ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମାଜର ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ ହୋଇଛି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି। ସରକାର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କ ସୁବିଧା ହେଲା ଭଳି ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତ କରାଯାଇଛି। କରୋନା କାଳରେ ଯେଭଳି ଭାବେ ଲୋକଙ୍କ ଚାକିରୀ ଚାଲିଯାଇଛି, କର୍ପୋରେଟ ଜଗତକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। କାରଣ କର୍ପୋରେଟ ଜଗତକୁ ଗୁରୁତ୍ୱ ଦିଆଯିବା ଫଳରେ ଲୋକଙ୍କୁ ରୋଜଗାର ମିଳିପାରିବ। ମଧ୍ୟମ ଧରଣର ପରିବାରକୁ ଟଙ୍କା ଆସିବ। ଫଳରେ ମଧ୍ୟମ ଧରଣର ପରିବାରକୁ କିଛି ନ ଆସିବା କହିବା ଭୁଲ ହେବ।
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ ଆର୍ଥିକ ବଜେଟ ୨୦୨୧-୨୨ ଯାହାବି ହେଉ ବିରୋଧୀ ଦଳର ନେତାମାନେ ଏଥିରେ ସନ୍ତୁଷ୍ଟ ନାହାନ୍ତି। କଂଗ୍ରେସ ଓ ସିପିଆଇ ବଜେଟ୍କୁ ତୀବ୍ର ବିରୋଧ କରିଛି। ଅନ୍ୟ ବିରୋଧୀ ଦଳର ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ ବଜେଟ ନେଇ କହିଛନ୍ତି ସରକାର ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁ କରିନାହାନ୍ତି। ସରକାର ବଜେଟ ଯେମିତି ବି ପ୍ରସ୍ତୁତ କରନ୍ତୁ ବିରୋଧୀ ଦଳର ନେତା ଓ ସରକାରଙ୍କ ଆଭିମୁଖ୍ୟକୁ ପସନ୍ଦ କରୁ ନଥିବା ଜନତା ସବୁବେଳେ ଅସନ୍ତୁଷ୍ଟ ଥାଆନ୍ତି। ଏହା ଚଳିତ ବର୍ଷର କଥା ନୁହେଁ। ବହୁ ପୁରୁଣା କାଳରୁ ଏହା ଦେଖାଯାଉଛି। ବିରୋଧୀ ଦଳକୁ ସନ୍ତୁଷ୍ଟ କଲା ଭଳି କୌଣସି ସରକାର ବଜେଟ ପ୍ରସ୍ତୁତ କରିପାରି ନାହାନ୍ତି।
ଓଡ଼ିଶାର ବିପୁଳ କ୍ଷତି: ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ଦ୍ଵାରା ଓଡ଼ିଶାକୁ ବିପୁଳ କ୍ଷତି ସହିବାକୁ ହେବ। କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ। କେନ୍ଦ୍ରୀୟ ଟିକସର ଅଂଶ ପ୍ରାୟ ୧୦ ହଜାର ୮୪୦ କୋଟି ଟଙ୍କା ହ୍ରାସ ପାଇବ। ଏହା ଦ୍ୱାରା ଓଡିଶା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଂକା ରହିଛି। ନବୀନ କହିଛନ୍ତି ୧୫ତମ ଅର୍ଥ ଆୟୋଗର ସୁପାରିସ୍ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ। ଫଳରେ ଓଡିଶା ଉପରେ ଗୁରୁତର ପ୍ରଭାବ ପକାଇବ। ରାଜପଥ କ୍ଷେତ୍ରରେ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଛି।
ଅନ୍ୟ ରାଜ୍ୟ ଭଲ ପାଇଁ ଯୋଜନା।
ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, କେନ୍ଦ୍ରର ବଜେଟରେ କେବଳ ଅନ୍ୟ ରାଜ୍ୟ ପାଇଁ ଯୋଜନା କରାଯାଇଛି। ପେଟ୍ରୋଲ ଏବଂ ଡିଜେଲ ଦରରେ ସେସ୍ ପରିବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ର ରାଜ୍ୟ ଆର୍ଥିକ ସନ୍ତୁଳନ ଦୁର୍ବଳ ହେବ। ମହିଳା, କୃଷକ ଏବଂ ଏମ୍ଏସ୍ଏମ୍ଇ ମାନଙ୍କ କ୍ରେଡିଟ୍ ଋଣ ବଢାଇବା ପାଇଁ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ କରିବାକୁ ପଡିବ ବୋଲି ନବୀନ ପ୍ରତିକ୍ରିୟା ରଖିଛନ୍ତି।
ସମୃଦ୍ଧ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ୍ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୨୦୨୧-୨୨ ବଜେଟରେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ବଜେଟର ସିଂହଭାଗ ଲାଭ ପାଇବ। ରାଜ୍ୟର ସବୁ ବର୍ଗର ଲୋକମାନେ ଏହାଦ୍ୱାରା ବିଶେଷ ଉପକୃତ ହେବେ। ଓଡିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପ୍ରାଥମିକତା ପାଇବ। ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ଇସ୍ପାତ୍, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଆଗାମୀ ୩ ବର୍ଷରେ ଦେଶରେ ୭ଟି ଟେକ୍ସଟାଇଲ ପାର୍କ ନିର୍ମାଣ ହେବ। ଏଥିରେ ଓଡିଶାକୁ ପ୍ରଧାନ୍ୟ ମିଳିବ। ଭଦ୍ରକରେ ଆଇଓସିଏଲ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି। ଓଡିଶାରେ ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ। ଫଳରେ ଟେକ୍ସଟାଇଲ କ୍ଷେତ୍ରରେ କାମ କରୁଥିବା ଓଡିଆମାନେ ଲାଭ ପାଇପାରିବେ ଏବଂ ଓଡିଶା ସବୃଦ୍ଧ ହେବ।