Wednesday, October 9, 2024
Homeରଥଯାତ୍ରା: ଭକ୍ତ-ଭକ୍ତିର ଅପୂର୍ବ ସ୍ଥଳୀ
Array

ରଥଯାତ୍ରା: ଭକ୍ତ-ଭକ୍ତିର ଅପୂର୍ବ ସ୍ଥଳୀ

ଭୁବନେଶ୍ବର: ଶ୍ରୀକ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହୋଇଛି। ରାଜ୍ୟର ଗୁରୁତ୍ବପୂର୍ଣ୍ଣ ରଥଯାତ୍ରା ଯଥା-ସାବର ଶ୍ରୀକ୍ଷେତ୍ର (କୋରାପୁଟ), ତୁଳସୀ କ୍ଷେତ୍ର (କେନ୍ଦ୍ରାପଡ଼ା), ଶ୍ରୀ ହରିବଳଦେବ ଜିଉ (ବାରିପଦା), ପାତାଳି ଶ୍ରୀକ୍ଷେତ୍ର (କୋଟସମଲାଇ, ସୁବର୍ଣ୍ଣପୁର), ବଳଦେବଜିଉ (କେନ୍ଦୁଝର), ଶୈଳ ଶ୍ରୀକ୍ଷେତ୍ର (ଅନୁଗୁଳ)ରେ ଭକ୍ତମାନେ ହର୍ଷୋଲ୍ଲାସ ସହିତ ନିଜକୁ ସାମିଲ କରିଛନ୍ତି। କରୋନା ଯୋଗୁଁ ବିଗତ ୨ ବର୍ଷ ହେଲା ଲେକେ ରଥଯାତ୍ରାରେ ସାମିଲ ହୋଇପାରି ନଥିବାରୁ ଏଥର ଭାବବିହ୍ବଳ ହୋଇଯାଇଛନ୍ତି।  

ଓଡ଼ିଆ ସଂସ୍କୃତିର ଅନ୍ୟତମ ସ୍ମାରକୀ ହେଉଛି ରଥଯାତ୍ରା। ମୌସୁମୀର ଆଗମନ ପରେ ପରେ ମହାପ୍ରଭଙ୍କ ଏହି ଯାତ୍ରା ୯ ଦିନ ପାଇଁ ହୋଇଥାଏ। ପୁରୀ ରଥଯାତ୍ରାକୁ ଯଦିଓ ସମଗ୍ର ବିଶ୍ବବାସୀ ଜାଣନ୍ତି, ତଥାପି ରାଜ୍ୟର ଅନ୍ୟସ୍ଥାନରେ ଆୟୋଜିତ ଯାତ୍ରାର ମଧ୍ୟ ଗୁରୁତ୍ବ ରହିଛି। ବାରିପଦା ଓ ସୋନପୁରରେ ରଥଯାତ୍ରା ପରଦିନ ରଥ ଟଣା ଯାଇଥାଏ। ବାରିପଦା ଓ ଅନୁଗୁଳରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି। ପୁରୀ ରଥ ବିଶ୍ବ ପ୍ରସିଦ୍ଧ। ଏହା ସମସ୍ତେ ଜାଣନ୍ତି। କିନ୍ତୁ କେନ୍ଦୁଝର ରଥ ସବୁଠାରୁ ଉଚ୍ଚ, ଯେଉଁଠି ପାଇଁ ଅତୀତରେ ଅନ୍ତର୍ଜାତୀୟ ରେକର୍ଡ ହାସଲ କରିଛି। କେନ୍ଦ୍ରାପଡ଼ାର ବଳଦେବ ଠାକୁରଙ୍କ ଅନ୍ୟତମ ମହତ୍ବ ରହିଛି।

ଶୁଭ କାର୍ଯ୍ୟକ୍ରମ ଆରମ୍ଭ

ଭକ୍ତ ଯେତେବେଳେ ମହାପ୍ରଭୁଙ୍କ ସହ ମୁହାଁମୁହିଁ ହୁଅନ୍ତି, ସେମାନେ ଆନନ୍ଦ ଲାଭ କରିଥାନ୍ତି। କଳାକାରମାନେ ବଡ଼ଦାଣ୍ଡରେ ଯେତେବେଳେ କାଳିଆ ସାଆନ୍ତଙ୍କ ଆଗରେ ନିଜର କଳା ପ୍ରଦର୍ଶନ କରୁଥାନ୍ତି, ଏହା ସମଗ୍ର ବିଶ୍ବବାସୀ ଦେଖୁଥାନ୍ତି। ଘଣ୍ଟ, ଶଙ୍ଖ ଓ ଅନ୍ୟ ପାରଂପରିକ ଦଳ ମଧ୍ୟ କାଳିଆ ସାଆନ୍ତଙ୍କ ସାମ୍ନାରେ ନିଜର କଳା ପ୍ରଦର୍ଶନ କଲେ ଆତ୍ମତୃପ୍ତି ପାଇଥାନ୍ତି। ରଥଯାତ୍ରା ଏଭଳି ଏକ ପର୍ବ, ଯେଉଁଦିନ ଠାରୁ ଅନେକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥାଏ। ଯେପରିକି ଘର ପ୍ରତିଷ୍ଠା, ଗୃହ ନିର୍ମାଣାରମ୍ଭ, ଗୃହ ପ୍ରବେଶ, ବ୍ୟବସାୟ ଆରମ୍ଭ ଆଦି କାର୍ଯ୍ୟ କରାଯାଇଥାଏ।

ଚିଲିକା ଜଳରେ ରଥଯାତ୍ରା

ଖୋର୍ଦ୍ଧା ଜିଲ୍ଲା ଚିଲିକା ହ୍ରଦର ବ୍ଲକର ନଇରୀ ଜମୁନାକୂଳ ଅନତିଦୂର ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଚିଲିକାର ନୀଳଜଳରାଶି ପରିବେଷ୍ଟିତ ‘କାଙ୍କଣଶିଖରୀ’ରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁସଜ୍ଜିତରେ ଡଙ୍ଗାରେ ରଥ ପ୍ରତିଷ୍ଠା କରାଯାଇ ପୂଜା କରାଯାଇଛି। ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ଶ୍ରୀଜିଉମାନଙ୍କୁ ଘଣ୍ଟଘଣ୍ଟା କରତାଳ, ହରିବୋଲ ହୁଳହୁଳି ଧ୍ୱନୀରେ ଅଣାଇ ନନ୍ଦିଘୋଷ ନୌକା ରଥରେ ବିଜେ କରାଯାଇଥିଲା। ଠାକୁରମାନଙ୍କୁ ଚିଲିକା ଜଳ ପରିବେଷ୍ହିତ କାଙ୍କଣ ଶିଖରୀ ଚତୁପାର୍ଶ୍ବ ସପ୍ତଵାର ପରିକ୍ରମା କରାଯାଇ ସ୍ବସ୍ଥାନକୁ ବାହୁଡା଼ଇ ନିଆଯାଇଥିଲା। କିମ୍ବଦନ୍ତୀ କୁହେ ଯେ,  ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସଲିମ ଶାସକ ତକିଖାଁର ଶ୍ରୀମନ୍ଦିର ଆକ୍ରମଣକୁ ଏଡାଇବା ପାଇଁ ପଣ୍ଡାପଢିଆରୀମାନେ ବ୍ରହ୍ମଗିରି ପଟ ଦୋବନ୍ଧା ଘାଟରୁ ନୌକା ଭେଳାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚିଲିକା ମଧ୍ୟ ଦେଇ ଏଇ କାଙ୍କଣ ଶିଖରୀରେ ଗୋପନ ରହଣୀରେ ଦୀର୍ଘକାଳ ରଖାଇ ପୂଜାଅର୍ଚ୍ଚନା କରାଇଥିଲେ।  

ଉଦୟପୁରର ସୁନା ରଥ

ଓଡ଼ିଶା ବାହାରେ ମଧ୍ୟ ଅନେକଗୁଡ଼ିଏ ସହରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଅହମଦାବାଦରେ ୧୪୫ତମ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଅହମଦାବାଦ, ରାୟପୁର ଓ କୋଲକାତାର ରଥଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହେଉଛନ୍ତି। ରାଜସ୍ଥାନର ଉଦୟପୁରରେ ୯୦ କିଲୋଗ୍ରାମ ରୁପା ବ୍ୟବହାର କରି ଏହି ସୁନ୍ଦର ରଥ ପ୍ରସ୍ତୁତ କରାଯାଇଛି । ଏଥିରେ ମହାପ୍ରଭୁଙ୍କ ବିରାଜମାନ କରାଯାଇଛି। ସୁରକ୍ଷା ପାଇଁ  ବ୍ୟାପକ ପୋଲିସର ବନ୍ଦବୋସ୍ତ କରାଯାଇଥିଲା। ଏଥି ସହିତ ଡ୍ରୋନ ମାଧ୍ୟମରେ ଅତିରିକ୍ତ ନଜର ରଖାଯାଇଥିଲା । ଏହି ରଥାଯାତ୍ରାରେ ସହରର ୧୦୦ରୁ ଅଧିକ ଧାର୍ମିକ ସଂଗଠନ ଓ ଅଖାଡ଼ା ଯୋଗ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments