ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଦେଶବ୍ୟାପି ସକ୍ରିୟ ଥିବା ବେଳେ ବର୍ଷା ଜାରି ରହିଛି । ଓଡ଼ିଶା ସମେତ ଆସାମ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ଦେଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବନ୍ୟା ନେଇ ଚେତାବନୀ ମଧ୍ୟ ଦେଇଛି । ଫଳରେ ସମ୍ଭାବିତ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ୍ୟା ଓ ଭୂସ୍ଖଳନ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ବିଶେଷ ଭାବରେ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଅଧିକ ବିପଦ ସଂକେତ ମିଳିଥାଏ । ଅନେକ ସମୟରେ ଲୋକେ ଖାଇପିଇ ଘର ଭିତରେ ଥିବା ବେଳେ ଭୂସ୍ଖଳନ ଯୋଗୁଁ ଜୀବନ ହରାଇବାକୁ ପଡ଼ିଥାଏ । ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ରରୁ ପ୍ରତିବର୍ଷ ଏହି ଭଳି ଶୁଣିବାକୁ ମିଳିଥାଏ ।
ଦେଶବ୍ୟାପି ମୌସୁମୀ ସକ୍ରିୟ ଥିବା ବେଳେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ବୁଧବାର ରାତି ଭୂସ୍ଖଳନ କାରଣରୁ ପାଖାପାଖି ୪୮ଟି ବଖରା ଘର ଭାଙ୍ଗି ଚୁରମାର ହୋଇଯାଇଛି । ଇଶାଲବାଡ଼ି ଗାଁରେ ଘଟିଥିବା ଏହି ଅଭାବନୀୟ ପରସ୍ଥିତି କାରଣରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କୁ ଏନଡିଆରଏଫ୍ ଫୋର୍ସଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜମ୍ମୁ କଶ୍ମୀରରେ ବୁଧବାର ୮ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ କାରଣରୁ ସୁରଜନ ଗାଁରେ ଗୋଟିଏ ପରିବାରର ୫ ଜଣଙ୍କର ଜୀବନ ଯାଇଛି । ବନ୍ୟାରେ ଭାସିଯାଇ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରକୁ ଚେତାବନୀ
ଭାରତୀୟ ପାଣିପାଗ ବିଭାଗ ମହାରାଷ୍ଟ୍ରକୁ ଚେତାବନୀ ଦେଇଛି । ରାଜ୍ୟ୍ରର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ରାୟଗଡ଼ ଜିଲ୍ଲାରେ ୬ରୁ ୩ଟି ନଦୀରେ ବିପଦ ସଂକେତ ଦେଇ ପାଣି ପ୍ରବାହିତ ହେଉଛି । ଅମ୍ବା, ସାବିତ୍ରୀ ଓ ପାତାଳଗଂଗା ଏଥିରେ ସାମିଲ ରହିଛି । ଅଧିକାରୀମାନେ କହିଛନ୍ତି ଯେ, କୁଣ୍ଡଲିକା, ଗଡ଼ି ଓ ଉହ୍ଲାସ ନଦୀର ଜଳସ୍ତର ବିପଦ ସୀମା ଟପିଛି । ବନ୍ୟା ପରିସ୍ଥିତି ଯୋଗୁଁ ଏନ୍ଡିଆରଏଫ୍ର ୧୨ଟି ମୁତୟନ କରାଯାଇଛି । ରତ୍ନଗିରିରେ ଚିପଲୁନର କୁମ୍ଭାର୍ଲି ଘାଟରେ ଚଟାଣ ଖସିଛି । କିଛି ବଜାରରେ ପାଣି ପଶିଛି । ପାଲଘରରେ ପ୍ରବଳ ବର୍ଷା ଯୋଗୁଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ମାଲକାନଗିରିରେ ଭୂସ୍ଖଳନ
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ନେଇ ଚେତାବନୀ ଦିଆଯାଇଛି। ମାଲକାନଗିରି ଜିଲ୍ଲା ବାୟାପଡ଼ା ଘାଟିରେ ଭୁସ୍କଳନ ହୋଇଛି। ଫଳରେ ଏଠାରେ ମାଟି ଅତଡ଼ା ଧସିଛି। ମାଲକାନଗିରି ଜିଲ୍ଲାରେ ଗତ ୫ ତାରିଖ ଠାରୁ ଲଗାଣ ବର୍ଷା ଲାଗିରହିଛି। କାଲିମେଳାରୁ ମୋଟୁ ସଂଯୋଗ କରୁଥିବା ରାସ୍ତାରେ ଏମ୍ଭି-୯୦ ଓ ଏମ୍ଭି-୯୬ ପୋଲ ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନାକାମାମୁଡ଼ି ପଂଚାୟତର ବାୟାପଡା ଘାଟିରେ ଭୁସ୍କଳନ ହୋଇଥିଲା, ଯାହା ଫଳରେ ପଂଚାୟତର ୧୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଥିଲା। ସେହିପରି ଗତ ୧୮ ତାରିଖ ଗଜପତି ଜିଲ୍ଲା ପାରଳା ସହର ଉପକଣ୍ଠରେ ଥିବା ବେତାଗୁଡା ଅଞ୍ଚଳରେ ଏକ ଛୋଟିଆ ପାହାଡ଼ରୁ ମାଟି ଏବଂ ପଥର ଅତଡା ଖସି ୭ଟି ଛେଳିଙ୍କ ମୃତ୍ୟୁ ଘଟିଥିଲା।
ବଡ଼ ଭୂସ୍ଖଳନ
ପ୍ରତି ବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଭୂସ୍ଖଳନ କାରଣରୁ ଶହ ଶହ ଲୋକଙ୍କର ମୃତ୍ୟୁ ହେଉଛି । ୧୯୨୦ ମସିହା ଡିସେମ୍ବର ୧୬ରେ ହାଇୟୁଆନ ଭୂସ୍ଖଳନ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଥିଲା । ଏହି ବିପର୍ଯ୍ୟୟ କାରଣରୁ ପ୍ରାୟ ୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୯୯୯ ମସିହା ଭେଞ୍ଜୁଆଲାରେ ହୋଇଥିବା ଭୂସ୍ଖଳନରେ ୩୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯୪୯ ମସିହା ତାଜିକସ୍ଥାନ ଭୂସ୍ଖଳନରେ ୨୮ ହଜାର ଲୋକ ପ୍ରାଣ ହରାଇଥିଲେ । ୨୦୧୩ ମସିହା ଜୁନ୍ ୧୬ରେ ରେ ଉତ୍ତର ଭାରତୀୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହୋଇଥିଲା । ଭାରତୀୟ ଇତିହାସରେ ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଏହା ଜଣାଶୁଣା, ଯେଉଁଥିରେ କି ୬୦୫୪ ଜଣଙ୍କର ମୃତ୍ୟୁ ହୋଇଥିଲା ।