ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଅର୍ଥାତ ମନର କଥାର ୧୦୦ତମ ସଂସ୍କରଣ ୨୦୨୩ ଏପ୍ରିଲ ୩୦ ତାରିଖରେ ପ୍ରସାରିତ ହୋଇଛି । ୨୦୧୪ ଅକ୍ଟୋବର ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କେବଳ ଭାରତ ନୁହେଁ । ବରଂ ସମଗ୍ର ବିଶ୍ୱବାସୀଙ୍କୁ ଅନେକ ରାସ୍ତା ଦେଖାଇଛି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଅକୁଆ କଥାକୁ ଲୋକଲୋଚନକୁ ଆଣୂଛନ୍ତି । କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଅଜଣା ବ୍ୟକ୍ତିମାନେ ସମାଜରେ ପରିଚିତ ହୋଇପାରିଛନ୍ତି, ତାଙ୍କୁ ଅନ୍ୟମାନେ ଅନୁସରଣ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମନ୍ କୀ ବାତ୍ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ଯେମିତି ଲୋକେ ଈଶ୍ୱରଙ୍କୁ ପୂଜା କରିବାକୁ ଯାଆନ୍ତି, ହାତରେ ଭୋଗ ଥାଳି ନେଇକି ଯାଆନ୍ତି । ସେମିତି ମନ୍ କୀ ବାତ୍ ଈଶ୍ୱରରୂପି ଜନତା ଜନାର୍ଦ୍ଦନଙ୍କ ପାଦରେ ପ୍ରସାଦ ଥାଳି ଭଳି । ସଦ୍ଭାବନା, ସେବା ଓ କର୍ତ୍ତବ୍ୟ ନେଇ ମନର କଥା କହୁଛି । ୧୦୦ତମ ସଂସ୍କରଣ ପ୍ରସାରଣ ପୂର୍ବରୁ ହଜାର ହଜାର ଚିଠି ଓ ବାର୍ତ୍ତା ମିଳିଛି । ଆଶା କରୁଛି ସର୍ବାଧିକ ପଢ଼ିବି ଓ ବୁଝିବି । ୯ ବର୍ଷ ପୂର୍ବରୁ ଅକ୍ଟୋବର ୩ ତାରିଖ ଦିନ ପବିତ୍ର ବିଜୟା ଦଶମୀ ତିଥିରେ ମନ୍ କୀ ବାତ ଆରମ୍ଭ ହୋଇଥିଲା । ଅସତ୍ୟ ଉପରେ ସତ୍ୟର ବିଜୟ କାମନା ନେଇ ଏହା ଆରମ୍ଭ ହୋଇଥିଲା ।
ସାମୁହିକ ଉଦ୍ୟମରେ ବିକାଶ
ମୋର ବିଶ୍ୱାସ ଯେ ସାମୁହିକ ଉଦ୍ୟମ ଦ୍ୱାରା ବଡ଼ଧରଣର ପରିବର୍ତ୍ତନ ଅଣାଯାଇପାରିବ । ଚଳିତ ବର୍ଷ ଆମେ ସ୍ୱାଧୀନତାର ଅମୃତକାଳରେ ଆଗକୁ ବଢୁଛି । ଜି-୨୦ର ଅଧ୍ୟକ୍ଷତା କରୁଛେ । ଏହା ଅନ୍ୟ ଏକ କାରଣ ହେଲା ଯେ, ଶିକ୍ଷା ସହିତ ଗ୍ଲୋବାଲ କଲଚରକୁ ସମୃଦ୍ଧ କରିବା ଲାଗି ସଂକଳ୍ପ ମଜବୁତ ହୋଇଛି । ପ୍ଲାଷ୍ଟିକକୁ ବର୍ଜନ କରିବାର ଆବଶ୍ୟକତା ରହିଛି । ଆଜି ସମଗ୍ର ବିଶ୍ୱ ପରିବେଶକୁ ନେଇ ଚିନ୍ତିତ । ଏହାର ସମାଧାନ ମନରେ ଆସିବା ଦରକାର । ପର୍ଯ୍ୟଟନ କ୍ଷେତ୍ରରେ ଦେଶର ବିକାଶ ହେଉଛି । ଆମ ପାଖରେ ଥିବା ପ୍ରାକୃତିକ ସମ୍ବଳ ଯଥା, ନଦୀ, ପାହାଡ଼, ପୋଖରୀ ଓ ତୀର୍ଥ ସ୍ଥଳକୁ ପରିଷ୍କାର ରଖିବା ଜରୁରୀ । ଏହା ପର୍ଯ୍ୟଟନ ଶିଳ୍ପର ବିକାଶକୁ ସହଯୋଗ କରିବ । ବିଦେଶ ବୁଲିଯିବା ପୂର୍ବରୁ ଦେଶର ୧୫ଟି ତୀର୍ଥସ୍ଥଳ ବୁଲିବା ଦରକାର । ଏହା ପୁଣି ଅନ୍ୟ ରାଜ୍ୟରେ ଥିଲେ ଭଲ ।
ଜନଆନ୍ଦୋଳନରେ ପରିଣତ
ମନ୍ କୀ ବାତ ଯେଉଁ ବିଷୟରେ ଯୋଡ଼ିହୋଇଛି, ଜନଆନ୍ଦୋଳନରେ ପରିଣତ ହୋଇଛି । ମୋଦୀ ଯେତେବେଳେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ ଓବାମା ସହିତ କଥା ହୋଇଥିଲେ, ଏହା ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ମନ୍ କୀ ବାତ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ ଅନ୍ୟର ଭଲ ଗୁଣକୁ ପୂଜା ସ୍ୱରୂପ ଉପସ୍ଥାପନ କରିଥାନ୍ତି । ସେ ଲକ୍ଷ୍ମଣ ରାଓଙ୍କୁ ମାର୍ଗଦର୍ଶକ ବୋଲି ସ୍ୱୀକାର କରିଛନ୍ତି । ଲକ୍ଷ୍ମଣ ରାଓ କହୁଥିଲେ ଯେ, ଅନ୍ୟର ଗୁଣର ପୂଜା କରାଯିବା ଦରକାର । ତାଙ୍କର ଏହି କଥା ମୋତେ ପ୍ରେରଣା ଦେଉଛି । ମୋଦୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସାଧାରଣତଃ ଲୋକଙ୍କ ସହିତ ମିଳାମିଶା କରୁଥିଲେ । ୨୦୧୪ରେ ଦିଲ୍ଲୀ ଆସିବା ପରେ ଜୀବନ ଓ କାର୍ଯ୍ୟର ସ୍ୱରୂପ ବଦଳିଯାଇଛି । ସୁରକ୍ଷା, ସମୟ ଓ ସୀମା ପୂରା ଅଲଗା ହୋଇଯାଇଛି । ମୋଦୀ କହିଛନ୍ତି ଯେ, ୫୦ ବର୍ଷ ପୂର୍ବରୁ ଘର ଛାଡ଼ିବାର କାରଣ ହେଲା ଯେ, ଦେଶବାସୀଙ୍କ ସହିତ ସଂପର୍କ ହୋଇପାରୁ ନଥିଲା ।
ମନ୍ କୀ ବାତ୍ରେ ଓଡ଼ିଆ ପ୍ରତିଭା
ପ୍ରଧାନମନ୍ତ୍ରୀ ମୋଦୀ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶର ପ୍ରତିଟି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, କଳା, ସ୍ଥାପତ୍ୟ, ରୋଜଗାର, ବାଣିଜ୍ୟ, ଟେକ୍ନୋଲୋଜି ଆଦିକୁ ସ୍ଥାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ଲୋକଙ୍କ ସହିତ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଜଣାଶୁଣା ୟ୍ୟୁଟବର ଈଶାକ ମୁଣ୍ଡା(ଯୁଯୁମୁରା, ସମ୍ବଲପୁର), ବୁର୍ଲା ମେଡିକାଲ ଡାକ୍ତର ଶଙ୍କର ରାମଚନ୍ଦାନୀ, ଔଷଧୀୟ ବଗିଚା କରିଥିବା କଳାହାଣ୍ଡିର ପଟାୟତ ସାହୁଙ୍କ ସମେତ ଆହୁରି ଅନେକ ପ୍ରତିଭାଙ୍କ ନାମ ନେଇଛନ୍ତି । ସେହିପରି ରଥଯାତ୍ରା, କଟକର ଦୁର୍ଗାପୂଜା, ଓଡ଼ିଶାର ଜଳ, ଜଙ୍ଗଲ ଓ ପ୍ରାକୃତିକ ବୈଭବ ସଂପର୍କରେ ଚର୍ଚ୍ଚା କରିଛନ୍ତି ।
୨୬ କୋଟି ନିୟମିତ ଶ୍ରୋତା
ମନ୍ କୀ ବାତ୍ କାର୍ଯ୍ୟକ୍ରମ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ୧୦୦ତମ ସଂସ୍କରଣରେ ୧୧ଟି ବିଦେଶୀ ଓ ୨୨ଟି ଭାରତୀୟ ଭାଷାରେ ପ୍ରସାରଣ କରାଯାଇଥିଲା । ଏବେ ଏହି କାର୍ଯ୍ୟକ୍ରମ ୨୬ କୋଟି ଲୋକ ନିୟମିତ ଭାବେ ଶୁଣନ୍ତି । ୯୬ ପ୍ରତିଶତ ଲୋକ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ଅଛନ୍ତି । ପ୍ରାୟ ୧୦୦ କୋଟି ଲୋକ ଅତିକମ୍ରେ ଥରଟିଏ ଶୁଣିଛନ୍ତି । କାର୍ଯ୍ୟକ୍ରମର ୨୫ତମ ସଂସ୍କରଣ ୨୦୧୬ ଅକ୍ଟୋବର ୩୦, ୫୦ତମ ସଂସ୍କରଣ ୨୦୧୮ ଡିସେମ୍ବର ୩୦ ଓ ୨୦୨୧ ଏପ୍ରିଲ ୨୫ରେ ୭୫ତମ ସଂସ୍କରଣ ପ୍ରସାରିତ ହୋଇଥିଲା । ୧୦୦ତମ ସଂସ୍କରଣ ଅବସରରେ ଓଡ଼ିଶାରୁ ୨୦୦୦ ସମେତ ଦେଶର ୪ ଲକ୍ଷ ସ୍ଥାନରେ ଶୁଣିବାର ବ୍ୟବସ୍ଥା କରାଯାଇଥିଲା । ଆମେରିକାର ନ୍ୟୁୟର୍କସ୍ଥିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଲୋକେ ମୋଦୀଙ୍କୁ ଶୁଣୁଥିଲେ । ଦେଶର ପ୍ରତ୍ୟେକ ରାଜଭବନଗୁଡ଼ିକରେ ମନ୍ କୀ ବାତ୍ ଶୁଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ କି ୨୦୦ ଲୋକ ଉପସ୍ଥିତ ଥିଲେ । ଭାରତୀୟ ରେଳବାଇ ତରଫରୁ ରେଳଷ୍ଟେସନଗୁଡ଼ିକରେ କ୍ୟୁଆର କୋଡ ଲଗାଯାଇଥିଲା । ବିଜେପି ନିଜର ସାଂସଦ ଓ ବିଧାୟକଙ୍କୁ ସ୍ୱତନ୍ତ୍ର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସଂଖ୍ୟାଲଘୁ ସଂପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ୨୧୫୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଥିଲା ।