ଭୁବନେଶ୍ୱର: ସାଧାରଣ ନିର୍ବାଚନ ହେବାକୁ ଆହୁରି ଅଢ଼େଇ ବର୍ଷ ବାକି ଅଛି। କିନ୍ତୁ ଆଖି ଆଗରେ ପଂଚାୟତିରାଜ ନିର୍ବାଚନ। ପଂଚାୟତିରାଜ ନିର୍ବାଚନ ହେବାକୁ ପାଖାପାଖି ୪ ମାସ ସମୟ ବାକି ଅଛି। ପଂଚାୟତିରାଜ ନିର୍ବାଚନରେ ଯଦିଓ ବଡ଼ ବଡ଼ ନେତାଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ନଥାଏ, ତଥାପି ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ସେମାନଙ୍କର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ। ପଂଚାୟତିରାଜ ନିର୍ବାଚନ ନେଇ ଘୋଷଣା ହେବା ନେତାମାନଙ୍କର ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ତେବେ ଏହି ପର୍ବରେ ଅଳ୍ପ ଦିନ ମଧ୍ୟରେ ୩ ଜଣ ବଡ଼ ବଡ଼ ନେତା ଦଳ ପରିବର୍ତ୍ତନ କରିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ।
ଜଣେ ନେତା ଯେତେବେଳେ ଦଳରେ ଅବହେଳାର ଶିକାର ହେଉଛି, ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଦଳ ପରିବର୍ତ୍ତନ କରୁଛି। ଅନ୍ୟପଟରେ ଯଦି କହିବା ଯଦି ଜଣେ ବ୍ୟକ୍ତି ଲୋକଙ୍କର ପାଇଁ ଠିକ କାମ କରୁଛି। ସମାଜର ବିକାଶ ଦିଗରେ ନିଜକୁ ସାମିଲ କରିପାରୁଛି, ତାକୁ ଅବା ଦଳ କାହିଁକି ଅବହେଳା କରିବ? ଆଜିକାଲିର ନେତାମାନେ ସମାଜ ସେବା ନାଁରେ ଶେଷଣ କରୁଥିବା ମଧ୍ୟ ଦୃଷ୍ଟିଗୋଚର ହେଉଛି। ନିର୍ବାଚନ ଆସିଲେ ସମାଜ ସେବା କଥା ମନେ ପକାନ୍ତି। ଗଣତାନ୍ତ୍ରିକ ଦେଶରେ ଜନତାଙ୍କୁ ନେତା ବାଛିବାର ଅଧିକାର ରହିଛି। ଜନସାଧାରଣ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟ ଦେଇ ବାଛିପାରିବେ। କିନ୍ତୁ ମତଦାତା ମଧ୍ୟ ନିର୍ବାଚନ ସମୟରେ ଆର୍ଥିକ ଲୋଭର ବଶବର୍ତ୍ତୀ ହୋଇ ଠିକ୍ ପ୍ରାର୍ଥୀଙ୍କୁ ନିଜର ବହୁ ମୂଲ୍ୟର ଭୋଟ ଦେଇ ପାରୁ ନାହାନ୍ତି।
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ
ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅକ୍ଟୋବର ୨୨ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ପତ୍ର ଦଳୀୟ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ପ୍ରଦୀପ କହିଛନ୍ତି ଯେ, ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଛି। ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାର କଂଗ୍ରେସରୁ ଇସ୍ତଫା ଦେଉଛି। ତାଙ୍କ କହିବା ଅନୁସାରେ ବର୍ତ୍ତମାନ ଦଳ ସାଧାରଣ ଲୋକଙ୍କ ଠାରୁ ବିଶ୍ୱସନୀୟତା ହରାଇଛି, ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ପ୍ରଦୀପ ମାଝୀ ଅନ୍ୟ ଦଳରେ ସାମିଲ ହୁଅନ୍ତି ଅଥବା କୌଣସି ଦଳରେ ସାମିଲ ନହୁଅନ୍ତି, ସେ କ’ଣ ଲୋକଙ୍କର ବିଶ୍ୱାସର ପାତ୍ର ହୋଇପାରିବେ?
ବିଜେଡିରେ ଏକାଧିକ କଂଗ୍ରେସ ନେତା
କୋରାପୁଟର କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀଙ୍କ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେଶିକା । କୈଳାଶଙ୍କର ସମର୍ଥକମାନେ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ଜିଲ୍ଲାର ୨ ଜଣ ବଡ଼ ନେତା ଶଙ୍ଖ ଧରିବା ପରେ ଏଠାରେ ବିଜୁ ଜନତା ଦଳର ଲୋକପ୍ରିୟତା ବଢ଼ିଛି ବୋଲି ଜଣାପଡୁଛି। କୁହାଯାଉଛି ଯେ, କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଭୂଜବଳ ମାଝୀ ମଧ୍ୟ କିଛି ଦିନ ଭିତରେ ବିଜେଡିରେ ସାମିଲ ହୋଇପାରନ୍ତି। କିନ୍ତୁ ଏହା ସମୟ କହିବ। ବିଜେଡି ଜଣେ ପରେ ଜଣେ ନେତାଙ୍କୁ ନିଜର ଆଡ୍ଡାରେ ସାମିଲ କରାଉଛି। କୋରାପୁଟ କଂଗ୍ରେସରୁ ଜଣେ ପରେ ଜଣେ ନେତା ବିଦାୟ ନେଉଥିବା ବେଳେ ତାରା ପ୍ରସାଦ ବାହିନୀପତି କିନ୍ତୁ କହିଛନ୍ତି କଂଗ୍ରେସ ପାଇଁ କୌଣସି ପ୍ରଭାବ ପଡ଼ିବ ନାହିଁ।
ବିଜେପିର ସ୍ଥିତି କେମିତି
୨୦୨୦ରୁ ୨୦୧୪ ମଧ୍ୟରେ କ୍ରମାଗତ ୩ ଥର ବିଜେଡି ଟିକେଟ୍ରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ନିକଟରେ ବିଜେପିରେ ଯୋଗଦେଇଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟ ନମିଳିବା ପରେ ଅଞ୍ଜଳି ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ପରାଜିତ ହୋଇଥିଲେ। ଦଳ ବିରୋଧୀ ପଦକ୍ଷେପ ଯୋଗୁଁ ବିଜେଡି ଅଂଞ୍ଜଳିକୁ ବହିଷ୍କାର କରିଥିଲା। ଶେଷରେ ଅଞ୍ଜଳି ବିଜେପିରେ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲା ବରି ବିଧାନସଭାନ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତ। ସେ ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ତାହା ସ୍ପଷ୍ଟ କରିନାହାନ୍ତି।