Thursday, March 20, 2025
Homeଯାତ୍ରା ଦେଖି ଫେରୁଥିବା ମହିଳା, ଯୁବତୀଙ୍କୁ ଦୁଷ୍କର୍ମ
Array

ଯାତ୍ରା ଦେଖି ଫେରୁଥିବା ମହିଳା, ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ବର: ରାଜ୍ୟରେ ଆଇନ୍କାନୁନ ବ୍ୟବସ୍ଥା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଚୋରି, ଡକାୟତି, ଲୁଟ୍, ଦୁଷ୍କର୍ମ ଆଦି ସାଧାରଣ ଘଟଣା ହୋଇଯାଇଛି। ଗଣତନ୍ତ୍ରରେ ସବୁଠାରୁ କ୍ଷମତାସୀନ ବ୍ୟକ୍ତି କହିଲେ ରାଜନେତାଙ୍କୁ ହିଁ ବୁଝାଯାଇଥାଏ। କିନ୍ତୁ ଆମ ରାଜ୍ୟରେ ମନ୍ତ୍ରୀଙ୍କୁ ଦିବାଲୋକରେ ହତ୍ୟା କରାଯାଉଛି। ସେହି କାମ ପୁଣି ପୁଲିସ କରୁଛି। ଦୁଷ୍କର୍ମ ଅଭିଯୁକ୍ତକୁ କଡ଼ା ସୁରକ୍ଷା ଭିତରେ ରଖାଯିବା ଦରକାର। କିନ୍ତୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ।

ତେବେ ରାଜ୍ୟରେ ଦିନକୁ ଦିନ ମହିଳା, ଯୁବତୀ ଓ ନାବାଳିକାମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ସରକାର ଓ ପୁଲିସର ବିଫଳତା ଯୋଗୁଁ ମହିଳାମାନେ ଏକାକୀ ଯିବା ଅସାଧ୍ୟ ହୋଇଯାଉଛି। ପୁଲିସ ମଜବୁତ ନଥିବାରୁ ଦୁର୍ବୃତ୍ତ ଓ ଅଭିଯୁକ୍ତମାନେ ଖୁଲମଖୁଲା ଅପରାଧ କରି ଘୁରିବୁଲୁଛନ୍ତି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ରାତିସାରା ଯାତ୍ରା ଦେଖି ସାରିଲା ପରେ ଭୋର ସକାଳୁ ଘରକୁ ଫେରିବା ବେଳେ ଦୁଷ୍କର୍ମର ଶିକାର ହେବା।

କଳାହାଣ୍ଡିରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ଗତ ୧୭ ତାରିଖ ଦିନ ଭୋର ସକାଳୁ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳର ବେନଗାଁରୁ ତାରିଣୀ ଯାତ୍ରା ଦେଖି ଫେରିବା ସମୟରେ ୩ ଜଣ ନାବାଳିକାଙ୍କ ମଧ୍ୟରୁ ୨ଜଣଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କୁ ଅଭିଯୁକ୍ତମାନେ ଟେକି ନେଇ ୫ଜଣ ଯୁବକ ଦୁଷ୍କର୍ମ କରିଥିଲେ। ପରେ ସଂପୃକ୍ତ ନାବାଳିକାଙ୍କୁ ସେମାନେ ଛାଡ଼ି ଦେଇଥିବା ବେଳେ ସେମାନେ ଘରକୁ ଯାଇ ସବୁକଥା କହିଥିଲେ। ସମସ୍ତ ବିଷୟ ଜାଣିବା ପରେ ବିଜେପୁର ଥାନାରେ ବୁଧବାର ପରିବାର ଲୋକେ ଅଭିଯୋଗ କରିଥିଲେ। ଅନ୍ୟ ଜଣେ ନାବାଳିକାଙ୍କୁ ବାଜିବାହାଲି ରାସ୍ତା ପୋଲ ନିକଟରେ ଯୁବକମାନେ ଠେଲି ଦେଇଛନ୍ତି। ଏହି ଘଟଣାରେ ଏବେ ୪ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି।    

ଜାଗରରୁ ଫେରୁଥିଲେ ମହିଳା, ଟେକିନେଇ ଦୁଷ୍କର୍ମ

୨୦୨୦ ଫେବ୍ରୁଆରି ୨୩ ତାରିଖର ଘଟଣା। ଜାଗର ଉତ୍ସବ ଦେଖି ଘରକୁ ଫେରୁଥିବା ବେଳେ ଜଣେ ବିବାହିତା ମହିଳାଙ୍କୁ ବାଟରୁ ଟେକି ନେଇ ଦୁର୍ବୃତ୍ତମାନେ ଗୁଣଦୁଷ୍କର୍ମ କରିଥିଲେ। ଅନ୍ଧାର ରାତିରେ ମୁହଁରେ କପଡା ବାନ୍ଧି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଥିବାରୁ ପୀଡିତା ସେମାନଙ୍କୁ ଚିହ୍ନିପାରି ନଥିଲେ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳର ଏକ ପରିବାର ୨୦୧୨ ମସିହା ଠାରୁ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଞ୍ଚଳରେ ରହୁଛନ୍ତି। ଜାଗର ଦିନ ମହିଳାଙ୍କ ସ୍ବାମୀ ଓ ପିଲାମାନେ ମହାଶିବରାତ୍ରି ପାଇଁ ନିଜ ଗାଁକୁ ଯାଇଥିବା ବେଳେ ମହିଳା ଜଣକ ଏକୁଟିଆ ଘରେ ଥିଲେ। ରାତିରେ ବରଣେଶ୍ବର ଶୈବ ପୀଠରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିସାରି ସେ ଏକାକୀ ଫେରୁଥିବା ବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ଡିହସାହି-ସଇସଲାପୁର ମଝିରାସ୍ତାରୁ ଉଠାଇ ନେଇ ରାସ୍ତାକଡରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ।  

କୁଚିଣ୍ଡାରେ ନାବାଳିକାକୁ ଟେକିନେଲେ

ସେହିବର୍ଷ ଫେବ୍ରୁଆରି ୫ ତାରିଖ ଦିନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଟାଇଁସରରୁ ଧନୁଯାତ୍ରା ଦେଖି ଫେରୁଥିବାବେଳେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ମହୁଲପାଲି ପୁଲିସ ସାନମୁଣ୍ଡାଲୋଇ ନୂଆଁପଡ଼ାର ଯୋଗେଶ୍ବର ମୁଣ୍ଡା (୨୪)କୁ ଗିରଫ କରିଥିଲା। ଅନ୍ୟ ଜଣେ ନାବାଳକକୁ ବାଳସୁଧାର ଗୃହକୁ ପଠାଇଥିଲା। ୧୫ ବର୍ଷିୟା ନାବାଳିକା ରାତି ପ୍ରାୟ ୧୧ଟାରେ ତାଙ୍କ ଗାଁର ଜଣେ ମହିଳାଙ୍କ ସହ କୁସମୀ ଜମନକିରା ଫୁଟ୍ବଲ୍ ପଡ଼ିଆ ଦେଇ ଘରକୁ ଫେରୁଥିଲା। କିନ୍ତୁ ପୂର୍ବରୁ ଛପି ରହିଥିବା ଯୋଗେଶ୍ବର ଓ ଜଣେ ନାବାଳକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।  

ଭାଇ ପାଖରୁ ଭଉଣୀଙ୍କୁ ଛଡାଇ ନେଇ ଦୁଷ୍କର୍ମ

୨୦୧୯ ମସିହା ନଭେମ୍ବର ୪ ତାରିଖ ରାତି ପ୍ରାୟ ଚାରିଟା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି କାଳି ପଡ଼ିଆରୁ ଯାତ୍ରା ଦେଖି ଫେରୁଥିବା ମାଉସୀପୁଅ ଭାଇ ଠାରୁ ମାଉସୀଝିଅ ଭଉଣୀକୁ ଛଡ଼ାଇ ନେଇ ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୧୭ ବର୍ଷୀୟ ନାବାଳିକା ହଷ୍ଟେଲ୍ରେ ରହି +୨ରେ ଅଧ୍ୟୟନ କରନ୍ତି। ସେ ବଡ଼ଓସ୍ତିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମସ୍ଥିତ ମାମୁଘରକୁ ଯାଇଥିଲେ। ମାଉସୀପୁଅ ଭାଇ ସାଗର ମହାଳିକ ମଧ୍ୟ ମାମୁଘରକୁ ଯାଇଥିଲେ। ଉଭୟ ଗତରାତିରେ କାଳୀପଡ଼ିଆକୁ ଯାତ୍ରା ଦେଖି ଯାଇଥିଲେ ଓ ଭଉଣୀ ଅସୁସ୍ଥ ଅନୁଭବ କରିବାରୁ ଯାତ୍ରା ମଝିରୁ ଉଠି ସାଇକେଲ୍ରେ ମାମୁଘରକୁ ଫେରି ଯାଉଥିଲେ। ମାମୁଘର ଠାରୁ ପ୍ରାୟ ୪୦୦ ମିଟର ଦୂରରେ ପହଞ୍ଚିଥିବା ବେଳେ ୪ ଜଣ ଯୁବକ ସାଗରଙ୍କୁ ବହେ ମାରଧର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସାଗରକୁ ସେଠାରେ ଅଟକାଇ ରଖିଥିବା ବେଳେ ଅନ୍ୟ ୩ ଜଣ ଭଉଣୀକୁ ଅଗ୍ନିଶମ କେନ୍ଦ୍ର ପଛ କୃଷି ବିଭାଗ କାର୍ଯ୍ୟାଳୟ ପାଖ ଝାଉଁବଣକୁ ଉଠାଇ ନେଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments