ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ଖୁସି ଅଛନ୍ତି। ମଙ୍ଗଳବାର ଏକ ସମୀକ୍ଷା ବୈଠକରେ ଯୋଗଦେଇ ଲୋକମାନେ ପାଇଥିବା ସେବା ଭଲ ଥିଲା ବୋଲି ସେ ଆଶା କରିଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ମୋ ସରକାର କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ବାରା ତାଲିକା କରାଯାଇଥିବା କାର୍ଯ୍ୟାଳୟରେ ଲୋକେ କର୍ମଚାରୀଙ୍କ ଦ୍ବାରା କିଭଳି ବ୍ୟବହାର ପାଆନ୍ତି, ସେମାନଙ୍କର ସମସ୍ୟାକୁ କିଭଳି ଭାବେ ସମାଧାନ କରାଯାଉଛି, ଲୋକଙ୍କର ଅସୁବିଧାକୁ କମ ସମୟରେ ଠିକ କରାଯାଉଛି କି ନାହିଁ, ସେନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ ମାଧ୍ୟମରେ ପଚରାଉଚରା କରାଯାଇଥାଏ। କାର୍ଯ୍ୟାଳୟକୁ ଯାଇଥିବା ବ୍ୟକ୍ତିଙ୍କର ମତାମତକୁ ଫିଡବ୍ୟାକ ଆକାରରେ ରେକର୍ଡ କରାଯାଇଥାଏ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୨୦୧୯ ଅକ୍ଟୋବର ୨ ତାରିଖରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ। ଗତବର୍ଷ ମେ’ ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଏବାଦରେ ସମୀକ୍ଷା କରିଥିଲେ।
‘ମୋ ସରକାର’ରେ ଏହି ବିଭାଗ
‘ମୋ ସରକାର’ ଅଧିନରେ କୃଷି, ଖାଦ୍ୟ ଯୋଗାଣ, ଉପଭୋକ୍ତା କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ସମବାୟ, ପଂଚାୟତରାଜ, ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗ କାମ କରୁଛି। ଏହି ସବୁ ବିଭାଗଗୁଡ଼ିକରେ କର୍ମଚାରୀମାନେ ଠିକ୍ ଭାବେ କାମ କରୁଛନ୍ତି କି ନାହିଁ, ତାହାରି ଉପରେ ନଜର ରଖାଯାଉଛି। ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି। ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି ।
ମୋବାଇଲ ନଥିବା ଗରିବଙ୍କ ଫିଡ଼ବ୍ୟାକ୍ ଅଛି!
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଉପରେ ସମୀକ୍ଷା କରି ସ୍ବାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ରହିଥିବା କହିଛନ୍ତି। ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି । ୯୯ ପ୍ରତିଶତରୁ ଅଧିକ ମତ ଉତ୍ତମ ବୋଲି ଜଣାଯାଇଛି। ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତ୍ତମ ରହିଛି ବୋଲି ସମୀକ୍ଷା ହୋଇଛି। କିନ୍ତୁ ବାସ୍ତବ କଥା ଓଲଟା। ରାଜ୍ୟର ସର୍ବବୃହତ୍ତ ଓ ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ର କଟକ ଏସ୍ସିବିକୁ ସରକାର ବିଶ୍ବସ୍ତରୀୟ କରିବାକୁ ସ୍ବପ୍ନ ଦେଖୁଥିଲା ବେଳେ ହଜାର ହଜାର ଲୋକ ଭୂମିରେ ଗଡୁଛନ୍ତି। ସରକାରକୁ ଏହା ଦେଖାଯାଉନାହିଁ। ଜିଲ୍ଲା ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଓ କ୍ଷୀର କେମିତି ଦିଆଯାଉଛି ସେନେଇ ଚର୍ଚ୍ଚା ହେଉନି। ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଥିବା ଗରିବ ରୋଗୀ, ଯେଉଁମାନଙ୍କ ପାଖରେ ମୋବାଇଲ ନାହିଁ କି ଟଙ୍କା ନାହିଁ, ସେମାନଙ୍କର ଫିଡ୍ବ୍ୟାକକୁ ଯୋଡ଼ା ଯାଉଛି କି?
ଶିକ୍ଷା କ୍ଷେତ୍ରରେ ଦରକାର ସଂସ୍କାର
୨୦୨୦ ମସିହାରୁ ରାଜ୍ୟରେ ନବୀନ ସରକାର ଶାସନ କରୁଥିବା ବେଳେ ୨୦୧୯ ଅକ୍ଟୋବରରୁ ନବୀନଙ୍କ ‘ମୋ ସରକାର’ ଆରମ୍ଭ ହୋଇଛି। ଜନତାଙ୍କ ନିକଟରେ ସୁଶାସନ ପହଞ୍ଚାଇବା ଏହାର ଲକ୍ଷ୍ୟ। ଶିକ୍ଷା କ୍ଷେତ୍ରକୁ ‘ମୋ ସରକାର’ରେ ଯୋଡ଼ିବାର ଆବଶ୍ୟକତା ରହିଛି। ରାଜ୍ୟର ଲକ୍ଷାଧିକ ଶିକ୍ଷକ ଉଚିତ ପ୍ରାପ୍ୟ ପାଉ ନଥିବା ବେଳେ ଆହୁରି ଅନେକ ଶିକ୍ଷକ ମୋଟା ଅଙ୍କର ଦରମା ପାଉଥିଲେ ବି ଘରେ କୋଚିଂ ଓ ଟ୍ୟୁସନ ଖୋଲି ପ୍ରବଳ ଟଙ୍କା ରୋଜଗାର କରୁଛନ୍ତି। ଯଦି ଶିକ୍ଷକ ଘରେ ଟ୍ୟୁସନରେ ବହୁ ସମୟ ଦେବେ, ତା’ହେଲେ ସେ ସ୍କୁଲରେ କେତେ ସମୟ ଉତ୍ସାହର ସହିତ ପାଠ ପଢ଼ାଇବେ। ସାର୍ଟିଫିକେଟ୍ ଜନିତ ସମସ୍ୟା ପାଇଁ ପ୍ରତିଦିନ ମାଧ୍ୟମିକ ଶିକ୍ଷା ପରିଷଦ (ଯୁକ୍ତ୨) ଅଫିସକୁ ଶହ ଶହ ପ୍ରାର୍ଥୀ ଆସୁଛନ୍ତି। କିନ୍ତୁ ବୋର୍ଡ ସାର୍ଟିଫିକେଟ ପାଇବା ପାଇଁ ୬ ମାସ ଲାଗିଯାଉଛି, ଯେଉଁଥି ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ତେଣୁ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାର ଅଛି।