ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଜେଟ୍ ଅଧିବେଶନ ଜାରି ରହିଛି। ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ରାଜ୍ୟର ବିକାଶ ନେଇ ବିଧାୟକମାନଙ୍କ ମଧ୍ୟରେ ଚର୍ଚ୍ଚା ହେବା ବଦଳରେ ଏକାଧିକ ସମସ୍ୟା ନେଇ ଶାସକ ଦଳ ବିରୋଧରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହକୁ ହୁଲସ୍ତୁଲ କରିଛନ୍ତି। ମୁଲତବି ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହେଉଛି। କିନ୍ତୁ ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣ ପଦାକୁ ଆଣିବା ଦାବିରେ ବିଜେପି ରାଜଧାନୀ ରାସ୍ତାରେ ଗତ ୨୮ ତାରିଖ ଦିନ ଶକ୍ତି ପ୍ରଦର୍ଶନ କରିଥିଲା। ଏହି ପ୍ରଦର୍ଶନୀ ସମୟରେ ଉଭୟ ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।
ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ଚାଲିଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚାହିଁଥିଲା। ଅନ୍ୟପଟରେ ବିଜେପି କର୍ମୀମାନେ ପୁଲିସକୁ ଖାତିର କରି ନଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବାଧ୍ୟ ହୋଇ ଲାଠିମାଡ଼ କରିଥିଲା। ବିଜେପି କର୍ମୀମାନେ ମଧ୍ୟ ପୁଲିସକୁ ଡରିଯାଇ ନଥିଲେ। ଯୁବମୋର୍ଚ୍ଚା କର୍ମୀଙ୍କ ସହ ପୁଲିସଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ମୁହାଁମୁହିଁ କାରଣରୁ ଉଭୟ ପକ୍ଷରୁ ଆହତ ହୋଇଥିଲେ। ଜଣେ ଏସିପି ଏବଂ ଅନ୍ୟ ଜଣେ ଏସ୍ଆଇଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଶୋଚନୀୟ ହେବାରୁ ପରେ ସେମାନଙ୍କୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା।
ରାଲିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଅଂଶ ଗ୍ରହଣ କରିଥିଲେ। ପୁଲିସ ସହିତ ଧସ୍ତାଧସ୍ତି ସମୟରେ ବହୁ ଦଳୀୟ ପୁରୁଷ ଓ ମହିଳା କର୍ମୀ ଆହତ ହୋଇଥିଲେ। ଈରାଶିଷ ଆଚାର୍ଯ୍ୟଙ୍କୁ ପୁଲିସ ଉଠାଇନେଇଥିଲା। ଈରାଶିଷଙ୍କ କହିବା ଅନୁଯାୟୀ ସାରା ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଯୁବମୋର୍ଚ୍ଚାର କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଆସିଥିଲେ। ସେମାନେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଥିଲେ। କର୍ମୀମାନେ ଅଣ୍ଡାମାଡ଼ ଓ ପାଣିବୋତଲ କି ଟେକା ମାଡ଼ କରିନଥିଲେ।
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ମାସେ ଅତିକ୍ରମ କରିସାରିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ଗାନ୍ଧିଛକ ପାଣ୍ଡିର ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗିରିଫ ହୋଇଛି ସତ। କିନ୍ତୁ ସେ କାହିଁକି ନବ ଦାସଙ୍କୁ ଗୁଳି କଲା, ତାହା ଏପର୍ଯ୍ୟନ୍ତ ପଦାକୁ ଆସିପାରି ନାହିଁ। ଓଡ଼ିଶା ସରକାର କ୍ରାଇମବ୍ରାଞ୍ଚକୁ ଶକ୍ତିଶାଳୀ କହୁଥିବା ବେଳେ ଏହି ଟିମ୍ରେ ଥିବା ସଦସ୍ୟମାନେ ଘଟଣା ପଦାକୁ ଆଣିପାରି ନାହାନ୍ତି ଅଥବା ସରକାରଙ୍କ ନିର୍ଦ୍ଦେଶରେ ମାମଲାକୁ ଲୁଚାଇ ରଖିଛନ୍ତି। ଘଟଣା ଏଭଳି ରହସ୍ୟ ଘେରରେ ରହିଛି ଯେ, ରାଜ୍ୟର ସାଢ଼େ ୪କୋଟି ଜନତା ଏହି ମାୟାଜାଲକୁ ବୁଝିପାରୁ ନାହାନ୍ତି। ଅନେକଙ୍କ ସରକାର ଓ ଶାସନ ବ୍ୟବସ୍ଥା ଉପରୁ ଭରସା ତୁଟି ଯାଇଛି।
କେବଳ ନବ ଦାସ ମାମଲା ନୁହେଁ, ରାଜ୍ୟରେ ଅତୀତରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଘଟଣା ଘଟିଛି। ତଦନ୍ତ କିନ୍ତୁ ଶୂନ୍ୟ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ୍ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଜେଲ ପରିସରରେ ମୃତ୍ୟୁ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଗୋଟିଏ ସରକାର ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ରହିବା ଦ୍ବାରା ଏକଛତ୍ରବାଦ ଆଇନକାନୁନ ଚାଲିଛି ବୋଲି ବିରୋଧୀମାନେ ଅଭିଯୋଗ ଆଣୁଛନ୍ତି। ରାଜ୍ୟରେ ନୀତି ଓ ନୀୟମ ବୋଲି ସେମିତି କିଛି ନାହିଁ।