Saturday, September 14, 2024
Homeଖବରମୋଦୀ-ନବୀନ କହିଲେ- ବିକାଶ ଦିଗରେ ଓଡ଼ିଶା

ମୋଦୀ-ନବୀନ କହିଲେ- ବିକାଶ ଦିଗରେ ଓଡ଼ିଶା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ୧୯,୬୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ, ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା ତଥା ଦେଶ ବିକାଶରେ ସହାୟକ ହେବ। କିନ୍ତୁ ପ୍ରଧାନମନ୍ତ୍ରୀ ଗତମାସ ୩ ତାରିଖରେ ସମ୍ବଲପୁରରେ ଯେଉଁଭଳି ଭାବେ ଦଳୀୟ କର୍ମୀଙ୍କୁ ନିରାଶ କରିଥିଲେ, ଯାଜପୁରରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି। ସେହିପରି ସମାଲୋଚକମାନେ ମଧ୍ୟ ଆଶା କରୁଥିଲେ ଯେ, ମୋଦୀ ଓଡ଼ିଶା ସରକାର ଓ ବିଜେଡି ବିରୋଧରେ କିଛି କୁହନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ସରକାର ଓ ବିଜେଡି ବିପକ୍ଷରେ ଆଦୌ ମୁହଁ ଖୋଲି ନଥିଲେ। କେବଳ ଏତିକି କହିଥିଲେ ଯେ, ଓଡ଼ିଶାର ବିକାଶରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛି, ଆଗାମୀ ୫ ବର୍ଷ ପାଇଁ ମାଗଣାରେ ରାସନ, ପ୍ରତି ଘରକୁ ପାଣି ଯୋଗାଉଛି। ଶେଷରେ ମୋଦୀ କହିଥିଲେ ଯେ, ଆଗାମୀ ନିର୍ବାଚନରେ ମତଦାତା ବିଜେପିକୁ ଭୋଟ ଦିଅନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ସବୁବେଳେ ଗୁରତ୍ବ ଦେଇ ଆସୁଛନ୍ତି। ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥାଏ, ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ମଧ୍ୟ କାମ କରିଥାଏ। ୨୦୧୪ ମସିହା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇପାରିଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓଡ଼ିଶାରେ ବଡ଼ବଡ଼ପ୍ରକଳ୍ପ ଚାଲିଛି। ଆଜି ଲୋକାପିର୍ତ ହୋଇଥିବା ଗ୍ୟାସ ପାଇପଲାଇନ୍ ଦେଶପାଇଁ ସମପିର୍ତ ହେଇଛି। ପାରାଦୀପ ରିଫାଇନାରି ରେ ନୂଆ ପ୍ଲାଣ୍ଟ ଲୋକାର୍ପଣ ହୋଇଛି। ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶାର ବିକାଶ ଓ ଦେଶର ବିକାଶରେ ବିଜୁବାବୁଙ୍କ ଯୋଗଦାନ ଅତୁଳନୀୟ ଥିଲା।

ଚଣ୍ଡିଖୋଲ ସଭାରେ କ’ଣ କହିଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କହିଥିଲେ ଯେ, ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ। ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଓଡିଶାର ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଏଥି ସହିତ ନବୀନ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି, ଯାହା ପାଇଁ ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି। ଖୁବ୍ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।

ବିଜେଡିକୁ ଛାଡ଼ିଲେ, କଂଗ୍ରେସକୁ ଧୋଇଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲରେ ଆୟୋଜିତ ଦଳୀୟ ସଭାରେ ବିଜେଡି ବିପକ୍ଷରେ ଆଦୌ ମୁହଁ ଖୋଲି ନଥିଲେ। ଫଳରେ ସମାଲୋଚକଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ ସମାଲୋଚକମାନେ ଆଶା କରିଥିଲେ, ସିଧାସଳଖ ନହେଲେ ବି ନରେନ୍ଦ୍ର ମୋଦୀ ବିଜେଡି ବିପକ୍ଷରେ କିଛି କହିବେ। ଗତମାସ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଭଳି ଯାଜପୁରରେ ମଧ୍ୟ ବିଜେଡି ବିରୋଧରେ କିଛି କହି ନଥିଲେ। କେବଳ ସେ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ଜନସଭାକୁ ନିବେଦନ କରିଥିଲେ। କଂଗ୍ରେସକୁ ଟାର୍ଗେଟ କରି ସେ କହିଥିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା। ଆଜି ବିକାଶ ପାଇଁ ଯେଉଁ ବଡ଼ କାମ ହେଉଛି, ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଏହାର ସାଥୀଦଳଗୁଡ଼ିକ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲେ। କଂଗ୍ରେସ ସରକାର କୋଇଲା ଲୁଟିଥିଲେ। ଗରିବଙ୍କୁ ଖାଦ୍ୟ ଦେବା ପାଇଁ କେମିତି ଚିନ୍ତା କରିଥାନ୍ତେ? ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଆଣ, ଚାଷୀ ଋଣ ପାଇଁ ଗ୍ୟାରେଣ୍ଟି ଆଣ ବୋଲି କଂଗ୍ରେସ କହୁଥିଲା। କଂଗ୍ରେସ ସରକାରରେ ୟୁରିଆ ଦୁର୍ନୀତି ହୋଇଥିଲା। ସେହି ସରକାର ଚାଷୀଙ୍କ ଚିନ୍ତା କେମିତି କରିଥାନ୍ତା? ଚାଷୀଙ୍କୁ ଶସ୍ତାରେ ୟୁରିଆ ମିଳିପାରୁ ନଥିଲା। କଂଗ୍ରେସ ନିଜ ପରିବାର ପାଇଁ କାମ କରୁଥିଲା। ନିଜ ପୁଅ, ନାତି, ଅଣନାତି ପାଇଁ କାମ କରୁଥିଲା।

୧୯,୬୦୦ କୋଟି ପ୍ରକଳ୍ପର ଭେଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର  ଓଡ଼ିଶା ଗସ୍ତରେ ୧୯,୬୦୦ କୋଟି ପ୍ରକଳ୍ପର ଭେଟି ଦେଇଛନ୍ତି। ଏଥିରେ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରିଥିବା ବେଳେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ  ଭିତ୍ତିପ୍ରସ୍ତର ରଖିଛନ୍ତି।  ୧୬୨ କିମି ବାଂଶପାଣି– ଦୈତାରୀ–ଟମକା– ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କଳିଙ୍ଗନଗରରେ କନକୋର କଣ୍ଟେନର ଡିପୋ ଉଦ୍ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର– ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments