ଭୁବନେଶ୍ବର: ଭାରତୀୟ ରାଜନୀତିରେ ପଲଟୁରାମ୍ ଭାବରେ ବେଶ ଜଣାଶୁଣା ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମୁଖ୍ୟ ନୀତୀଶ କୁମାର ରବିବାର ଦିନକୁ ସୁପର ସଣ୍ଡେ ଭାବେ ମନେ ରଖିବେ। ସକାଳୁ ଇସ୍ତଫା ଦେଇ ସନ୍ଧ୍ୟାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରିଥିବା ନୀତୀଶ କୁମାରକୁ ନେଇ କେବଳ ବିହାର କାହିଁକି, ପୂରା ଦେଶରେ ଚର୍ଚ୍ଚା ହେଉଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ୧୭ ମାସର ସଂପର୍କ ଶେଷ କରି ବିଜେପି ସମର୍ଥନରେ ସରକାର ଗଢ଼ିବା ସହିତ ବିହାରର ୯ମ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତୀଶ କୁମାର। ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୀତୀଶ କୁମାର ହେଉଛନ୍ତି ଜଣେ କ୍ଷମତା ଲୋଭୀ ବ୍ୟକ୍ତି। ନୀତୀଶ କୁମାର ୨୦୧୫ ଫେବ୍ରୁଆରି ୨୨ ତାରିଖ ଠାରୁ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହା ପୂର୍ବରୁ ମଧ୍ୟ ସେ ୨ ଥର (୨୦୦୦ ମାର୍ଚ୍ଚ ୧୧ରୁ ୨୦୦୫ ମାର୍ଚ୍ଚ ୬ ଓ ୨୦୦୫ ନଭେମ୍ବର ୨୪ରୁ ୨୦୧୪ ମେ ୨୦) ଏହି ପଦବିରେ ଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ତାଙ୍କ ଦଳରେ ଅନ୍ୟ କାହାରିକୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳୁ ନାହିଁ, ଯେଉଁଥି କି ସେ ଏପର୍ଯ୍ୟନ୍ତ ୯ଥର ଏହି ପଦବିରେ ବସିଲେଣି। ତେବେ ନୀତୀଶ କୁମାରଙ୍କ ବାରମ୍ବାର ମେଣ୍ଟ ବଦଳାଇ ମୁଖ୍ୟମନ୍ତ୍ରୀ ହେବାକୁ ରାଜନୀତିଜ୍ଞମାନେ ନାପସନ୍ଦ କରୁଛନ୍ତି। ଏଥି ପାଇଁ ନାନା ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
ନୀତୀଶଙ୍କୁ କ’ଣ କହିଲା କଂଗ୍ରେସ?
ବିଜେପିର ସମର୍ଥନରେ ବିହାରରେ ସରକାର ଗଢ଼ିବା ପରେ ନୀତୀଶ କୁମାରଙ୍କୁ କଟାକ୍ଷ କରିଛି କଂଗ୍ରେସ। ଦଳୀୟ ମୁଖପାତ୍ର ଜୟରାମ ରମେଶ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ରାଜନୀତିରେ ବାରମ୍ବାର କଡ ଲେଉଟଉଥିବା ନୀତୀଶ କୁମାନ ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି। ଏହି ବିଶ୍ୱାସଘାତକ ବିଶେଷଜ୍ଞକୁ ଜନତା କ୍ଷମତା କରିବେ ନାହିଁ। ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତଯୋଡ ନ୍ୟାୟ ଯାତ୍ରାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଡରିଯାଇଛନ୍ତି। ବିଜେପି ଭୟଭୀତ ହୋଇଉଠିଛି। ତେଣୁ ଏଥିରୁ ଧ୍ୟାନ ହଟାଇବା ପାଇଁ ରାଜନୀତିରେ ଡ୍ରାମା ତିଆରି କରାଯାଉଛି। କଂଗ୍ରେସ ନେତା ପୱନ ଖେଡା କହିଛନ୍ତି ଯେ, ଯାହାକୁ ଯିବାର ଥାଏ, ତାକୁ କିଛି ବାହାନା କରିବାକୁ ପଡ଼ିଥାଏ। ନୀତୀଶ କୁମାର ଇତିହାସରେ ନିଜର ନାମକୁ ଭଲ ଭାବରେ ଲିପିବଦ୍ଧ କରିପାରି ଥାନ୍ତେ। କିନ୍ତୁ ସେ ନିଜକୁ ଖରାପ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ସେ ଏବେ ପ୍ରତିଟି ଘରେ ହସିବାର ପାତ୍ର ହୋଇଛନ୍ତି।
ଅଯୋଧ୍ୟାକୁ ରାମ, ବିହାରରେ ପଲଟୁରାମ
ଶିବସେନା ନେତା ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ କହିଛନ୍ତି, ଅଯୋଧ୍ୟାକୁ ରାମ ଆସି ଥିବା ବେଳେ ବିହାରକୁ ପଲଟୁରାମ ଆସଛନ୍ତି। ନୀତୀଶ ମାନସିକ ରୂପେ ଅସ୍ଥିର। ଇଣ୍ଡିଆ ମେଣ୍ଟର ସ୍ଥିତି ବେଶ ଉତ୍ତମ ଥିବା ବେଳେ ମମତା ଏବେ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟରୁ ବାହାରି ନାହାନ୍ତି। ଆମ ଆଦମୀ ପାର୍ଟି ମଧ୍ୟ ମେଣ୍ଟରୁ ଓହରିନି। କେବଳ ନୀତିଶଙ୍କ ପଲଟୁରାମ ଖେଳ ଜାରି ରହିଛି।ଆମେ ତାଙ୍କୁ ଦୀର୍ଘଦିନ ହେବ ଅତି ପାଖରୁ ଜାଣିଛୁ। ନୀତିଶ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ନୀତିଶ ମେଣ୍ଟରୁ ଦୂରେଇ ଯିବା ପରେ ବିହାର ରାଜନୀତିରେ କୌଣସି ଫରକ ପଡ଼ିବ ନାହିଁ।
ବହୁରୂପୀ ଏଣ୍ଡୁଅ
ଜୟରାମ ରମେଶଙ୍କ ଭଳି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ନୀତୀଶ କୁମାରଙ୍କୁ ବହୁରୂପୀ ଏଣ୍ଡୁଅ ସହିତ ତୁଳନା କରିଛନ୍ତି। ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଯଦି ଲାଲୁ ଯାଦବ ବିଜେପି ସହ ହାତ ମିଳାଇଥାନ୍ତେ, ତେବେ ଆଜି ଦେଶର ରାଜା ହରିଶ୍ଚନ୍ଦ୍ର ହୋଇଥାନ୍ତେ। ତଥାକଥିତ ଚାରା ଦୁର୍ନୀତି ମାତ୍ର ୨ ମିନିଟରେ ଭାଇଚାରା ଦୁର୍ନୀତି ହୋଇଥାନ୍ତା। ଯଦି ଲାଲୁ ଯାଦବଙ୍କର ଡିଏନଏ ବଦଳି ଯାଇଥାନ୍ତା। ଏଣ୍ଡୁଅ ତ ଏମିତିରେ ବଦନାମ। କିନ୍ତୁ ରଙ୍ଗ ବଦଳାଇବା ନୀତିରେ ପଲିଟିକ୍ସ କୁମାରଙ୍କୁ ଏଣ୍ଡୁଅ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍। ରାଜନୀତିର ରଣନୀତିଜ୍ଞ ତଥା ଏକଦା ନୀତୀଶ କୁମାରଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର ମଧ୍ୟ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ନୀତୀଶ କୁମାର ଲୋକଙ୍କୁ ବାରମ୍ବାର ବୋକା ବନାଉଛନ୍ତି। ସେ ଜଣେ ଧୂର୍ତ୍ତ ଲୋକ। ଆସନ୍ତା ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ବିଜେପି ସହ ମେଣ୍ଟରେ ରହିବେ ନାହିଁ। ପୁଣି ଥରେ ସେ ପଲଟି ଯିବେ। ଅନ୍ୟପଟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ମିମୀନ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ କହିଛନ୍ତି, ନୀତୀଶ କୁମାର ବିହାର ନିବାସୀଙ୍କୁ କ୍ଷମା ମାଗିବା ଉଚିତ। କାରଣ ସେ ଜନତାଙ୍କୁ ଧୋକ୍କା ଦେଇଛନ୍ତି।