ଭୁବନେଶ୍ବର: ପାଣିପାଗ ବିଭାଗ ଦ୍ବାରା ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମି କେରଳ ପହଞ୍ଚିଛି। କିନ୍ତୁ ଓଡ଼ିଶାକୁ ଏହା କେବେ ସ୍ପର୍ଶ କରିବା, ସେନେଇ ପାଣିପାଗ ବିଭାଗ ପାଖରେ ସଠିକ୍ ସୂଚନା ନାହିଁ। ଏଣେ ରାଜ୍ୟବାସୀ ତାତିରେ ତତୁଛନ୍ତି। ମେ’ ମାସ ଶେଷ ହୋଇଯାଇଥିଲେ ମଧ୍ୟ ପ୍ରବଳ ଖରା ହେଉଛି। ପୂର୍ବବର୍ଷ ଗୁଡ଼ିକରେ ମେ’ ମାସ ଶେଷ ବେଳକୁ ଅତିକମରେ କାଳବୈଶାଖୀର ପ୍ରଭାବରେ ମାଟି ଥଣ୍ଡା ପଡ଼ିଯାଉଥିଲା କିନ୍ତୁ ଚଳିତ ବର୍ଷ ଏଥରେ ବ୍ୟତିକ୍ରମ ଦେଖାଯାଇଛି। ପ୍ରବଳ ଖରା ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଅତି ଜରୁରୀ କାମ ନଥିଲେ, ଲୋକେ ବାହାରକୁ ଯାଉନାହାନ୍ତି। ଲୋକେ ଅଂଶୁଘାତ ଭଳି ଶିକାର କରୁଛନ୍ତି।
କେରଳକୁ ଗତ ୨୯ ତାରିଖରେ ମୌସୁମି ଛୁଇଁଥିଲା ବେଳେ ଓଡ଼ିଶାବାସୀ ଏହାକୁ ଚାହିଁ ରହିଛନ୍ତି। ରାଜ୍ୟବ୍ୟାପୀ ଏବେ ବି ଗ୍ରୀଷ୍ମର ଲହର ଜାରି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ଏକ ସପ୍ତାହ ଯାଏଁ ଜାରି ରହିବ। ପ୍ରବଳ ଖରା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଜନଜୀବନ ଅଧିକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ପଶ୍ଚିମ ଓଡ଼ିଶାବାସୀ। ମେ’ ୩୧ ତାରିଖରେ ସୋନପୁରରେ ୪୪.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା ବେଳେ ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସେହିପରି ୪ଟି ସହରର ତାପମାତ୍ରା ୪୩ ଡିଗ୍ରି ରହିଛି। ପଶ୍ଚିମ ଓଡ଼ିଶାରେ ପବନ ଶାନ୍ତ ପଡ଼ିଯାଇଥିବା ବେଳେ ଖରାର ପ୍ରଭାବ ଦେଖାଯାଉଛି।
ଚାଷୀ ଉପଯୋଗୀ ବର୍ଷା!
ଧାର୍ଯ୍ୟ ସମୟ ପୂର୍ବରୁ କେରଳକୁ ମୌସୁମି ଛୁଇଁଥିବାରୁ ଚାଷୀମାନଙ୍କର ଆଶା ଯେ, ଚଳିତ ବର୍ଷ ଭଲ ଚାଷ ହୋଇପାରିବ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଯେ ଜୁନ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ। ଯଦି ପାଣିପାଗ ବିଭାଗର ଆକଳନ ଠିକଠାକ ରହିବ, ତା’ହେଲେ ଚାଷୀମାନଙ୍କର ପାଇଁ ଉପଯୋଗୀ ହୋଇପାରିବ। କାରଣ ରଜ ସଂକ୍ରାନ୍ତି ପରେ ଚାଷୀମାନେ ଧାନ ବୁଣିବା ଆରମ୍ଭ କରିଦେବେ। ଜୁନ ମାସ ଶେଷ ବେଳକୁ ଧାନବୁଣା କାର୍ଯ୍ୟ ସରିଯାଇଥିବ। ଯଦି ଜୁଲାଇରେ ଭଲ ବର୍ଷା ହୁଏ, ତା’ହେଲେ ଚାଷକୁ ସୁହାଇବ। କିନ୍ତୁ ରାଜ୍ୟକୁ କେବେ ମୌସୁମି ଆସିବ ସେ ସମ୍ପର୍କରେ ସେ ସ୍ପଷ୍ଟ ଭାବରେ କିଛି କହିନାହାନ୍ତି ।
ଅଧିକ ବର୍ଷା ଆଶଙ୍କା
ସାଧାରଣତଃ ମୌସୁମି କେରଳ ଛୁଇଁବାର ୧୦-୧୨ ଦିନ ପରେ ଓଡ଼ିଶା ଆସିଥାଏ। ଏହି ହିସାବରେ ଜୁନ ୮ରୁ ୧୦ ତାରିଖ ମଧ୍ୟରେ ମୌସୁମି ଓଡ଼ିଶା ଛୁଇଁବା କଥା। କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ଭିନ୍ନ ପୂର୍ବାନୁମାନ କରିଛି । ମୌସୁମି ବିଳମ୍ବରେ ଆସିବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି। କାରଣ ମହାରାଷ୍ଟ୍ର ବି ବିଳମ୍ବରେ ଛୁଇଁବ ମୋସୁମି। ‘ସ୍କାଏମେଟ’ କହିଛି ଯେ, କେରଳରେ ବି ଏଯାଏଁ ଆଶାନୁରୂପ ବର୍ଷା ହେଉନାହିଁ। କେତେକ ଅଂଚଳରେ କମ ବର୍ଷା ବା ଆଦୌ ବର୍ଷା ହୋଇନାହିଁ । ତେଣୁ ମୌସୁମି ବର୍ଷା ଉପରେ ମଧ୍ୟ ସନ୍ଦେହ ହେଉଛି। ଏ ବର୍ଷ ୧୦୩ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡିର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।