Wednesday, September 18, 2024
Homeଯୁକ୍ତ ୨ ପରୀକ୍ଷା ବାତିଲ; ପିଲାଙ୍କ ଦକ୍ଷତା ଜଣାପଡ଼ିବ କେମିତି?
Array

ଯୁକ୍ତ ୨ ପରୀକ୍ଷା ବାତିଲ; ପିଲାଙ୍କ ଦକ୍ଷତା ଜଣାପଡ଼ିବ କେମିତି?

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ୨୦୨୧କୁ ରାଜ୍ୟ ସରକାର ବାତିଲ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଶୁକ୍ରବାର ପରୀକ୍ଷା ବାତିଲ ନେଇ ଘୋଷଣା କରିବା ପରେ ମନରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଛାତ୍ର-ଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କ ମଧ୍ୟରେ । ଦଶମ ପରେ ଜଣେ ପିଲା ନିଜକୁ କେତେ ଦକ୍ଷ ଓ ଯୋଗ୍ୟ କରିପାରିଛି ତାହା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରୁ ହିଁ ଜଣାପଡ଼ିଥାଏ । କିନ୍ତୁ କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ବାତିଲ ହୋଇଯିବା ପରେ ପିଲାଏ ନିଜର ଶିକ୍ଷା ସ୍ଥିତିକୁ ନେଇ ମଧ୍ୟ ସଂଦେହରେ ରହିଯାଇଛନ୍ତି । ଅଭିଭାବକମାନେ ନିଜର ପିଲାଙ୍କ ଭବିଷ୍ୟତକୁ ନେଇ କେତେ କ’ଣ ଭାବିଥିବା ବେଳେ କରୋନା ସଂକଟ ସେମାନଙ୍କର ସ୍ପପ୍ନକୁ ଚୁରମାର କରିଦେଇଛି । ଯୁକ୍ତ ୨ ପରୀକ୍ଷା ବୈତରଣୀ ପିଲାମାନେ ତ ପାର ହୋଇଗଲେ । କିନ୍ତୁ ଆଗାମୀ ଦିନରେ କେଉଁ ବିଷୟରେ ପାଠ ପଢ଼ିବେ ଓ କେମିତି ନିଜର କ୍ୟାରିୟର ଗଢ଼ିବେ ତାହା ଚିନ୍ତାର ବିଷୟ ।
ଶିକ୍ଷା ବର୍ଷ ୨୦୧୯-୨୦ରେ ଯେଉଁ ପିଲାମାନେ ଯୁକ୍ତ ୨ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ, ସେମାନଙ୍କର ପାଠ ପଢ଼ା ଅଧାରେ ଅଟକିଯାଇଥିଲା । କରୋନା ଭାଇରସ ସଂକ୍ରମଣ ଅଚାନକ ରାଜ୍ୟରେ ଦେଖାଯିବା ପରେ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୧୭ରୁ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ କରିଦେଲେ । ଏହା ପରଠାରୁ ଦୀର୍ଘ ୯ ମାସ ପରେ ଯୁକ୍ତ ୨ର ପିଲାମାନେ ଅଫଲାଇନ୍ ମାଧ୍ୟମରେ ପାଠ ପଢ଼ା ଆରମ୍ଭ କରିଥିଲେ । ସରକାର୧୦୦ ଦିନର ପାଠ ପଢ଼ା ପରେ ବାର୍ଷିକ ପରୀକ୍ଷା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିଯାଇଥିଲା କରୋନାର ୨ୟ ଲହର । ଏହା ପରେ ଯୁକ୍ତ ୨ ପିଲାଙ୍କର ପାଠ ପଢ଼ା ପୁଣି ଥରେ ବନ୍ଦ ହୋଇଯାଇଥିଲା ।

ଜାତୀୟ ସ୍ତରୀୟ ପରୀକ୍ଷା ଚିନ୍ତା

କରୋନାର ସ୍ଥିତି ଦେଖି ରାଜ୍ୟ ସରକାର ଜୁନ ମାସରେ ପରୀକ୍ଷା କରିବାକୁ ଏପ୍ରିଲ ମାସରେ କହିଥିଲେ । କିନ୍ତୁ ମେ’ ମାସରେ ଗୋଟିଏ ଦିନରେ ରାଜ୍ୟରେ ୧୨ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବଂ ଜୁନ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ନିୟନ୍ତ୍ରଣକୁ ଆସି ନଥିବାରୁ ସରକାର ଶେଷରେ ପରୀକ୍ଷା ବାତିଲ କରିଛନ୍ତି । ପରୀକ୍ଷା ବାତିଲ ହେବା ପରେ ଯେଉଁ ଛାତ୍ରଛାତ୍ରୀମାନେ ଜୀବନରେ ବଡ଼ ଲକ୍ଷ୍ୟ ରଖି ନାହାନ୍ତି ଖୁସି ହେଉଥିବା ବେଳେ, ନିର୍ଦ୍ଧାରିତ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । କାରଣ ଏଭଳି ସ୍ତରର ପିଲାମାନେ ବାର୍ଷିକ ପରୀକ୍ଷା ଦେଇଥିଲେ ସେମାନେ ନିଜର ସ୍ଥିତି ସଂପର୍କରେ ଅବଗତ ହୋଇଥାନ୍ତେ । ସେମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମୂଳକ ପରୀକ୍ଷା (ଉଦାହରଣ ସ୍ୱରୂପ ଜେଇଇ, ନିଟ୍‌) ପାଇଁ ନିଜକୁ ସେଭଳି ଭାବରେ ପ୍ରସ୍ତୁତ କରିପାରିଥାନ୍ତେ । କିନ୍ତୁ ବାର୍ଷିକ ବୋର୍ଡ ପରୀକ୍ଷା ହୋଇ ନଥିବାରୁ ସେମାନଙ୍କୁ ଏବେ ଏକ ଦ୍ୱନ୍ଦ୍ୱ ଭିତରେ ଜାତୀୟ ସ୍ତରୀୟ ପରୀକ୍ଷାରେ ସାମିଲ ହେବାକୁ ପଡ଼ିବ ।

୧୪ ଜଣିଆ କମିଟି ଗଠିତ

ଯୁକ୍ତ ୨ ପିଲାଙ୍କର ମୂଲ୍ୟାୟନ କେଉଁ ପଦ୍ଧତିରେ ହେବ, ସେନେଇ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହି କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି, ଏସ୍‌ସିଏସ୍‌ଟିଆରଟିଆଇ ଏକାଡେମିକ ମନିଟିରିଂ ସେଲର ଜଣେ, ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ପରିଷଦର ଉପାଧ୍ୟକ୍ଷ, ଉଚ୍ଚଶିକ୍ଷା ପରିଷଦର ଏକାଡେମିକ କନ୍‌ସଲଟାଣ୍ଟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ, ବିଜେବି ଯୁକ୍ତ ୨ କଲେଜ ଅଧ୍ୟକ୍ଷ, ରମାଦେବୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା, ଏକାମ୍ର କଲେଜ ଅଧ୍ୟକ୍ଷ, ରମାଦେବୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ଧନ୍ଦାମୂଳକ ବିଭାଗର ଜଣେ କନିଷ୍ଠ ଅଧ୍ୟାପିକା ଆଦି । ଏହି କମିଟି ଆଗାମୀ ୧୦ ଦିନ ମଧ୍ୟରେ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରି ପରିଷଦ ନିକଟରେ ଦାଖଲ କରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments