ଓ ମଦ୍ୟପାନ ଯୋଗୁଁ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। ପ୍ରତିବର୍ଷ ଦୁର୍ଘଟଣା ବଢ଼ି ଚାଲିଛି। ଓଡ଼ିଶାରେ ୨୦୧୮ରେ ଏହି ସଂଖ୍ୟା ୫୩୧୫ ଥିଲା। ୨୦୧୯ରେ ଏହା ୫,୩୩୩କୁ ବୃଦ୍ଧି ପାଇଲା। ୨୦୨୦ ଓ ୨୦୨୧ରେ କରୋନା କଟକଣା ସତ୍ତ୍ବେ ଯଥାକ୍ରମେ ୪୭୩୮ ଓ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୨ରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୫୪୬୭ରେ ପହଞ୍ଚି ଗଲା। ଗତବର୍ଷ ରାଜ୍ୟ‌ରେ ୧୧ ହଜାର ୬୬୩ ଦୁର୍ଘଟଣା ଘଟିଥିବା ବେଳେ ୨୦୨୧ ତୁଳନାରେ ଏହା ୭ ପ୍ରତିଶତ ଅଧିକ। ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ତୁଳନାରେ ଭିତ୍ତିଭୂମି, ନିୟମ ଓ ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments