Wednesday, December 4, 2024
Homeଖବରପ୍ରମୁଖ ଖବରଯଦି ବିକାଶ ହେଉଛି, ପ୍ରଚାର କାହିଁକି? 

ଯଦି ବିକାଶ ହେଉଛି, ପ୍ରଚାର କାହିଁକି? 

ଭୁବନେଶ୍ବର: ସମ୍ଭବତଃ ତିନି ମାସ ପରେ ସାଧାରଣ ନିର୍ବାଚନ। ଦେଶବ୍ୟାପି ଜନତା ଲୋକସଭା ନିର୍ବାଚନ ପାଇଁ ଭୋଟ୍ ହେବ। ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ବିଧାନସଭା ନିର୍ବାଚନ ହେବ। କେନ୍ଦ୍ରରେ ବିଜେପି ନେତୃତ୍ବ ଏନ୍ଡିଏ ସରକାର ପୁଣି ଥରେ କ୍ଷମତାକୁ ଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ସତ୍ତାର ସତରଂଜ ପାଇଁ ବିଜେପି ଓ ବିଜେଡି ସମେତ କଂଗ୍ରେସ ମଧ୍ୟ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି।
ନିକଟରେ ଶେଷ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ଫଳାଫଳକୁ ନେଇ ବିଜେପିର ମନୋବଳ ବଢ଼ିଯାଇଛି। ପ୍ରଥମ ୩ଟି ରାଜ୍ୟରେ ବିଜେପି ସରକାର ଗଢ଼ିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଓ ମିଜୋରାମରେ ଆଞ୍ଚଳିକ ଦଳ କ୍ଷମତାକୁ ଆସିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିକୁ ଜନମତ ମିଳିଥିବାରୁ ଓଡ଼ିଶାରେ ଏଥର ପରିବର୍ତ୍ତନ ହୋଇପାରେ। ଏହି ପରିବର୍ତ୍ତନ ଆଣିବା ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ତେବେ ଓଡ଼ିଶାବାସୀଙ୍କ ମନରେ ନବୀନ ଅଛନ୍ତି ବୋଲି ବିଜେଡି ବାହାସ୍ପୋଟ ମାରୁଛି। ବିଜେଡି ସରକାରୀ କଳ ମାଧ୍ୟମରେ ଦଳୀୟ ପ୍ରଚାର କରୁଛି।

ଲୋକଙ୍କ ମନ ଜିଣିବାକୁ ଉଦ୍ୟମ

ବିଜେଡି ନେତୃତ୍ବ ନବୀନ ସରକାର ୫ଟି ଓ ଆମ ଓଡ଼ିଶା, ନବୀନ ଓଡ଼ିଶା ନାମରେ କ୍ୟାମ୍ପେନ ଆରମ୍ଭ କରିଛି। ଏହି ପ୍ରଚାର ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକୁ ସାମିଲ କରୁଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ କରାଉଛି। ବିଗତ ଦିନରେ ବିଧାନସଭା ନିର୍ବାଚନରେ ବିଜେଡି ମିସନ ଶକ୍ତିର ମହିଳାମାନଙ୍କୁ ଅସ୍ତ୍ର କରିଥିଲା। ଏଥର କିନ୍ତୁ ନିର୍ବାଚନ ପୂର୍ବରୁ ଅଧିକ ସତର୍କତା ଅବଲମ୍ବନ କରୁଛି। ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ମଧ୍ୟ କରିଛି। ବିଶେଷ ଭାବେ ସ୍କୁଲ ପିଲାଙ୍କୁ ଏକତ୍ର କରି ସେମାନଙ୍କର ଅଭିଭାବକମାନଙ୍କର ମନ ଜିଣିବାକୁ ଉଦ୍ୟମ କରୁଛି।

ସ୍କୁଲ-କଲେଜ ପିଲା ପ୍ରଚାରର ମାଧ୍ୟମ

ବିଗତ ବର୍ଷ ଗୁଡ଼ିକ ତୁଳନାରେ ବିଗତ ଏକ ବର୍ଷ ମଧ୍ୟରେ ସ୍କୁଲ ଓ କଲେଜଗୁଡ଼କରେ ବିକାଶମୂଳକ କାର୍ଯ୍ୟ ଅଧିକ ହୋଇଛି। ୫ଟି ଅଧିନରେ ଶିକ୍ଷାନୁଷ୍ଠାନଗୁଡ଼ିକ ରୂପାନ୍ତରିତ ହୋଇଛି। ନବୀନ ସରକାରରେ ୨୧ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟର ଅବସ୍ଥା ଦୟନୀୟ ଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୧ ବର୍ଷ ହେବ ଜୋରଦାର ମରାମତି କାମ ହେଉଛି। କିଛି ସ୍ଥାନରେ ନୂଆ କୋଠା ନିର୍ମାଣ ମଧ୍ୟ ହୋଇଛି। ସେହିପରି ପିଲାମାନଙ୍କୁ ଏଥର ଆମ ଓଡ଼ିଶା, ନବୀନ ଓଡ଼ିଶା ଲୋଗୋ ଥାଇ ସବୁଜ ରଂଗର ପୋଷାକ ଦିଆଯାଇଛି। ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ପରି ପୋଷାକ ବିତରଣ କରାଯାଇଛି। ସ୍କୁଲ ପିଲାମାନଙ୍କର ସାଇକେଲରେ ନବୀନ ଓଡ଼ିଶାର ଷ୍ଟିକର ଲଗାଯାଇଛି।

ଇଣ୍ଟରନେଟ୍ ଖୋଲିଲେ ନବୀନଙ୍କ ମୁହଁ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜୋରଦାର ପ୍ରଚାର କରିଛନ୍ତି। ପୋଖରୀ, ସହରାଞ୍ଚଳ ମୁଖ୍ୟ ଛକ, ବସ୍ଷ୍ଟାଣ୍ଡ, ରେଳଷ୍ଟେସନ, ସରକାରୀ କାର୍ଯ୍ୟାଳୟରେ ନବୀନଙ୍କ ଫଟୋ ପୋଷ୍ଟର ଓ ବ୍ୟାନର ଝୁଲୁଛି। ରାଜ୍ୟ ସରକାର ଏହି ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ବିକାଶର ଡେଙ୍ଗୁରା ବଜାଇ ଲୋକଙ୍କ ମନ ଜିଣିବାକୁ ମଧ୍ୟ ଉଦ୍ୟମ କରୁଛନ୍ତି। କେବଳ ସେତିକି ନୁହେଁ ଇଣ୍ଟରନେଟ ଖୋଲିଲେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଯୋଜନା ଆଖି ସାମ୍ନାକୁ ଆସୁଛି। କଟକରୁ ଭୁବନେଶ୍ବର ରାସ୍ତାର ଉଭୟ ପାର୍ଶ୍ବରେ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ର ପ୍ରଚାର ପ୍ରସାର ହେଉଛି। ଭୁବନେଶ୍ବରର ଛକଗୁଡ଼ିକର ୧୦୦ ମିଟର ବ୍ୟବଧାନରେ ଅତିକମରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ୧୦ଟି ହୋର୍ଡିଂ ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠେ ୨୩ ବର୍ଷ ନିରବଚ୍ଛିନ୍ନ ଭାବେ ସରକାରରେ ରହି ଏତେ ପ୍ରଚାର ପ୍ରସାର କରିବାରର ଆବଶ୍ୟକତା କ’ଣ?

ରାଜ୍ୟରେ ଏକାଧିକ ସମସ୍ୟା

ଏହାରି ଭିତରେ ଯଦି ଅନ୍ୟ କେଉଁ ସରକାର ଥାନ୍ତା, ତା’ହେଲେ ତୁଳନା କରିଥିଲେ, କୌଣସି ଅସୁବିଧା ନଥାନ୍ତା। ରାଜ୍ୟରେ ରୋଜଗାର ନଥିବାରୁ ୩୦ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ୨୦୦୦ରୁ ୨୦୨୧ ପର୍ଯ୍ୟନ୍ତ ସବୁ ବିଭାଗରେ ପଦବି ଖାଲି। ଏହାରି ମଧ୍ୟରେ ଲକ୍ଷଲକ୍ଷ ଯୁବକଙ୍କର ବୟସ ସୀମା ଅତିକ୍ରମ ହୋଇଯିବାରୁ ବେକାରୀ ରହିବାକୁ ପଡ଼ିଛି। ଏହାରି ଉପରେ ସରକାର ତର୍ଜମା କରିବା ଦରକାର। ରାଜ୍ୟରେ କୃଷି ଉତ୍ପାଦନ ଦ୍ରୁତଗତିରେ ହ୍ରାସ ପାଉଛି। ଦୁର୍ନୀତିର ସୀମା ଚରମରେ ପହଞ୍ଚିଛି। ମହିଳା ଓ ଶିଶୁ ସୁରକ୍ଷିତ ନାହାନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments