Friday, September 13, 2024
Homeଖବରପ୍ରମୁଖ ଖବରରାଜରାସ୍ତାରେ ହାହାକାର, ଭାଷଣରେ ବିକାଶ

ରାଜରାସ୍ତାରେ ହାହାକାର, ଭାଷଣରେ ବିକାଶ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୩୦ ତାରିଖ ଯାଏଁ ଜାରି ରହିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ ହେବା ସହିତ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ବିଧାୟକ ରବି ଦାଶ ଓ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନ୍ସ ହାବିଲ୍‌ଦାର ସରୋଜ କୁମାର ଦାସ ଓ ପୂର୍ବତନ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭାରେ ବିକାଶ ନେଇ ବିଧାୟକମାନେ ସୁଚିନ୍ତିତ ଆଲୋଚନା କରିପାରନ୍ତି ନାହିଁ। ପ୍ରତିଥର ହଟ୍ଟଗୋଳରେ ଅଧିବେଶନ ସରୁଛି। 

ଅନ୍ୟପଟରେ ବିଧାନସଭାରେ ହଜାର ହଜାର ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀମାନେ ହୋହାଲ୍ଲା କରୁଛନ୍ତି। ପ୍ରାଥମିକ, ହାଇସ୍କୁଲ ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଆଶାକର୍ମୀ, ଗାଁ ସାଥୀ, ଅଙ୍ଗନବାଡ଼ି କର୍ମୀ, ବନ କର୍ମଚାରୀମାନେ ବାରମ୍ବାର ବିଧାନସଭା ସାମ୍ନାରେ ଧାରଣାରେ ବସୁଛନ୍ତି। ସରକାର କେମାନଙ୍କୁ ପ୍ରତିଶ୍ରୁତି ଦେଇ ଚାଲୁଛନ୍ତି। କିନ୍ତୁ ପ୍ରତିଶ୍ରୁତି ପୂରଣ ହେଲା ବେଳକୁ ବହୁ ସମୟ ଗଡ଼ି ଯାଉଛି। ଏପରିକି ଅନେକଙ୍କ ପ୍ରାଣ ଚାଲିଯାଉଛି।   

ରାଜ୍ୟରେ ବିଗତ ୨୩ ବର୍ଷ ଧରି ବିଜେଡି ନେତୃତ୍ବରେ ସରକାର ପରିଚାଳିତ ହେଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଭୁବନେଶ୍ବର ଓ ରାଉରକେଲାରେ କ୍ରୀକା ଭିତ୍ତିଭୂମିର ଅଗ୍ରଗତି, ୫ଟି ଯୋଜନା, ମିସନ ଶକ୍ତିକୁ ନେଇ ସରକାର ବିକାଶର ଡେଙ୍ଗୁରା ବଜାଉଥିବା ବେଳେ ପ୍ରତିଦିନ ବାହାର ରାଜ୍ୟରେ ଓଡ଼ିଆ ଯୁବକ-ଯୁବତୀ ନିର୍ଯାତିତ ହେଉଛନ୍ତି। ଏପରିକି ପ୍ରତି ସପ୍ତାହରେ ବାହାର ରାଜ୍ୟରୁ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆସୁଥିବା ବେଳେ ସରକାର ଏନେଇ କେବେ ମୁହଁ ଖୋଲନ୍ତି ନାହିଁ। ବରଂ ସରକାର ଗାଲୁ ମାରି କୁହନ୍ତି, ସ୍ବାଧୀନ ଭାରତରେ ଜଣେ ବ୍ୟକ୍ତି ରୋଜଗାର ପାଇଁ ଯେକୌଣସି ରାଜ୍ୟରେ କାମ କରିପାରିବ। ନିଜ ଦୁର୍ବଳତାକୁ ଘଣ୍ଟ ଘୋଡେଇ ରଖିବାକୁ ଉଦ୍ୟମ କରନ୍ତି।

ରଂଗ ଦିଆ କାମ

ରାଜ୍ୟରେ ୫ଟି ଅଧିନରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରିତ କାମ ଜାରି ରହିଛି। ବାହାରକୁ ସୁନ୍ଦର ଦେଖାଯାଉଥିବା କୋଠାଗୁଡ଼ିକ ଭିତରେ କିନ୍ତୁ ଫମ୍ପା ମାଠିଆ ଭଳି। ପିଲାମାନଙ୍କୁ କିପରି ପୂର୍ଣ୍ଣାଙ୍ଗ ଶିକ୍ଷା ଦିଆଯିବା ସେଥିପାଇଁ ସରକାର ଚିନ୍ତିତ ନୁହେଁ। ବିଦ୍ୟାଳୟଗୁଡ଼ିକରେ ବହୁ ସମସ୍ୟା ରହିଛି। ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସମାନ। ପ୍ରତି ଜିଲ୍ଲାରେ ବଡ଼ବଡ଼ କୋଠା ନିର୍ମାଣ ହୋଇଛି। କିନ୍ତୁ ଡାକ୍ତର ଓ ଯନ୍ତ୍ରପାତିର ଘୋର ଅଭାବ ରହିଛି। ଜିଲ୍ଲା ଡାକ୍ତରଖାନାଗୁଡ଼ିକ ରେଫରାଲ ହସ୍ପିଟାଲ ପାଲଟିଛି। ଆଜି ରାଜ୍ୟରେ ଶହଶହ ଦୁର୍ଗମ ଗାଁ ରହିଛି, ଯେଉଁଠାକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ଫଳରେ ରୋଗୀ ଓ ପ୍ରସୂତିଙ୍କ ଅକାରଣରେ ମୃତ୍ୟୁ ହେଉଛି। ଏମିତି ଭାବରେ ରାଜ୍ୟର ବିକାଶ ପୁରୁଷ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବସ୍‌ ମାଲିକଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବୁଧବାର ଦିନ ରାଜ୍ୟର ଘରୋଇ ବସ୍ ମାଲିକମାନେ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି। ସରକାର ଦାବି ନ ମାନିଲେ ବାଧ୍ୟ ହୋଇ ସେମାନେ ଡିସେମ୍ବର ପହିଲାରୁ ବସ୍‌ ଚଳାଚଳ ବନ୍ଦ ରଖିବେ ‌ବୋଲି ପୂର୍ବରୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାରେ ରାଜ୍ୟର ଘ‌ରୋଇ ବସ୍ ମାଲିକଙ୍କ ବସ୍ ଗୁଡିକୁ ସାମିଲ କରିବା, ସେମାନଙ୍କ କ୍ଷତିର ଭରଣା କରିବା, ମୋ ବସ୍‌ ଗୁଡିକୁ କେବଳ ସହରାଞ୍ଚଳ‌‌ରେ ଚଳାଇବା ଆଦି ଦାବିରେ ପୂର୍ବରୁ ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେ‌ବେ ସରକାର ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ‌ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରିଥିଲେ ବି ଘରୋଇ ବସ୍ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହାନ୍ତି। ଏ ଯାଏ ଘରୋଇ ବସ୍‌ ମାଲିକଙ୍କ ବସ୍‌ ଗୁଡିକୁ ସାମିଲ କରାଯାଉନାହିଁ। ସରକାର ଦାବି ମାନୁ ନଥିବାରୁ ବସ୍‌ ମାଲିକମ‌ାନେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଉଥିବା କହିଛନ୍ତି।  

ରାଜ୍ୟର ଅନେକ ପ୍ରସଙ୍ଗ ରହିଛି: କଂଗ୍ରେସ

ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁସ୍ଥିତ ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ଶ୍ରୀ ମିଶ୍ର କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଗୁରୁତର। ଆଗକୁ ଅଭାବୀ ଧାନ ବିକ୍ରି ଏକ ବଡ଼ ସମସ୍ୟା ହେବ। ଆଞ୍ଚଳିକ ବୈଷମ୍ୟ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ପୁରୀ ମନ୍ଦିରରେ ଚାରି ଦ୍ୱାର ଖୋଲା ଯାଉନି। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି, କିନ୍ତୁ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି। ଓବିସି ଜାତି ଭିତ୍ତିକ ଜନଗଣନା ନ ହେବାରୁ ସେମାନେ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟା ଲାଘବ ନେଇ କ୍ୟାବିନେଟ୍ ନିଷ୍ପତ୍ତି ଆଦିବାସୀଙ୍କ ବିରୋଧରେ ଯିବ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments